ନୂଆଦିଲ୍ଲୀ/ଭୁବନେଶ୍ୱର : ଅକ୍ଷୟ ଉର୍ଜା କ୍ଷେତ୍ରରେ ଭାରତ ଏକ ପୁଞ୍ଜିନିବେଶର ଲକ୍ଷ୍ୟସ୍ଥଳି ଭାବରେ ପରିଣତ ହେଉଛି। ବିଗତ ୬ ବର୍ଷ ମଧ୍ୟରେ ଭାରତର ଅକ୍ଷୟ ଉର୍ଜା କ୍ଷେତ୍ରରେ ୬୪ ବିଲିୟନ ଆମେରିକୀୟ ଡଲାରର ପୁଞ୍ଜିନିବେଶ ହୋଇଛି ବୋଲି ଶନିବାର ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ତୃତୀୟ ଅକ୍ଷୟ ଉର୍ଜା ନିବେଶ ସମ୍ମିଳନୀ -୨୦୨୦ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଏହି ଅବସରରେ ଶ୍ରୀ ପ୍ରଧାନ ପୁଞ୍ଜିନିବେଶକାରୀ, ଡେଭଲପର ଏବଂ ବ୍ୟବସାୟୀଙ୍କୁ ଭାରତର ଅକ୍ଷୟ ଉର୍ଜା ଯାତ୍ରାରେ ସାମିଲ ହେବା ପାଇଁ ଆହ୍ୱାନ କରିଛନ୍ତି। ଭାରତର ଏହି ଯାତ୍ରାରେ ସାମିଲ୍ ସମସ୍ତ ବ୍ୟବସାୟୀ ଉପକୃତ ହୋଇପାରିବେ ବୋଲି ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି, ଭାରତର ଉର୍ଜା କ୍ଷେତ୍ର ସମେତ ସମଗ୍ର ଉର୍ଜା କ୍ଷେତ୍ରରେ ଦେଶର ଏକ ଉଦାରବାଦୀ ଏଫଡ଼ିଆଇ ନୀତି ରହିଛି। ଏହି ନୀତି ଫଳରେ ବିଦେଶୀ ପୁଞ୍ଜିନିବେଶକାରୀମାନେ ନିଜେ ନିବେଶ କରିପାରିବେ କିମ୍ବା ଭାରତୀୟ ସଂସ୍ଥା ସହ ଯୌଥ ଉଦ୍ୟୋଗରେ ଭାରତରେ ଅକ୍ଷୟ ଉର୍ଜା ଆଧାରିତ ଶକ୍ତି ଉତ୍ପାଦନ ପ୍ରକଳ୍ପରେ ପୁଞ୍ଜିନିବେଶ କରିବା ସହ ବୈଷୟିକ ସହଯୋଗ ମଧ୍ୟ କରିପାରିବେ।
ଭାରତ ସରକାର ଇଜ୍ ଅଫ୍ ଡୁଇଂ ବିଜନେସକୁ ପ୍ରାଥମିକତା ଦେଇ ଆସୁଛନ୍ତି। ପୁଞ୍ଜିନିବେଶର ସୁରକ୍ଷା ତଥା ଚୁକ୍ତିନାମାର ସ୍ୱଚ୍ଛତାକୁ ବଜାୟ ରଖିବା ଭାରତ ସରକାରଙ୍କ ପ୍ରାଥମିକତା ରହିଆସିଛି। ସରକାର ସମସ୍ତ ମନ୍ତ୍ରଣାଳୟରେ ଘରୋଇ ଏବଂ ବିଦେଶୀ ପୁଞ୍ଜିନିବେଶକାରୀଙ୍କୁ ସାହାଯ୍ୟ କରିବା ପାଇଁ ପ୍ରୋଜେକ୍ଟ ଡେଭଲପମେଂଟ୍ ସେଲ(ପିଡ଼ିସି) ଓ ଫରେନ୍ ଡାଇରେକ୍ଟ ଇନଭେଷ୍ଟମେଂଟ୍ ସେଲ(ଏଫଡ଼ିଆଇ)ର ପ୍ରତିଷ୍ଠା କରାଯାଇଛି। ଦେଶରେ ଉର୍ଜା ଦାରିଦ୍ର୍ୟକୁ ଦୂର କରିବା ଦିଗରେ ଉର୍ଜା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ କରାଯାଉଛି। ଆମେ କ୍ରମାଗତ ଭାବରେ ଉର୍ଜା ନୀତି ପଦକ୍ଷେପ ନେଇଆସୁଛୁ। ଉର୍ଜାର ଉପଲବ୍ଧି, ସମସ୍ତଙ୍କୁ ଉର୍ଜା ଯୋଗାଇବା, ଗରିବଙ୍କ ପାଇଁ ସୁଲଭ ମୂଲ୍ୟରେ ଉର୍ଜା ଯୋଗାଇବା, ଉର୍ଜା ବ୍ୟବହାରରେ ଦକ୍ଷତା ଏବଂ ଜଣେ ଦାୟିତ୍ୱବାନ ବୈଷୟିକ ନାଗରିକ ଭାବେ
ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ପାଇଁ ସ୍ଥାୟୀ ଉର୍ଜାକୁ ଆଧାର କରି ଆମେ ଆଗାମୀ ପିଢିର ଭିତ୍ତିଭୂମି ବିକାଶ କରୁଛୁ। ଆମର ଉର୍ଜା ଏଜେଣ୍ଡା ଅନ୍ତର୍ଭୃକ୍ତିକରଣ ଏବଂ ବଜାର ଆଧାରିତ ଓ ଜଳବାୟୁ ସହଯୋଗୀ। ଭାରତ ସରକାର ଜୈବ ଇନ୍ଧନକୁ ମଧ୍ୟ ଗୁରୁତ୍ୱ ଦେଉଛନ୍ତି। ଜୈବ ଇନ୍ଧନ କେବଳ ଭାରତ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ନୂଆ ଇନ୍ଧନ। ପରିବେଶ ଏବଂ ଅର୍ଥନୀତିର ସମନ୍ୱୟକୁ ରକ୍ଷା କରିବା ଦିଗରେ ଜୈବ ଇନ୍ଧନର ବଡ଼ ଭୂମିକା ରହିଛି। ଜୈବ ଇନ୍ଧନକୁ ବହୁଳ ଭାବେ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ୨୦୧୮ ମସିହାରେ ଜାତୀୟ ଜୈବ ଇନ୍ଧନ ନୀତି ଶୁଭାରମ୍ଭ କରାଯାଇଥିବାବେଳେ ୨୦୩୦ ସୁଦ୍ଧା ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ କରାଯିବ ଏବଂ ୫ ପ୍ରତିଶତ ବାୟୋଡ଼ିଜେଲ ରହିବା ନେଇ ଲକ୍ଷ୍ୟ ରଖାଯାଇଛି। ଏହାସହ ଦୈନିକ ୧୧୦୦ କିଲୋ ଲିଟର କ୍ଷମତା
ବିଶିଷ୍ଟ ୧୨ଟି ୨ଜି ଇଥାନଲ ବାୟୋ ରିଫାଇନାରୀ ୧୧ଟି ରାଜ୍ୟରେ ପ୍ରତିଷ୍ଠା କରାଯାଉଛି। ୧୬ ହଜାର ୮୦୦ କିମି ଲମ୍ବ ଗ୍ୟାସ ପାଇପଲାଇନ ନେଟୱାର୍କର କାମ ହୋଇସାରିଛି ଏବଂ ଅତିରିକ୍ତ ୧୪ ହଜାର ୭୦୦ କିମି ଗ୍ୟାସ୍ ପାଇପଲାଇନର କାମ ବିଭିନ୍ନ ସ୍ତରରେ ଜାରୀ ରହିଛି। ଦେଶରେ ପାଇପଲାଇନ, ସିଟି ଗ୍ୟାସ୍ ବିତରଣ, ଏଲଏନଜି, ରି-ଗ୍ୟାସିଫିକେସନ ଟର୍ମିନାଲ ସହ ଗ୍ୟାସ୍ ଭିତ୍ତିଭୂମିର ବିକାଶ ପାଇଁ ୬୦ ବିଲିୟନ ଆମେରିକୀୟ ଡଲାର ପୁଞ୍ଜନିବେଶ କରାଯାଉଛି।
ସେହିପରି ୨୦ ବିଲିୟନ ଆମେରିକୀୟ ଡଲାର ନିବେଶରେ ଆଗାମୀ ଦିନରେ ଭାରତ ସରକାର ୫ ହଜାର ସିବିଜି ପ୍ଲାଂଟ୍ ପ୍ରତିଷ୍ଠା କରିବାର ଲକ୍ଷ୍ୟ ରଖିଛନ୍ତି। ଏହି ସିବିଜି ପ୍ଲାଣ୍ଟରେ ବାର୍ଷିକ ୧୫ ମିଲିୟନ ମେଟ୍ରିକ୍ ଟନ୍ ସିବିଜି ଉତ୍ପାଦନ କରିବାର ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ଦେଶର ବିଭିନ୍ନ ସ୍ଥାନରେ ୧୫୦୦ ସିବିଜି ପ୍ଲାଣ୍ଟର କାର୍ଯ୍ୟକ୍ଷମ ହୋଇଛି।
ତୈଳ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସମେତ ଦେଶର ତୈଳ ଏବଂ ଗ୍ୟାସ୍ କମ୍ପାନୀମାନେ ସବୁଜ ଉର୍ଜା ଯଥା ଅକ୍ଷୟ, ଜୈବଇନ୍ଧନ ଏବଂ ହାଇଡ୍ରୋଜେନକୁ ପ୍ରାଥମିକତା ଦେଇ ଅକ୍ଷୟ ଉର୍ଜା ପ୍ରକଳ୍ପର ବିକଶିତ ନିମନ୍ତେ ପୁଞ୍ଜନିବେଶ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।



