କୋରାପୁଟ : ସୀମାକୁ ନେଇ ଉଭୟ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଲାଗି ରହିଥିବା ଓ କୋଟିଆ ମାମଲା ସୁପ୍ରିମକୋର୍ଟରେ ବିଚାରାଧିନ ଥିବାବେଳେ ସମଗ୍ର କୋଟିଆ ପଞ୍ଚାୟତକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିଛନ୍ତ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା। ଏ ନେଇ ସେ ଘୋଷଣା କରିବା ସହ ସାଂସଦ ଆଦର୍ଶ ଗ୍ରାମ ଯୋଜନାରେ କୋଟିଆର ସର୍ବାଙ୍ଗୀନ ବିକାଶ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।
ଓଡ଼ିଶା ସରକାରଙ୍କ ଅବହେଳା ଯୋଗୁଁ ସୀମାରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ସେ ଅଭିଯୋଗ କରିଛନ୍ତି। ରାଜରାସ୍ତା, ମୋବାଇଲ୍ ସେବା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ଦିଗରେ ଓଡ଼ିଶା ସରକାର ସୀମାନ୍ତବାସୀଙ୍କୁ ଅବହେଳା କରି ଚାଲିଥିବାବେଳେ ଏସବୁର ସୁଯୋଗ ନେଇ ଆନ୍ଧ୍ର ସରକାର ଲୋଭ ଦେଖାଉଥିବା ଓ ସୁବିଧା ଖୋଜି ସୀମାନ୍ତବାସୀ ଆନ୍ଧ୍ର ମୁହାଁ ହେଉଥିବା, ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କୁ ପଡ଼ୋଶୀ ଉପରେ ନିର୍ଭରଶୀଳ ହେବାକୁ ପଡ଼ୁଥିବା ଅଭିଯୋଗ କରିଛନ୍ତି। ଆମ ସରକାର ଭତ୍ତା କମ ଦେଉଥିବାବେଳେ ଆନ୍ଧ୍ର ସରକାର ଅଧିକ ଦେଉଛନ୍ତି, ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରତି ଆମ ସରକାର ଅଣଦେଖା କରୁଥିବାବେଳେ ସେପଟୁ ଦ୍ୱାର ମୁହଁରେ ପହଞ୍ଚୁଛି ବିକାଶ, ଧାନ ବିକ୍ରି ପାଇଁ ଆମ ଚାଷୀଙ୍କୁ ଘାଣ୍ଟି ହେବାକୁ ପଡ଼ୁଥିବା ଓ ଟଙ୍କା ପାଇଁ ଅପେକ୍ଷା କରିବାକୁ ପଡ଼ୁଥିବାବେଳେ ସେପଟେ ବିକ୍ରି କଲେ ଚାଷୀ ଖୁବ ସହଜରେ ଟଙ୍କା ପାଇପାରୁଛନ୍ତି। ଏପରି ଅନେକ ସମସ୍ୟା ରହିଛି ଯେଉଁଥିପ୍ରତି ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେବା ଦରକାର। ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି। ତେଣୁ ତୁରନ୍ତ ଓଡ଼ିଶା ସରକାର ଆନ୍ଧ୍ର ସରକାରଙ୍କ ସହ କଥାବାର୍ତ୍ତା ହୋଇ ଉଭୟ ଜିଲା ପ୍ରଶାସନ ସହାୟତାରେ ଆଲୋଚନା ମାଧ୍ୟମରେ ସୀମା ବିବାଦର ସମାଧାନ କରିବାକୁ ସେ ଆହ୍ୱାନ କରିଛନ୍ତି।



