ମହୁରେ ’ଚିନି ସିରା’ ଓ ’ଚାଉଳ ମଣ୍ଡ’: ନାମୀ-ଦାମୀ କମ୍ପାନୀ ନମୁନା ପରୀକ୍ଷଣରେ ଫେଲ୍
ସେଣ୍ଟ ଫର ସାଇନ୍ସ ଏଣ୍ଡ ଏନଭୟରମେଣ୍ଟ ପ୍ରକାଶିତ ରିପୋର୍ଟରେ ସୂଚନା
ନୂଆଦିଲ୍ଲୀ: ବଜାରରେ ମିଳୁଥିବା ନାମୀ କମ୍ପାନୀର ଦାମୀ ମହୁ ବି ଭେଜାଲ । ଖାଲି ଭେଜାଲ ନୁହେଁ, ଚିନି ସିରା ଓ ଚାଉଳ ମଣ୍ଡ ଦିଆଯାଇ ଏହାକୁ ପ୍ରସ୍ତୁତ କରାଯାଉଛି । ବର୍ତମାନ କରୋନା କାଳରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ନିମନ୍ତେ ମହୁର ବ୍ୟବହାର ବୃଦ୍ଧି ପାଇଛି, ଆଉ ସବୁଠାରୁ ଗୁରୁତ୍ବପୂର୍ଣ କଥା ହେଉଛି ମହୁ ବଦଳରେ ଲୋକମାନେ ଅତ୍ୟଧିକ ଚିନି ଖାଉଛନ୍ତି । ସେଣ୍ଟର ଫର ସାଇନ୍ସ ଏଣ୍ଡ ଏନଭୟରମେଣ୍ଟ (ସିଏସଇ) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି । ସିଏସଇର ମହାନିର୍ଦେଶକ ସୁନୀତା ନାରାୟଣଙ୍କ ଦ୍ବାରା ପ୍ରସ୍ତୁତ ରିପୋର୍ଟରେ ଭାରତୀୟ ବଜାରରେ ବିକ୍ରି ହେଉଥିବା ଅଧିକାଂଶ ବ୍ରାଣ୍ଡର ମହୁ ଭେଜାଲ ଓ ଏଥିରେ ଚିନି ସିରପ୍ ବ୍ୟବହାର କରାଯାଇଥିବା ଦର୍ଶାଯାଇଛି ।
ମହୁରେ ଅପମିଶ୍ରଣକୁ ସିଏସଇ ପକ୍ଷରୁ ‘ହନି ଗେଟ୍’ ବୋଲି ଉଲ୍ଲେଖ କରାଯାଇଛି । କରୋନା ସଂକଟକାଳରେ ଲୋକମାନେ ସ୍ବାସ୍ଥ୍ୟ ଓ ଜୀବନ ସହ ସଂଘର୍ଷ କରୁଥିବାବେଳେ ଏହି ଅପମିଶ୍ରଣକୁ ଅତ୍ୟନ୍ତ ଚିନ୍ତାଜନକ ବୋଲି ଉଲ୍ଲେଖ କରାଯାଇଛି । ଏହା ସହିତ ଏହି ଅପମିଶ୍ରିତ ମହୁ ବ୍ୟବହାର ଲୋକଙ୍କ ସ୍ବାସ୍ଥ୍ୟକୁ ଅଧିକ ବିପର୍ଯ୍ୟସ୍ତ କରିଦେବ ବୋଲି ଆଶଙ୍କା କରାଯାଇଛି । ଆଣ୍ଟିମାଇକ୍ରୋବାୟଲ୍ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ତତ୍ବ ଥିବାରୁ ଲୋକମାନେ ମହୁ ଖାଇବାକୁ ପସନ୍ଦ କରୁଛନ୍ତି । ମାତ୍ର ଏହି ମହୁ ଯେ ଭେଜାଲ ଓ ଏଥିରେ କେବଳ ଚିନିର ସିରା ରହିଛି ତାହା ଲୋକମାନେ ଜାଣି ପାରୁନାହାନ୍ତି । ଫଳରେ ମହୁ ନାମରେ ଲୋକମାନେ ଅଧିକ ଚିନି ଖାଇବା ଦ୍ବାରା ମେଦ ବହୁଳତା, ମୋଟାପଣ ଜନିତ ରୋଗର ଶିକାର ହେଉଛନ୍ତି ।
ସିଏସଇର ଅନୁସନ୍ଧାନ ଓ ଫଳାଫଳ
ସିଏସଇ ପକ୍ଷରୁ କରାଯାଇଥିବା ଅନୁସନ୍ଧାନରେ ଭାରତରେ ପ୍ରକ୍ରିୟାକୃତ କରାଯାଇ ବିକ୍ରି କରାଯାଉଥିବା ୧୩ଟି ବିଭିନ୍ନ ବଡ଼ ଓ ଛୋଟ କମ୍ପାନୀର ମହୁ ପରୀକ୍ଷା କରାଯାଇଥିଲା । ଗୁଜରାଟର ନେସନାଲ ଡ଼ାଏରୀ ଡ଼େଭଲପମେଣ୍ଟ ବୋର୍ଡ଼ (ଏନଡ଼ିଡ଼ିବି)ରେ କରାଯାଇଥିବା ପରୀକ୍ଷାରେ ବହୁ ବଡ଼ ନାମୀ କମ୍ପାନୀର ଦାମୀ ମହୁ କରାଯାଇଥିବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପାରିନାହାନ୍ତି । ଅଧିକାଂଶ ମହୁ ଆଦୌ ଶତ ପ୍ରତିଶତ ଶୁଦ୍ଧ ନ ଥିବା ଏଥିରେ ପ୍ରମାଣିତ ହୋଇଛି ଏବଂ ଏଥିରେ ଚିନି ସିରା ଦିଆଯାଇଥିବା ପ୍ରମାଣିତ ହୋଇଛି ।
ସେହିପରି ଏହି ନାମୀ ଓ ଦାମୀ ମହୁଗୁଡ଼ିକର ଆଣବିକ ଚୁମ୍ବକୀୟ ରିଜୋନାନ୍ସ (ଏନଏମଆର୍) ପରୀକ୍ଷଣରେ ମଧ୍ୟ ଅଧିକାଂଶ ମହୁର ନମୁନା ବିଫଳ ହୋଇଛନ୍ତି । ଜର୍ମାନର ଏକ ବିଶେଷଜ୍ଞ ପରୀକ୍ଷାଗାରରେ କରାଯାଇଥିବା ୧୩ଟି ନମୁନା ମଧ୍ୟରୁ ମାତ୍ର ୩ଟି ନମୁନା ଅନେକାଂଶ ଶୁଦ୍ଧ ବୋଲି ପ୍ରମାଣିତ ହୋଇଥିଲା।
ସିଏସଇର ଖାଦ୍ୟ ନିରାପତ୍ତା ଓ ଟକ୍ସିନ କାର୍ଯ୍ୟକ୍ରମ ନିର୍ଦେଶକ ଅମିତ୍ ଖୁରାନାଙ୍କ ସୂଚନା ଅନୁସାରେ ସାରା ଭାରତରେ ବିକ୍ରି ହେଉଥିବା ଅଧିକାଂଶ ମହୁ ଭେଜାଲ ଓ ଏଥିରେ ଚିନି ଓ ଚାଉଳ ମଣ୍ଡ ବ୍ୟବହାର କରାଯାଇଥିବା ପ୍ରମାଣ ମିଳିଛି । ସବୁଠାରୁ ହେଉଛି ଏହି ଭେଜାଲ ଏତେ ନିଖୁଣ ଭାବରେ କରାଯାଉଛି ଯେ ତାହାକୁ ଧରିବା ମଧ୍ୟ କଷ୍ଟକର । ଏହା ଏକ ପ୍ରକାର ବ୍ୟଭିଚାର ବୋଲି ଅମିତ୍ ଖୁରାନା କହିଛନ୍ତି ।
ପରୀକ୍ଷଣର ଫଳାଫଳ:
୭୭ ପ୍ରତିଶତ ନମୁନାରେ ଚିନି ସିରପ ବ୍ୟବହାର
ପରୀକ୍ଷିତ ମୋଟ ୨୨ ନମୁନା ମଧ୍ୟରୁ ୫ଟି ଉତ୍ତୀର୍ଣ୍ଣ
ଭାରତରୁ ବିଦେଶକୁ ରପ୍ତାନୀ କରାଯାଉଥିବା ମହୁର ଏନଏମଆର୍ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି । ଗତ ଅଗଷ୍ଟ ୧ ତାରିଖରେ ଏଥିନେଇ ନିର୍ଦେଶନାମା ଜାରି ହୋଇଛି । ମାତ୍ର ଭାରତରେ ପ୍ରକ୍ରିୟାକୃତ ଓ ବିକ୍ରି ହେଉଥିବା ମହୁ ଲାଗି ଏନଏମଆର୍ ପରୀକ୍ଷା ବାଧ୍ୟତାମୂଳକ କରାଯାଇ ନାହିଁ । ତେଣୁ ଏହି ପରୀକ୍ଷଣ ଆବଶ୍ୟକତା ସମ୍ପର୍କରେ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି ସିଏସଇ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛି । ସେହିପରି ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (FSSAI) ଦେଶକୁ ଆମଦାନୀ ହେଉଥିବା ଗୋଲଡ଼େନ ସିରପ, ଇନଭର୍ଟ ଚିନି ସିରପ୍, ଚାଉଳ ସିରପ ଆଦି ସମ୍ପର୍କରେ ତଦାରଖ କରିବା ଲାଗି ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଗତବର୍ଷ ପରାମର୍ଶ ଦେଇଥିଲା। ଏହି ସାମଗ୍ରୀ ସବୁ ମହୁ ଅପମିଶ୍ରଣରେ ବ୍ୟବହାର କରାଯାଉଥିବାରୁ ସତର୍କ ରହିବାକୁ ମଧ୍ୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ ପରାମର୍ଶ ଦେଇଥିଲା ।
ଅନ୍ୟପକ୍ଷରେ ଚୀନ କମ୍ପାନୀ ଆଲିବାବା ପରି ସଂସ୍ଥା ଫ୍ରୁଟ କୋଜ ସିରପ ବିକ୍ରି ପାଇଁ ବିଜ୍ଞାପନକୁ ଅନୁଧ୍ୟାନ ପରେ ସିଏସଇ ଏଥିରୁ ଅପମିଶ୍ରରଣ ଅନେକ ସୂତ୍ର ହାସଲ କରିବାକୁ ସମର୍ଥ ହୋଇଛି ବୋଲି ସୂଚନା ମିଳିଛି । ଅନେକ ଚୀନା କମ୍ପାନୀ ଚିନିରୁ ଏପରି ସିରପ ପ୍ରସ୍ତୁତ କରୁଛନ୍ତି ଯାହା ମହୁରେ ମିଶାଇଲେ ତାହା ଧରା ପଡ଼ିବ ନାହିଁ । ଏପରିକି ସି୩ ଓ ସି୪ ପରୀକ୍ଷଣରେ ମଧ୍ୟ ତାହା ଜଣା ପଡ଼ିବ ନାହିଁ । ଏହାପରେ ସିଏସଇ ପକ୍ଷରୁ ଚୀନ କମ୍ପାନୀଗୁଡ଼ିକ ସହ ଯୋଗାଯୋଗ କରାଯାଇ ନମୁନା ସମ୍ପର୍କରେ ଅନୁଧ୍ୟାନ କରାଯାଇଥିଲା । ଇ ମେଲ ଯୋଗେ ଏହି ସାମଗ୍ରୀ ଭାରତ ଆମଦାନୀ ହୋଇ ପାରିବ କି ନାହିଁ ତାହା ସମ୍ପର୍କରେ ଖୋଳତାଡ଼ କରାଯାଇଥିଲା । ସମ୍ପୃକ୍ତ ଚୀନା କମ୍ପାନୀଗୁଡ଼ି ଏହି ଚିନି ସିରପ ଭାରତକୁ ପଠାଯାଇ ପାରିବ ବୋଲି ଉତ୍ତର ଦେଇଥିଲେ।
ଏପରିକି ମହୁରେ ୮୦% ପର୍ଯ୍ୟନ୍ତ ଏହି ସିରପ୍ ଅପମିଶ୍ରଣ ହେଲେ ମଧ୍ୟ ତାହା ପରୀକ୍ଷାରେ ଧରା ପଡ଼ିବ ନାହିଁ ଓ ଅସଲି ମହୁ ଭାବରେ ଗଣାଯିବ । ଏହାପରେ ସିଏସଇ ପକ୍ଷରୁ ଉତ୍ତରପ୍ରଦେଶର ଯଶପୁରରେ ଥିବା ଏକ ମହୁ ପ୍ରକ୍ରିୟାକରଣ ପ୍ଲାଣ୍ଟ ଉପରେ ଗୋପନରେ ଅନୁସନ୍ଧାନ କରିଥିଲେ । ଏହି କମ୍ପାନୀରେ ପ୍ରକ୍ରିୟାକୃତ ମହୁରେ ପ୍ରାୟ ୫୦%ରୁ ଉଦ୍ଧ୍ଵର୍ର୍ ପରିମାଣର ଅପମିଶ୍ରଣ ହେଉଥିଲେ ମଧ୍ୟ ତାହା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଶୁଦ୍ଧ ମହୁର ମାନ୍ୟତା ପାଇଥିଲା ବୋଲି ସିଏସଇ ରିପୋର୍ଟରେ କୁହାଯାଇଛି।
Comments are closed.