୮ରେ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ବିରୋଧୀ ଦଳ, ଟ୍ରେଡ୍‌ ୟୁନିୟନ, ବ୍ୟାଙ୍କ ସଂଘର ସମର୍ଥନ

ନୂଆଦିଲ୍ଲୀ : କୃଷି ଆଇନକୁ ବିରୋଧ କରି କୃଷକ ସଂଗଠନଗୁଡିକ ଚଳାଇଥିବା ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଛି। ସରକାରଙ୍କ ସହିତ ବାରମ୍ବାର ଆଲୋଚନା ପରେ ସମାଧାନର ବାଟ ବାହାରି ପାରୁ ନଥିବାବେଳେ ଏହି ଆନ୍ଦୋଳନ ବ୍ୟାପକ ଓ ତୀବ୍ର ହେବାରେ ଲାଗିଛି। ଦିନକୁ ଦିନ କୃଷକ ସଂଗଠନଗୁଡିକ ପ୍ରତି ସମର୍ଥନ ବଢିବାରେ ଲାଗିଛି। ଏହି କ୍ରମରେ କୃଷକ ସଂଗଠନ ପକ୍ଷରୁ ଡିସେମ୍ବର ୮ ତାରିଖ (ମଙ୍ଗଳବାର)କୁ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ବିରୋଧୀ  ରାଜନୈତିକ ଦଳ, ବିଭିନ୍ନ ଟ୍ରେଡ ୟୁନିୟନ, ବ୍ୟାଙ୍କ ସଂଗଠନ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କ ସମର୍ଥନ ଜଣାଇଛନ୍ତି। ତେଣୁ ଏହି ଭାରତ ବନ୍ଦ ବେଶ ସଫଳ ହେବାର ସମ୍ଭାବନା ରହିଛି। ବନ୍ଦ ଯୋଗୁଁ କେତେକ ରାଜ୍ୟରେ ଜନଜୀବନ ସମ୍ପୂର୍ଣ୍ଣ ପ୍ରଭାବିତ ହେବାର ଆଶଙ୍କା ରହିଛି। କୃଷକ ସଂଗଠନର ଭାରତ ବନ୍ଦ ଡାକରାକୁ ସମର୍ଥନ ନେଇ ବିରୋଧୀ ଦଳଗୁଡିକ ପକ୍ଷରୁ ରବିବାର ଏକ ମିଳିତ ବିବୃତ୍ତିରେ ଘୋଷଣା କରାଯାଇଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଏନସିପି ନେତା ଶରଦ ପୱାର, ସିପିଏମ୍ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ଡିଏମ୍‌କେ ମୁଖ୍ୟ ଏମ୍‌କେ ଷ୍ଟାଲିନ ଓ ପିଏଡିଜି ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା ଏହି ମିଳିତ ବିବୃତ୍ତି ଜାରି କରିଛନ୍ତି।

ଡିସେମ୍ବର ୮ ତାରିଖ (ମଙ୍ଗଳବାର) ହେବାକୁ ଥିବା ଭାରତ ବନ୍ଦ ଡାକରାକୁ କଂଗ୍ରେସ, ତେଲୁଗ ଦେଶମ ପାର୍ଟି (ଟିଆରଏସ୍‌), ତୃଣମୂଳ କଂଗ୍ରେସ (ଟିଏମସି), ଆମ ଆଦମି ପାର୍ଟି (ଆପ୍‌), ଆରଜେଡି, ଏନସିପି ଓ ବାମ ଦଳଗୁଡିକ ସମର୍ଥନ କରିବାକୁ ଘୋଷଣା କରିଛନ୍ତି। କଂଗ୍ରେସ କହିଛି ଯେ ଭାରତ ବନ୍ଦକୁ ସମର୍ଥନ ପୂର୍ବକ କଂଗ୍ରେସର ରାଜ୍ୟ କାର୍ଯ୍ୟାଳୟ ସହିତ ଜିଲା କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ସେହିପରି ଆପ୍ ମୁୁଖ୍ୟ ଅରବିନ୍ଦ କେଜରିୱାଲ କହିଛନ୍ତି ଯେ ଦଳ ଭାରତ ବନ୍ଦକୁ ସମର୍ଥନ ଜଣାଇବ। ଦିଲ୍ଲୀ ସରକାର କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରିଆସୁଛି। ଦିଲ୍ଲୀ ସୀମାରେ କୃଷକମାନେ ପହଞ୍ଚିବା ପରେ ସେମାନଙ୍କୁ ଗିରଫ ପାଇଁ ପୁଲିସ ପଦକ୍ଷେପ ନେଇଥିଲା; ମାତ୍ର ତାଙ୍କ ସରକାର ଏହାକୁ ରୋକିଥିଲେ। ବିକ୍ଷୋଭ ପ୍ରଦର୍ଶନ ଲାଗି ବୁରାରି ପଡିଆରେ କୃଷକଙ୍କ ସ୍ଥାନ ଦିଆଯାଇଛି। ଟିଆରଏସ୍ ମୁଖ୍ୟ ତଥା ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କହିଛନ୍ତି ଯେ ତାଙ୍କ ଦଳ ଭାରତ ବନ୍ଦକୁ ସମ୍ପୂର୍ଣ୍ଣ ସମର୍ଥନ କରିବ। ଏପରିକି ଭାରତ ବନ୍ଦକୁ ସଫଳ କରିବା ପାଇଁ ରାଓ ଦଳୀୟ କର୍ମୀଙ୍କୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏପରି ନିବେଦନ ଯୋଗୁଁ ଭାରତ ବନ୍ଦ ସମୟରେ ତେଲଙ୍ଗାନା ଓ ହାଇଦରାବାଦ ସହର ସମ୍ପୂର୍ଣ୍ଣ ପ୍ରଭାବିତ ହେବାର ଆଶଙ୍କା ରହିଛି। ସେହିପରି ସିପିଆଇ, ସିପିଆଇ (ଏମ୍), ସିପିଆଇ(ଏମ-ଏଲ୍‌), ରିଭୋଲ୍ୟୁସନାରୀ ସୋସାଲିଷ୍ଟ ପାର୍ଟି ଓ ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ଭଳି ବାମଦଳଗୁଡିକ ଭାରତ ବନ୍ଦକୁ ସମର୍ଥନ କରିବାକୁ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ ମଧ୍ୟ ଭାରତ ବନ୍ଦକୁ ସମର୍ଥନ ଜଣାଇଛି। ଅଭିନେତା କମଲ ହାସନ କୃଷକଙ୍କ ଭାରତ ବନ୍ଦକୁ ସମର୍ଥନ କରିଛନ୍ତି।

ରାଜନୈତିକ ଦଳ ବ୍ୟତୀତ ବିଭିନ୍ନ ଟ୍ରେଡ ୟୁନିୟନ, ବ୍ୟାଙ୍କ ୟୁନିୟନ ଓ ପରିବହନ ସଂଘ ଭାରତ ବନ୍ଦକୁ ସମର୍ଥନ ଘୋଷଣା କରିଛନ୍ତି। ସମର୍ଥନ ଜଣାଇଥିବା ଟ୍ରେଡ ୟୁନିୟନ ମଧ୍ୟରେ ରହିଛି ଇଣ୍ଡିଆନ ନ୍ୟାସନାଲ ଟ୍ରେଡ ୟୁନିୟନ କଂଗ୍ରେସ (ଆଇଏନଟିୟୁସି), ଅଲ ଇଣ୍ଡିଆ ଟ୍ରେଡ ୟୁନିୟନ କଂଗ୍ରେସ (ଏଆଇଟିୟୁସି), ହିନ୍ଦ ମଜଦୁର ସଭା (ଏଚଏମଏସ), ସେଣ୍ଟର ଅଫ ଇଣ୍ଡିଆ ଟ୍ରେଡ ୟୁନିୟନ (ସିଆଇଟିୟୁ), ଅଲ ଇଣ୍ଡିଆ ଟ୍ରେଡ ୟୁନିୟନ ସେଣ୍ଟର ଓ ଟ୍ରେଡ ୟୁନିୟନ କୋଅର୍ଡିନେସନ ସେଣ୍ଟର ପ୍ରମୁଖ।  ସମର୍ଥନ ଜଣାଇଥିବା ବ୍ୟାଙ୍କ ୟୁନିୟନ ମଧ୍ୟରେ ରହିଛି ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେସନ, ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଆସୋସିଏସନ୍‌ ଓ ଅଲ ଇଣ୍ଡିଆ ନ୍ୟାସନାଲ ବ୍ୟାଙ୍କ ଅଫିସର୍ସ କଂଗ୍ରେସ। ଭାରତ ବନ୍ଦକୁ ବ୍ୟାଙ୍କ ସଂଘ ଗୁଡିକର ସମର୍ଥନ ଘୋଷଣା ଯୋଗୁଁ ମଙ୍ଗଳବାର ଦେଶବ୍ୟାପୀ ବ୍ୟାଙ୍କଗୁଡିକ ବନ୍ଦ ରହିବାର ସମ୍ଭାବନା ରହିଛି। ସେହିପରି ବିଭିନ୍ନ ପରିବହନ ସଂଘ ମଧ୍ୟ ଭାରତ ବନ୍ଦକୁ ସମର୍ଥନ ଜଣାଇଛନ୍ତି। ଏପରିକି ମାଲ୍‌ ଓ ପର୍ଯ୍ୟଟକ ପରିବହନ ସଂଘ ଏହି ଦିନ ଯାନବାହନ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଇଣ୍ଡିଆନ ଟୁରିଷ୍ଟ ଆସୋସିଏସସନ୍‌ ସଭାପତି ସତୀଶ ସେରାୱତ କହିଛନ୍ତି ଯେ ୫୧ଟି ପରିବହନ ସଂଘ ଭାରତ ବନ୍ଦକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

କୃଷକ ଆନ୍ଦୋଳନକୁ ନେଇ ଏନସିପି ମୁଖ୍ୟ ଶରଦ ପୱାର ଡିସେମ୍ବର ୯ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ। ପୱାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ପୱାର କହିଛନ୍ତି ସରକାର କୃଷକଙ୍କ ସମସ୍ୟାକୁ ଯଥାଶୀଘ୍ର ସମାଧାନ କରିବା ଦରକାର ଅନ୍ୟଥା ଏହି ଆନ୍ଦୋଳନ ବ୍ୟାପକ ହେବ। କୃଷକଙ୍କ ଆନ୍ଦୋଳନ ଯୋଗୁଁ କୃଷି ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ପଞ୍ଜାବ ଓ ହରିୟାଣାର କୃଷକମାନେ ସର୍ବଧିକ ଗହମ ଓ ଖାଦ୍ୟଶସ୍ୟ ଉତ୍ପାଦନ କରିଥାନ୍ତି। କୃଷକଙ୍କ ଆନ୍ଦୋଳନ ରବିବାର ୧୧ଦିନରେ ପହଞ୍ଚିଛି। ଶନିବାର କୃଷକ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ହୋଇଥିବା ୫ମ ପର୍ଯ୍ୟାୟ ଆଲୋଚନା ବିଫଳ ହୋଇଛି। ଡିସେମ୍ବର ୯ତାରିଖରେ ପୁନର୍ବାର ଆଲୋଚନା ହେବ। କେନ୍ଦ୍ର ସରକାର ଆଇନରେ ସଂଶୋଧନ ନିମନ୍ତେ ପ୍ରସ୍ତାବ ଦେଇଥିବାବେଳେ କୃଷକ ସଂଗଠନଗୁଡିକ ଏଥିରେ ରାଜି ହୋଇ ନାହାନ୍ତି। କୃଷକମାନେ କହିଛନ୍ତି ଯେ ପ୍ରଣୟନ ହୋଇଥିବା ନୂଆ କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯାଉ। ଆଉ ଏଥିପାଇଁ ସଂସଦର ସ୍ବତନ୍ତ୍ର ଅଧିବେଶନ ଡକାଯାଉ।  ଆନ୍ଦୋଳନକାରୀ କୃଷକମାନେ ଦିଲ୍ଲୀ-ହରିୟାଣାର ସିଙ୍ଘୁ ଓ ଟିକ୍ରି ଏବଂ ଦିଲ୍ଲୀ-ଉତ୍ତରପ୍ରଦେଶର ଘାଜିପୁର ଓ ଚିଲା ସୀମାକୁ ଅବରୋଧ କରି ରଖିଛନ୍ତି।

Comments are closed.