ମଙ୍ଗଳ ଗ୍ରହରେ ପ୍ରାୟ ୪୦୦କୋଟି ବର୍ଷ ତଳେ ଏକ ବଡ ବନ୍ୟା ହୋଇଥିଲା। ଏ ନେଇ ନାସାର କ୍ୟୁରୋସିଟି ରୋଭର ତଥ୍ୟ ସଂଗ୍ରହ କରିଛି। ଏହା ଜଣାପଡିବା ପରେ ମଙ୍ଗଳରେ ଦିନେ ଜୀବନର ସ୍ଥିତି ଥିଲା ବୋଲି ବୈଜ୍ଞାନିକମାନେ ଆଶାବାଦୀ ହୋଇଛନ୍ତି। ଜ୍ୟାକ୍ସନ ଷ୍ଟେଟ୍ ବିଶ୍ବବିଦ୍ୟାଳୟ, କର୍ଣ୍ଣେଲ ବିଶ୍ବବିଦ୍ୟାଳୟ ଏବଂ ହାୱାଇ ବିଶ୍ବବିଦ୍ୟାଳୟର ଗବେଷକମାନେ ରୋଭର ପଠାଇଥିବା ତଥ୍ୟର ଅନୁସନ୍ଧାନ କରି ଏହା ଜଣାଇଛନ୍ତି। ଏହି ବନ୍ୟାର ପ୍ରମାଣ ମଙ୍ଗଳରେ ଥିବା ବିଶାଳ ଗର୍ତ୍ତ ଗେଲ୍ରୁ ମିଳୁଛି। ମଙ୍ଗଳରେ ବରଫ ଥିବାରୁ ପ୍ରାୟ ୪୦୦କୋଟି ବର୍ଷ ପୂର୍ବେ ଏବେକାର ତୁଳନାରେ ଅତ୍ୟଧିକ ବରଫ ରହିଥିବା ଏବଂ ଉଲ୍କା ପିଣ୍ଡ ପରି କୌଣସି ମହାଜାଗତିକ ବସ୍ତୁ ଏଠାରେ ଖସିପଡିବା ଯୋଗୁ ତା’ର ଉଷ୍ମତାରେ ବରଫ ତରଳି ବନ୍ୟା ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ରୋଭର ତଥ୍ୟରୁ ଗେଲ୍ ଗର୍ତ୍ତରେ ସେତେବେଳେ ପ୍ରାୟ ୭୮ଫୁଟ ପାଣି ରହିଥିବ ଏବଂ ପ୍ରାୟ ୩୨ଫୁଟର ଭୟଙ୍କର ଲହଡି ଉଠିଥିବ ବୋଲି ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି। ତେବେ ସେତେବେଳେ ମଙ୍ଗଳରେ ଜୀବନର ସତ୍ତା ଭାବେ ମାଇକ୍ରୋବାୟାଲ ଜୀବ ରହୁଥାଇପାରନ୍ତି ବୋଲି ଗବେଷକ ଆଲବର୍ଟୋ ଜି. ଫେୟରେନ୍ କହିଛନ୍ତି। ବନ୍ୟା ପାଣି ପ୍ରାୟ ୪୫୦ ଫୁଟ ମାଡିଯାଇଥିବାରୁ ମଙ୍ଗଳରେ ଏହାର ଚିହ୍ନ ଦେଖିବାକୁ ମିଳିଛି। ଏହି ଚିହ୍ନକୁ ମେଗାରିପ୍ଲ ବା ଆଣ୍ଟିଡ୍ୟୁନ୍ କୁହାଯାଉଛି। ତେବେ ବନ୍ୟା ପରେ ଏହି ପାଣି ଅଳ୍ପ ସମୟ ପାଇଁ ହେଲେ ବି ଗରମରେ ବାଷ୍ପୀଭୂତ ହୋଇଥିବା ଏବଂ ସେହି ପରିବେଶରେ କେତେକ ସୂକ୍ଷ୍ମଜୀବ ସୃଷ୍ଟି ହୋଇଥିବାର ସମ୍ଭାବନା ରହିଛି ବୋଲି ବୈଜ୍ଞାନିକମାନେ ଜଣାଇଛନ୍ତି। ପୂର୍ବରୁ କରାଯାଇଥିବା ଗବେଷଣାରେ ବି ମଙ୍ଗଳରେ ଜୀବନର ସତ୍ତା ଥିବା ଦାବି କରାଯାଇଥିଲା।
Popular Categories



