Patra electronics

ଭାରତ-ଫ୍ରାନ୍ସ ମଧ୍ୟରେ ୧୪ ରାଜିନାମା ସ୍ୱାକ୍ଷର

0

ନୂଆଦିଲ୍ଲୀ : ଆତଙ୍କବାଦ ଦମନଠାରୁ ଆରମ୍ଭ କରି ସାମରିକ ସହଯୋଗ ଓ ବାଣିଜ୍ୟ କାରବାର ଭଳି ବିଭିନ୍ନ କ୍ଷେତ୍ରରେ ପରସ୍ପରର ସହଯୋଗ କରିବାକୁ ଭାରତ-ଫ୍ରାନ୍ସ ସମ୍ମତି ପ୍ରକାଶ କରିଛନ୍ତି। ଏ ନେଇ ଦୁଇଦେଶ ମଧ୍ୟରେ ୧୪ଟି ରାଜିନାମା ସ୍ୱାକ୍ଷର ହୋଇଛି। ଚାରିଦିନିଆ ଭାରତ ଗସ୍ତରେ ଆସିଥିବା ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଶନିବାର ନୂଆଦିଲ୍ଲୀର ହାଇଦରାବାଦ ହାଉସରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏହି ରାଜିନାମା ସ୍ୱାକ୍ଷର କରିଛନ୍ତି। ସ୍ୱାକ୍ଷରିତ ରାଜିନାମା ଅନୁଯାୟୀ ଦୁଇଦେଶ ଜଳ, ସ୍ଥଳ, ଆକାଶ ପ୍ରତିଟି କ୍ଷେତ୍ରରେ ପରସ୍ପରର ସହଯୋଗ କରିବେ। ବିଶେଷକରି ପ୍ରତିରକ୍ଷା, ମହାକାଶ ଓ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଦୁଇଦେଶ ପରସ୍ପରର ସହଯୋଗ କରିବେ।

ଭାରତ ପ୍ରତି ଚୀନର ଧମକ ଓ ଆତଙ୍କବାଦକୁ ଦୃଷ୍ଟିରେ ରଖି ଏହି ରାଜିନାମା ସ୍ୱାକ୍ଷର ହୋଇଛି। ଦକ୍ଷିଣ ଚୀନ ସାଗର ଓ ଭାରତ ମହାସାଗର କ୍ଷେତ୍ରରେ ଚୀନର ଆଧିପତ୍ୟକୁ ଦମନ କରିବା ପାଇଁ ଫ୍ରାନ୍ସ ଏଣିକି ଭାରତକୁ ସହଯୋଗ କରିବ। ରାଜିନାମା ଅନୁଯାୟୀ ଦୁଇଦେଶ ପରସ୍ପରର ନୌସେନା ଘାଟିକୁ ବ୍ୟବହାର କରିପାରିବେ। ଭାରତର ଯୁଦ୍ଧ ଜାହାଜ ଫ୍ରାନ୍ସର ନୌସେନା ଘାଟିକୁ ଓ ଫ୍ରାନ୍ସର ଯୁଦ୍ଧଜାହାଜ ଭାରତର ନୌସେନା ଘାଟିକୁ ବ୍ୟବହାର କରିବେ। ଭାରତ ମହାସାଗରରେ ଚୀନ ନିଜର ଆଧିପତ୍ୟ ବିସ୍ତାର ପାଇଁ ପାକିସ୍ତାନରେ ଗ୍ୱାଦାର ବନ୍ଦର ନିର୍ମାଣ କରିଛି। ସେହିପରି ଶ୍ରୀଲଙ୍କାର ହାମବାନଟନ ବନ୍ଦରକୁ ୯୯ ବର୍ଷ ପାଇଁ ଲିଜ୍‌ରେ ନେଇଛି। ଏହା ସହିତ ମାଳଦ୍ୱୀପଠାରୁ ଅନେକଗୁଡିଏ ଛୋଟ ଦ୍ୱୀପ କିଣିଛି। ଚୀନର ଏହିସବୁ ପଦକ୍ଷେପ ଭାରତ ପାଇଁ ବିପଦ ସାବ୍ୟସ୍ତ ହୋଇଛି। ଭାରତର ‘ମେକ୍‌ ଇନ ଇଣ୍ଡିଆ’ ପଦକ୍ଷେପରେ ପ୍ରଭାବିତ ହୋଇଥିବା ଫ୍ରାନ୍ସ ଭାରତରେ ବୁଡାଜାହାଜ ନିର୍ମାଣ କରିବାକୁ ରାଜିନାମା ସ୍ୱାକ୍ଷର କରିଛି। ବିଶ୍ୱରେ ଆତଙ୍କବାଦ କାର୍ଯ୍ୟକଳାପ ବୃଦ୍ଧିକୁ ନିୟନ୍ତ୍ରଣ ପାଇଁ ଏହାର ପାଣ୍ଠି ଯୋଗାଣ ଉପରେ ଦୁଇଦେଶ ନଜର ରଖିବେ। ଇଣ୍ଟରନେଟ ମାଧ୍ୟମରେ ମୌଳବାଦର ପ୍ରଚାର ପ୍ରସାର ହେଉଥିବାବେଳେ ଏହାକୁ ନିୟନ୍ତ୍ରଣ କରିବାକୁ ଦୁଇଦେଶ ଏକାଠି କାର୍ଯ୍ୟ କରିବେ। ଫ୍ରାନ୍ସରେ ଶିକ୍ଷାଗତ ଡିଗ୍ରୀ ହାସଲ କରୁଥିବା ଭାରତୀୟମାନେ ଏଣିକି ସବୁଠାରେ ଗ୍ରହଣୀୟ ହେବେ। ଏଥିପାଇଁ ଫ୍ରାନ୍ସ ସରକାର ତାଙ୍କ ଶିକ୍ଷା ନୀତିରେ ପରିବର୍ତ୍ତନ କରିବେ ବୋଲି ରାଷ୍ଟ୍ରପତି ମାକ୍ରନ କହିଛନ୍ତି। ଏହିସବୁ କ୍ଷେତ୍ର ବ୍ୟତୀତ ଆଣବିକ ଶକ୍ତି, ପରିବେଶ, ସହରାଞ୍ଚଳ ବିକାଶ ଓ ରେଳବାଇ କ୍ଷେତ୍ରରେ ଦୁଇଦେଶ ରାଜିନାମା ସ୍ୱାକ୍ଷର କରିଛନ୍ତି।

ରାଜିନାମା ସ୍ୱାକ୍ଷର ପରେ ମିଳିତ ସାମ୍ବାଦିକ ସମ୍ମିଳନୀରେ ମାକ୍ରନ କହିଥିଲେ ଯେ ଆମର ଶକ୍ତିଶାଳୀ ନୌସେନା ରହିଛି। ଭାରତ ମହାସାଗରରେ ଚୀନର ଆଧିପତ୍ୟ ବିସ୍ତାର ଦ୍ୱାରା ଏହି ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବାଧାପ୍ରାପ୍ତ ହେବ। ତେଣୁ ଭାରତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବାକୁ ଏହା ପ୍ରତିଶ୍ରୁତିବଦ୍ଧ। ଏହି ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ଭାରତ ଏକ ପ୍ରମୁଖ ଅଂଶୀଦାର। ଦୁଇନେତାଙ୍କ ଆଲୋଚନା କାଳରେ ରାଷ୍ଟ୍ରପତି ମାକ୍ରନ ଫ୍ରାନ୍ସର ଏକ ରାଷ୍ଟ୍ରୀୟ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେବାକୁ ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି। ଫ୍ରାନ୍ସର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ୧୪୦ଜଣ ଭାରତୀୟ ସୈନିକଙ୍କୁ ସମ୍ମାନିତ କରିବା ଲାଗି ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଛି। ଆଜିର ଏହି କଥାବର୍ତ୍ତା କାଳରେ ରାଫେଲ ଯୁଦ୍ଧବିମାନ ବୁଝାମଣା ବାବଦରେ ଦୁଇନେତା କିଛି କହି ନଥିଲେ।

ମୋଦି ତାଙ୍କ ସମ୍ବୋଧନରେ କହିଥିଲେ ଯେ ସ୍ଥଳ ଠାରୁ ଆକାଶ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଦୁଇଦେଶ ପରସ୍ପରର ସହଯୋଗ କରିବେ। ସେ କହିଥିଲେ ଯେ ଭାରତ-ଫ୍ରାନ୍ସର ସାମରିକ ସମ୍ପର୍କ ୨୦ବର୍ଷର ପୁରୁଣା; ମାତ୍ର ଦୁଇଦେଶର ଆଧ୍ୟାତ୍ମିକ ସମ୍ପର୍କ ଶହଶହ ବର୍ଷର ପୁରୁଣା। ରବିବାର ହେବାକୁ ଯାଉଥିବା ଆନ୍ତର୍ଜାତିକ ସୌର ମେଣ୍ଟ ସମିତି ଅବସରରେ ଆହୁରି ଅନେକ ବୁଝାମଣା ସ୍ୱାକ୍ଷର କରିବାର ସମ୍ଭାବନା ରହିଛି। ଭାରତ ଓ ଫ୍ରାନ୍ସ ମିଳିତ ଭାବେ ଏହି ସୌର ସମିତିକୁ ଆୟୋଜନ କରୁଛନ୍ତି। ଏହି ସମିତିରେ ୨୩ଟି ଦେଶର ମୁଖ୍ୟ ଓ ୧୦ଟି ରାଷ୍ଟ୍ରର ବିଭାଗୀୟ ମନ୍ତ୍ରୀ ଯୋଗଦେବ।

Leave A Reply