ମୋଦିଙ୍କ ପରାମର୍ଶ ମାନୁ ନାହାନ୍ତି ବିଜେପି ନେତା!

0

ନୂଆଦିଲ୍ଲୀ: ଗଣମାଧ୍ୟମ କିମ୍ବା ସର୍ବସମ୍ମୁଖରେ ବିବାଦୀୟ ମନ୍ତବ୍ୟ ଦେବାରୁ କ୍ଷାନ୍ତ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଦଳ ଓ ସରକାରର ନେତାମାନଙ୍କୁ ତାଗିଦ କରିଛନ୍ତି। କିନ୍ତୁ ସେହି ଅଲିଖିତ ନିର୍ଦେଶକୁ ବିଜେପି ନେତାମାନେ ଖାତିର କରୁ ନ ଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ବିଜେପି ନେତାମାନଙ୍କ ଦାୟିତ୍ୱହୀନ ମନ୍ତବ୍ୟ ଯୋଗୁଁ କେନ୍ଦ୍ର ସରକାର ଓ ବିଜେପି ବିବାଦୀୟ ହୋଇପଡ଼ିବା ପରେ ଗତ ଏପ୍ରିଲ୍‍ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ ନେତାଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ଗଣମାଧ୍ୟମକୁ ଦୋଷ ଦେବା ଉଚିତ ନୁହେଁ। ଗଣମାଧ୍ୟମ ତାର କାମ କରୁଛି। ତେଣୁ ଆମେ ହିଁ ସଂଯମ ରହିବା ଉଚିତ।
କିନ୍ତୁ ତା’ ପରେ ମଧ୍ୟ ବିଜେପି ନେତାଙ୍କ ଏକାଧିକ ଦାୟିତ୍ୱହୀନ ମନ୍ତବ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଛି।
ଉତ୍ତରପ୍ରଦେଶର ଆମ୍ବେଦକରନଗରର ବିଜେପି ସାଂସଦ ହରି ଓମ୍‍ ପାଣ୍ଡେ କହିଥିଲେ ଯେ ‘ମୁସ୍‍ଲିମ୍‍ ସମ୍ପ୍ରଦାୟର ଜନସଂଖ୍ୟା ବୃଦ୍ଧି ପାଉଥିବାରୁ ଦେଶରେ ବଳାତ୍କାର ଓ ଆତଙ୍କବାଦ ପରି ଘଟଣା ବୃଦ୍ଧି ପାଉଛି।’ ସେହିପରି ବିଜେପି ସାଂସଦ ନିଶିକାନ୍ତ ଦୁବେ କହିଥିଲେ ଯେ ‘୩୭୭ ଧରା ଏପର୍ଯ୍ୟନ୍ତ ଉଚ୍ଛେଦ ହୋଇନି। ଯଦି ରାହୁଲ ଗାନ୍ଧି ଆମକୁ କୁଣ୍ଢାଇ ପକାନ୍ତି ତେବେ ଆମ ପତ୍ନୀମାନେ ଆମକୁ ଛାଡ଼ପତ୍ର ଦେଇଦେବେ। ରାହୁଲ୍‍ ଗାନ୍ଧି ବିବାହ କରିବା ପରେ ହିଁ ଆମେ ତାଙ୍କୁ ଆଲିଙ୍ଗନ କରିପାରିବୁ।’ ଉତ୍ତରପ୍ରଦେଶରେ ବିଜେପି ସାଂସଦ ସୁରେନ୍ଦ୍ର ସିଂହ କହିଥିଲେ ଯେ ‘ଶିଶୁମାନେ ହେଉଛନ୍ତି ଭଗବାନଙ୍କ ବରଦାନ। ସ୍ୱାମୀ ପାଇଁ ଦୁଇଟି, ସ୍ତ୍ରୀ ପାଇଁ ଦୁଇଟି ଓ ଗୋଟିଏ ଅତିରିକ୍ତ, ଗୋଟିଏ ପରିବାର ଏଭଳି ୫ଟି ସନ୍ତାନ ଜନ୍ମ ଦେବା ଆବଶ୍ୟକ।’ ରାଜସ୍ଥାନ ବିଜେପି ମୁଖ୍ୟ ମଦନ ଲାଲ୍‍ ସାଇନି କହିଥିଲେ ଯେ ‘ବାବରଙ୍କୁ ହିମାୟୁନ୍‍ ତାଙ୍କ ମୃତ୍ୟୁ ପୂର୍ବରୁ କହିଥିଲେ ଯେ ଭାରତରେ ଯଦି ଶାସନ କରିବାକୁ ଚାହୁଁଛ ତେବେ ଗାଈ, ବ୍ରାହ୍ମଣ ଓ ନାରୀଙ୍କୁ ସୁରକ୍ଷା ଦେବା ଉଚିତ।’ ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା କହିଥିଲେ ଯେ ‘ଆପଣମାନଙ୍କର ଗୁଗୁଲ୍‍ ଏବେ ଆରମ୍ଭ ହୋଇଛି। ହିନ୍ଦୁମାନଙ୍କର ଗୁଗୁଲ୍‍ ନାରଦ ମୁନିଙ୍କ ଦ୍ୱାରା ବହୁ ପୂର୍ବରୁ ଆରମ୍ଭ ହୋଇଛି।’ କର୍ଣ୍ଣାଟକର ବି ପାଟିଲ୍‍ ୟାନ୍ତାଲ୍‍ ନାମକ ବିଜୟପୁରାର ବିଜେପି ବିଧାୟକ କହିଥିଲେ ମୁଁ ଯଦି ସ୍ୱରାଷ୍ଟ୍ର ମନ୍ତ୍ରୀ ଦାୟିତ୍ୱରେ ଥାନ୍ତି ତେବେ ବୁଦ୍ଦିଜୀବୀ୍‍କୁ ଗୁଳି କରି ହତ୍ୟା କରିବାକୁ ନିର୍ଦେଶ ଦେଇଥାନ୍ତି।

Leave A Reply