ଜାତୀୟ ଯୁବ ଦୌଡ଼କୁଦ: ଜ୍ୟୋତ୍ସ୍ନାଙ୍କୁ ବ୍ରୋଞ୍ଜ୍
କଟକ : ଗୁଜରାଟର ବରୋଦାରେ ଚାଲିଥିବା ୧୫ତମ ଜାତୀୟ ଯୁବ (୧୮ ବର୍ଷରୁ କମ୍) ଦୌଡ଼କୁଦ ଚମ୍ପିଆନ୍ସିପରେ ସୋମବାର ୩ୟ ଦିନରେ ଓଡ଼ିଶାକୁ ମାତ୍ର ଗୋଟିଏ ପଦକ ମିଳିଛି। ଓଡ଼ିଶାର ଜ୍ୟୋତ୍ସ୍ନା ଶବର ଏକ ବ୍ରୋଞ୍ଜ୍ପଦକ ଜିତିଛନ୍ତି। ବାଳିକା ୪୦୦ ମିଟର ହର୍ଡଲ୍ସରେ ୩ୟ ସ୍ଥାନରେ ରହି ଜ୍ୟୋତ୍ସ୍ନା ଏହି ବ୍ରୋଞ୍ଜ୍ପଦକ ଜିତିଛନ୍ତି। ଏହି ଇଭେଣ୍ଟର ଫାଇନାଲରେ ଜ୍ୟୋତ୍ସ୍ନା ଶବର ୧ ମିନିଟ ୫.୮୨ ସେକେଣ୍ଡ ସମୟ ନେଇ ୩ୟ ସ୍ଥାନରେ ରହିଥିଲେ। ସ୍ୱର୍ଣ୍ଣପଦକ ଜିତିଥିବା କେରଳର ବିଷ୍ଣୁ ପ୍ରିୟା ୧ ମିନିଟ ୨.୫୨ ସେକେଣ୍ଡ ସମୟ ନେଇଥିବା ବେଳେ ରୌପ୍ୟପଦକ ଜିତିଥିବା କର୍ଣ୍ଣାଟକର ପ୍ରଜ୍ଞା କେ. ୧ ମିନିଟ୍ ୫.୦୮ ସେକେଣ୍ଡ ସମୟ ନେଇଥିଲେ। ସୋମବାର ଓଡ଼ିଶାର ମେଡ୍ଲେ ରିଲେ ଦଳ ୬ଷ୍ଠ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଥିବା ବେଳେ ବାଳିକା ୨୦୦ ମିଟର ଦୌଡ଼ରେ ଓଡ଼ିଶାର ସୁଖୀ ବାସ୍କେ ଫାଇନାଲରେ ୮ମ ସ୍ଥାନରେ ରହିଥିଲେ। ରବିବାର ଓଡ଼ିଶାର ପୁଙ୍ଗା ସୋରେନ୍ ସ୍ୱର୍ଣ୍ଣପଦକ ଜିତିଥିବା ବେଳେ ମନୀଷା ମେରେଲ ବ୍ରୋଞ୍ଜପଦକ ଜିତିଥିଲେ।