ହିମା ଓ ପାରା ଆଥ୍‍ଲେଟ୍‍ଙ୍କୁ ମୋଦୀଙ୍କ ପ୍ରଶଂସା

0

ନୂଆଦିଲ୍ଲୀ : ରବିବାର ‘ମନ୍‍ କି ବାତ୍‍’ କାର୍ଯ୍ୟକ୍ରମରେ ପଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ନାମୀ ଧାବିକା ହିମା ଦାସ ଏବଂ ପାରା ଆଥ୍‍ଲେଟ୍‍ ଏକତା ଭ୍ୟାନ୍‍, ଯୋଗେଶ କାଠୁନିୟା ଓ ସୁନ୍ଦର ସିଂହ ଗୁଜ୍ଜରଙ୍କୁ ବେଶ୍‍ ପ୍ରଶଂସା କରିଛନ୍ତି। ‘ମନ୍‍ କି ବାତ୍‍’ କାର୍ଯ୍ୟକ୍ରମର ୪୬ତମ ଅଧ୍ୟାୟରେ ମୋଦୀ କହିଥିଲେ, କିଛିଦିନ ତଳେ ଫିନ୍‍ଲାଣ୍ଡରେ ଆୟୋଜିତ ୨୦ ବର୍ଷରୁ କମ୍‍ ବିଶ୍ୱ ଦୌଡ଼କୁଦ ଚମ୍ପିଆନ୍‍ସିପ୍‍ରେ ଭାରତର ସାହସୀ କନ୍ୟା, ଜଣେ କୃଷକଙ୍କ କନ୍ୟା ହିମା ଦାସ ୪୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣପଦକ ଜିତି ଇତିହାସ ସୃଷ୍ଟି କରିଥିଲେ। ଏକତା ଭ୍ୟାନ୍‍, ଦେଶର ଆଉ ଜଣେ କନ୍ୟା ଭାରତକୁ ଗୌରବାନ୍ୱିତ କରିଛନ୍ତି। ଟ୍ୟୁନିସିଆରେ ଆୟୋଜିତ ବିଶ୍ୱ ପାରା ଆଥ୍‍ଲେଟିକ୍‍ସ ଗ୍ରାଁ ପ୍ରିରେ ଏକତା ଏକ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ୍‍ ପଦକ ଜିତିଥିଲେ। ୨୦୦୩ରେ ଏକ ଦୁର୍ଘଟଣା ପରେ ଏକତାଙ୍କ ଶରୀରର ଅଧା ଅଂଶ ପକ୍ଷାଘାତରେ ଆକ୍ରାନ୍ତ ହୋଇଥିଲା। ଏହା ଯୋଗୁଁ ଏକତାଙ୍କ କୃତିତ୍ୱ ବେଶ୍‍ ସ୍ୱତନ୍ତ୍ର। ଏହି ଝିଅ ସାହସ ହରାଇନଥିଲେ ଏବଂ ଜୀବନର ଆହ୍ୱାନର ସମ୍ମୁଖୀନ ହୋଇ ଏହି ବଡ଼ କୃତିତ୍ୱ ହାସଲ କରିଛନ୍ତି। ବର୍ଲିନ୍‍ରେ ଆୟୋଜିତ ପାରା ଆଥ୍‍ଲେଟିକ୍‍ସ ଗ୍ରାଁ ପ୍ରିରେ ବିଶ୍ୱରେକର୍ଡ ସ୍ଥାପନକରି ସ୍ୱର୍ଣ୍ଣପଦକ ଜିତିଥିବା ଯୋଗେଶ କାଠୁନିୟା ଓ ଜାଭେଲିନ୍‍ରେ ସ୍ୱର୍ଣ୍ଣପଦକ ଜିତିଥିବା ସୁନ୍ଦର ସିଂହ ଗୁଜ୍ଜରଙ୍କ କୃତିତ୍ୱକୁ ପ୍ରଶଂସାକରି ଆଗକୁ ଆହୁରି ସଫଳତା ହାସଲ କରିବାକୁ ମୋଦୀ ଆହ୍ୱାନ ଜଣାଇଛନ୍ତି।

Leave A Reply