www.samajalive.in
Tuesday, December 9, 2025
16.1 C
Bhubaneswar

ଭୂତ ନେଇଗଲା ବିଜୁଳିବତି; ଦେଢ଼ କୋଟି ଏଲଇଡ଼ି ନେଲା କିଏ?

ଭୁବନେଶ୍ବର: ପୂର୍ବରୁ ଭୂତ ନାଁରେ ଭତ୍ତା ଦିଆଯାଉଥିଲା । କେଉଁଠି କେଉଁଠି ଭୁତ ରାସ୍ତା, କୂଅ, ପୋଖରୀ ଗିଳି ଦେଉଥିବା ମଧ୍ୟ ଖବର ପ୍ରଚାରିତ ହେଉଥିଲା । କିଛି ସ୍ଥାନରେ ଭୂତ ହିତାଧିକାରୀ ନାଁରେ ଇନ୍ଦିରା ଆବାସ, ରାଜୀବ ଆବାସ, ବିଜୁ ପକ୍କା ଘର ବଣ୍ଟନ କଥା କୁହାଯାଉଥିଲା ।   ମାତ୍ର ଘର ଓ ଭତ୍ତା ନେବା ପରେ ଭୂତ ବିଜୁଳିବତି ବି ନେଇଯିବ ଏ କଥା କେହି କଳ୍ପନା କରି ନ ଥିଲେ  । ରାଜ୍ୟରେ ବଣ୍ଟନ ହେବାକୁଥିବା ପ୍ରାୟ ୪ କୋଟି ଏଲଇଡ଼ି ବିଜୁଳି ବତିରୁ ଭୂତମାନେ ସାଙ୍ଗସାଥୀଙ୍କ ସହ ମିଶି ପ୍ରାୟ କୋଟିଏରୁ ଅଧିକ ବିଜୁଳି ବତି (ଏଲଇଡ଼ି ବଲବ) ଗିଳି ଦେଇଛନ୍ତି । ସରକାର ଓ ବିଜୁଳି ଯୋଗାଣକାରୀ ସଂସ୍ଥା (ଡ଼ିସକମ୍) ମାନଙ୍କ ପରିସଂଖ୍ୟାନ ହିଁ ଏହି କଥା କହୁଛି ।

ରାଜ୍ୟ ସରକାର ଆରମ୍ଭ କରିଥିଲେ ଏକ ମହତ୍ବାକାଂକ୍ଷୀ ଯୋଜନା ‘ଆମ ଘରେ ଏଲଇଡ଼ି’ । ନିଜେ ମୁଖ୍ୟମନ୍ତ୍ରୀ ୨୦୧୯ ଜାନୁଆରୀ ୧୧ ତାରିଖରେ ଏହିଯୋଜନାକୁ ଉଦ୍ଘାଟନ କରିଥିଲେ । ‘ଆମ ଗାଁ, ଆମ ବିକାଶ’ରେ ଏହି ଯୋଜନା ଅନ୍ତର୍ଭୁକ୍ତ ଥିଲା ଏବଂ ୨୦୧୯ ଜାନୁଆରୀ ୧୫ ତାରିଖରୁ ଏହାକୁ ବିଧିବଦ୍ଧ କାର୍ଯ୍ୟକ୍ଷମ କରାଯାଇଥିଲା ।  ରାଜ୍ୟରେ ଖାଦ୍ୟ ନିରାପତ୍ତା ଆଇନରେ ଅନ୍ତର୍ଭୁକ୍ତ ୯୫ ଲକ୍ଷ ପରିବାରକୁ ୪ଟି ଲେଖାଏଁ ଏଲଇଡ଼ି ବଲବ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ।  ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ଥିଲା, ସମସ୍ତଙ୍କ ଘରେ କେବଳ ଉଜ୍ବଳ ବିଜୁଳି ଆଲୋକ ଜଳିବ ନାହିଁ, ଏହା ସହ ବିଜୁଳି ମଧ୍ୟ ସଞ୍ଚୟ ହୋଇ ପାରିବ ।

- Advertisement -

ପ୍ରତି ମାସରେ ‘ପିଠା’ ଶିବିର ଓ ଖାଉଟି ସାମଗ୍ରୀ ବଣ୍ଟନ କେନ୍ଦ୍ରରେ ଏହି ବିଜୁଳି ବତି ବଣ୍ଟନ କରାଯିବ ବୋଲି ତତକାଳୀନ ଶକ୍ତି ସଚିବ  ଏହି କାର୍ଯ୍ୟକ୍ରମର  ଉଦ୍ଘାଟନ  ଅବସରରେ  ଗଣମାଧ୍ୟମକୁ ସୂଚନା ଦେଇଥିଲେ ।  ସିଏଫଏଲ୍ ଓ ଅନ୍ୟ ବଲବ ତୁଳନାରେ ଏଲଇଡ଼ି ବ୍ୟବହାର କଲେ ବିଜୁଳି ବ୍ୟବାହାର ଅନ୍ୟୂନ ୨୦ରୁ ୩୦% ହ୍ରାସ ପାଇବ ବୋଲି ଆକଳନ କରାଯାଇଥିଲା । ଏହା ସହ ବିଜୁଳି ବଲବ ଉପରେ କମ୍ପାନୀ ୩ ବର୍ଷ ୱାରେଣ୍ଟି ଦେବାର ବ୍ୟବସ୍ଥା ଥିବାରୁ ଦୀର୍ଘମିଆଦୀ ଭାବରେ ଶକ୍ତି ସଞ୍ଚୟ ହେବ ବୋଲି ମଧ୍ୟ ସଚିବ କହିଥିଲେ ।

‘ଆମ ଘରେ ଏଲଇଡ଼ି’ ଯୋଜନା ନିମନ୍ତେ ରାଜ୍ୟ ସରକାର ପ୍ରାୟ ୨୫୦ କୋଟି ଟଙ୍କାର ବ୍ୟୟ ଅଟକଳ କରିଥିବା ତତକାଳୀନ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂହ ସୂଚନା ଦେଇଥିଲେ  ଏବଂ ୨୦୧୮ ରାଜ୍ୟ ବଜେଟରେ ଏଥିପାଇଁ ୧୨୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ତତ୍କାଳୀନ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଥିଲେ । ସେତେବେଳେ ବିଜେପି ଏହାକୁ କେନ୍ଦ୍ର ସରକାରଙ୍କ ‘ଉଜାଲା’ ଯୋଜନାରେ ଏଲଇଡ଼ି ବଣ୍ଟନର ‘ନକଲ’ ବୋଲି ମଧ୍ୟ ଛିଗୁଲେଇଥିଲା । ଯେହେତୁ କେନ୍ଦ୍ର ସରକାର ଏହା ପୂର୍ବରୁ  ଏଲ୍ଇଡ଼ି ବଣ୍ଟନ କାର୍ଯ୍ୟକ୍ରମ ‘ଉଜାଲା’ ଆରମ୍ଭ କରିଥିଲେ । ମାତ୍ର ଏହି ବଲବ ମାଗଣାରେ ମିଳୁ ନ ଥିଲା, ଗୋଟିକୁ ୭୦ ଟଙ୍କା ଦରରେ ବିକ୍ରି ହେଉଥିଲା ।

କେନ୍ଦ୍ର ସରକାରଙ୍କ ଜନଗଣନା ରିପୋର୍ଟ ଅନୁସାରେ ରାଜ୍ୟରେ ମୋଟ ପରିବାର ସଂଖ୍ୟା ୯୬.୬୧ ଲକ୍ଷ । ଏମାନଙ୍କ ମଧ୍ୟରୁ  ଗ୍ରାମାଞ୍ଚଳରେ ୮୧.୪୪ ଲକ୍ଷ ପରିବାର ରହୁଥିବାବେଳେ ସହରାଞ୍ଚଳରେ ଏହି ପରିବାର ସଂଖ୍ୟା ୧୫.୧୭ ଲକ୍ଷ । ରାଜ୍ୟ ସରକାର ମୋଟ ୯୬.୬୧ ଲକ୍ଷ ପରିବାର ମଧ୍ୟରୁ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ପ୍ରାୟ ୯୫ ଲକ୍ଷ ପରିବାରକୁ ୪ଟି ଲେଖାଏ ବିଜୁଳି ବତି ମାଗଣାରେ ଦେବାକୁ ବ୍ୟବସ୍ଥା କଲେ । ମାତ୍ର ପ୍ରସଙ୍ଗ ହେଉଛି ସବୁ ହିତାଧିକାରୀଙ୍କୁ ବିଜୁଳିବତି ବଣ୍ଟନ ହୋଇଛି ତ?  ଯେଉଁ ଗାଁକୁ ବିଜୁଳି ସଂଯୋଗ ଯାଇନାହିଁ, ଯାହା ଘରେ ବିଜୁଳି ନାହିଁ, ସେହି ହିତାଧିକାରୀଟି ବିଜୁଳି ବତି ନେଇ କଲା କ’ଣ? ଘରେ ବିଜୁଳି ସଂଯୋଗ ନ ଥିଲେ ବତୀ ଜଳିବ କେମିତି ?

୪ଟି ବିଜୁଳି ଯୋଗାଣକାରୀ ସଂସ୍ଥାଙ୍କ ପରିସଂଖ୍ୟାନ ଅନୁସାରେ ରାଜ୍ୟର ମୋଟ ବିଜୁଳି ଉପଭୋକ୍ତାଙ୍କ ସଂଖ୍ୟା ୬୮.୪୮ ଲକ୍ଷ। ସେସୁ ଅଧୀନରେ ୨୨.୩୧ ଲକ୍ଷ ଗ୍ରାହକ ଥିବାବେଳେ  ନେସ୍କୋ ବିଜୁଳି ଉପଭୋକ୍ତାଙ୍କ ସଂଖ୍ୟା ୧୫.୧୮ ଲକ୍ଷ । ଏମାନଙ୍କ ବ୍ୟତୀତ ୱେସ୍କୋର ଓ ସାଉଥକୋର ଉପଭୋକ୍ତାଙ୍କ ସଂଖ୍ୟା ଯଥାକ୍ରମେ ୧୪.୩୨ ଲକ୍ଷ ଓ ୧୬.୬୫ ଲକ୍ଷ । ରାଜ୍ୟର ମୋଟ ୬୮.୪୮ ଲକ୍ଷ ବିଜୁଳି ଉପଭୋକ୍ତାଙ୍କ ମଧ୍ୟରୁ ଇଏଚଟି ବର୍ଗ (କଳ କାରଖାନା, ଛୋଟ ଶିଳ୍ପ ସଂସ୍ଥା, ରେଳବାଇ ଓ ଅନ୍ୟାନ୍ୟ ଶିଳ୍ପ), ଏଚଟି (ଅଧିକ ବିଜୁଳି ବ୍ୟବହାର କରୁଥିବା ସଂସ୍ଥା, ଯଥା – ଜଳସେଚନ, କୃଷି ଓ ଆନୁଷଙ୍ଗିକ ବିଭାଗ, ପାନୀୟ ଜଳ ଯୋଗାଣ, ସ୍ବେରେଜ ଓ ଅଧିକ ବିଜୁଳି ବ୍ୟବହାର କରୁଥିବା ଘରୋଇ ଉପଭୋକ୍ତାଙ୍କୁ ବାଦ ଦେଲେ ) ଙ୍କୁ ବାଦ ଦେଲେ ଏଲଟି ଗ୍ରାହକ ବର୍ଗଙ୍କ ସଂଖ୍ୟା ପ୍ରାୟ ୬୦ ଲକ୍ଷ । ଏହିସ୍ଥିତିରେ ବିଜୁଳି ସଂଯୋଗ ନେଇ ନ ଥିବା କିମ୍ବା ବିଜୁଳି ସଂଯୋଗ ବ୍ୟବସ୍ଥା ନ ଥିବା ୩୫ ଲକ୍ଷ ପରିବାରକୁ ଏଲଇଡ଼ି ବଲବ କିଏ ଆଉ କାହିଁକି ଦେଲେ ତାହା ସବୁଠୁ ବଡ଼ ପ୍ରଶ୍ନ । ୩୫ ଲକ୍ଷ ପରିବାରକୁ ୪ଟି ଲେଖାଏଁ ବିଜୁଳି ବତି ହିସାବରେ ୧.୪ କୋଟି ବିଜୁଳି ବତିର ମୂଲ୍ୟ ସରକାରୀ ହିସାବରେ ୬୦ରୁ ୭୦ କୋଟି ଟଙ୍କା ହେବ । ଏହା କେଉଁଠି ଓ କାହା ହେପାଜତରେ ଅଛି ତାହା ଉତ୍ତର କାହାରି ପାଖରେ ନାହିଁ ।  ଶକ୍ତିମନ୍ତ୍ରୀ ଫୋନ୍ ଉଠାଉ ନାହାନ୍ତି, ଶକ୍ତି ସଚିବ ଫୋନ ବନ୍ଦ କରି ରଖିଛନ୍ତି । ଉତ୍ତର ମିଳିବ କେଉଁଠୁ ?

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories