ଝଟକିଲେ ମହାବାହୁ
ପୁରୀ: ରଥଉପରେ ଦାରୁବ୍ରହ୍ମଙ୍କ ସୁନାବେଶ ସୋମବାର ଅନୁଷ୍ଠିତ ହୋଇଛି। ଭକ୍ତମୟ ହୋଇଛି ସମଗ୍ର ଶ୍ରୀକ୍ଷେତ୍ର। ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ଆକର୍ଷଣୀୟ ବେଶ ଦର୍ଶନ କରି ବିଭୋର ହୋଇଛନ୍ତି ଭକ୍ତ। ଶୃଙ୍ଖଳିତ ଓ ସମୟାନୁବର୍ତ୍ତୀ ନୀତିକାନ୍ତି ସମ୍ପନ୍ନ ହୋଇଛି। ଆଷାଢ ଶୁକ୍ଳ ଏକାଦଶୀ ତିଥିରେ ପ୍ରଭୁଙ୍କୁ ୧୪୦ ପ୍ରକାର ରତ୍ନଖଚିତ ସ୍ୱର୍ଣ୍ଣ ଅଳଙ୍କାର ଆଭୂଷଣ କରାଯାଇଛି। ଶ୍ରୀଜୀଉଙ୍କ ଏହି ଦୁର୍ଲଭ ବେଶରେ ଐଶ୍ୱର୍ଯ୍ୟ ଓ ମାଧୁର୍ଯ୍ୟର ଭାବ ପ୍ରକଟିତ ହୋଇଛି।
ଶ୍ରୀଭୁଜ ଓ ଶ୍ରୀପୟର ଲାଗି ହୋଇଛନ୍ତି ପରଂବ୍ରହ୍ମ। କାଳିଆ ଠାକୁରଙ୍କ ହାତରେ ଶଙ୍ଖଚକ୍ର ଏବଂ ବଳଭଦ୍ରଙ୍କ ହାତରେ ହଳମୂଷଳ ଶୋଭାପାଇଛି। ଆୟୁଧ ଭାବେ ତଡଗି ଧାରଣ କରିଛନ୍ତି ଦେବୀ ସୁଭଦ୍ରା। ପ୍ରାୟ ୧୦ଲକ୍ଷ ଭକ୍ତ ସୁନାବେଶ ଦର୍ଶନ କରି ଆନନ୍ଦରେ ଫେରିଛନ୍ତି। ରଥଉପରେ ସୋମବାର ଚତୁର୍ଦ୍ଧାମୂର୍ତ୍ତିଙ୍କ ମଙ୍ଗଳଆଳତି, ତଡ଼ପଲାଗି, ଅବକାଶ, ବେଶ, ଗୋପାଳବଲ୍ଲଭ, ସକାଳଧୂପ, ଯାତ୍ରାଙ୍ଗୀ ମହାସ୍ନାନ ଏବଂ ମଧ୍ୟାହ୍ନଧୂପ ଅନୁଷ୍ଠିତ
ହୋଇଥିଲା। ଏହାପରେ ପ୍ରଭୁଙ୍କୁ ଖଣ୍ଡୁଆପାଟ ଲାଗି କରାଯାଇଥିଲା। ସନ୍ଧ୍ୟା
ଆଳତି ପରେ ସେବକମାନେ ଚନ୍ଦନଲାଗି କରିଥିଲେ। ଶ୍ରୀମନ୍ଦିର ଭଣ୍ଡାରଘରୁ ସ୍ୱର୍ଣ୍ଣ ଅଳଙ୍କାର ଅଣାଯାଇ ପ୍ରଭୁଙ୍କୁ ସୁନାବେଶ କରାଯାଇଥିଲା। ଦିନ ୩ଟା ୩୫ରେ ସୁନାବେଶ ଆରମ୍ଭ ହୋଇ ୪ଟା ୪୫ରେ ସମ୍ପନ୍ନ ହୋଇଥିଲା।
ରଥ ଉପରେ ମହାପ୍ରଭୁ ୧୪୦ପ୍ରକାର ସ୍ୱର୍ଣ୍ଣ ଅଳଙ୍କାର ପରିଧାନ କରି ପ୍ରିୟଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଶ୍ରୀଜଗନ୍ନାଥଙ୍କୁ ସୁବର୍ଣ୍ଣ କିରୀଟ, ଶ୍ରୀଭୁଜ, ଶ୍ରୀପୟର, ଓଡ଼ିଆଣୀ, ଚନ୍ଦ୍ରସୂର୍ଯ୍ୟ, କାନ, ଆଡ଼କାନି, ଘାଗଡାମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠିମାଳି, ହରିଡା କଦମ୍ବମାଳି, ବାହାଡାମାଳି, ତାବିଜମାଳି, ସେବତିମାଳି ଏବଂ ତ୍ରିଖଣ୍ଡିକା କମରପଟି ଲାଗି କରାଯାଇଥିଲା। ଶ୍ରୀଭୁଜରେ ମହାପ୍ରଭୁ ସୁବର୍ଣ୍ଣଚକ୍ର ଏବଂ ରୌପ୍ୟ ଶଙ୍ଖ ଧାରଣ କରିଥିଲେ। ଶ୍ରୀବଳଭଦ୍ରଙ୍କୁ ସୁବର୍ଣ୍ଣ ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡାମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠିମାଳି, ହଳ ଓ ମୂଷଳ, ବାହାଡାମାଳି, ବାଘନଖିମାଳି, ସେବତିମାଳି ଓ ତ୍ରିଖଣ୍ଡିକା କମରପଟି ଲାଗି କରାଯାଇଛି। ଦେବୀ ସୁଭଦ୍ରା ସୁବର୍ଣ୍ଣ କିରୀଟ, ଓଡ଼ିଆଣୀ, କାନ, ଚନ୍ଦ୍ରସୂର୍ଯ୍ୟ, ଘାଗଡାମାଳି, କଦମ୍ବମାଳି, ତଡଗି ଏବଂ ସେବତିମାଳି ପରିଧାନ କରିଛନ୍ତି। ଏହି ବେଶରେ ଦାରୁବ୍ରହ୍ମଙ୍କୁ ଦର୍ଶନ କଲେ ଐଶ୍ୱର୍ଯ୍ୟପ୍ରାପ୍ତି ହୁଏ ବୋଲି ଭକ୍ତଙ୍କ ଅଖଣ୍ଡ ବିଶ୍ୱାସ ରହିଛି।
ଗହଳି ନିୟନ୍ତ୍ରଣ ପାଇଁ ୧୩୫ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ କରାଯାଇଛି। ଅତିରିକ୍ତ ପୁଲିସ ମହାନିର୍ଦେଶକ ସତ୍ୟଜିତ ମହାନ୍ତି, କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇଜି (ଆଇନଶୃଙ୍ଖଳା) ଅମିତାଭ ଠାକୁର, ଆଇଜି ସଞ୍ଜୀବ କୁମାର ପଣ୍ଡା, ଆଇଜି ଅସୀତ କୁମାର ପାଣିଗ୍ରାହୀ, ଡିଆଇଜି ହିମାଂଶୁ ଲାଲ, ରାଜେଶ ପଣ୍ଡିତ, ପୁରୀ ଏସ୍ପି ଡାକ୍ତର ସାର୍ଥକ କୁମାର ଷଡ଼ଙ୍ଗୀ, କମାଣ୍ଡାଣ୍ଟ ଅନିରୁଦ୍ଧ ସିଂହ ପ୍ରମୁଖ ବରିଷ୍ଠ ପୁଲିସ ଅଧିକାରୀମାନେ ଆଇନଶୃଙ୍ଖଳା ଏବଂ ଯାନବାହନ ଚଳାଚଳ ଅନୁଧ୍ୟାନ କରିଥିଲେ। ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ଓ ଜିଲାପାଳ ଅରବିନ୍ଦ ଅଗ୍ରୱାଲ ରଥକର୍ଡନ ଭିତରେ ରହି ଦର୍ଶନ ବ୍ୟବସ୍ଥା ତଦାରଖ କରିଛନ୍ତି।
ଗବେଷକଙ୍କ ମତ ଅନୁଯାୟୀ ଖ୍ରୀ.ଅ ୧୪୬୦ରୁ ରଥ ଉପରେ ମହାପ୍ରଭୁଙ୍କୁ ସୁନାବେଶ କରାଯାଇ ଆସୁଛି। ଏହାକୁ ବଡ଼ତଢାଉ ବେଶ କୁହାଯାଏ। ରାଜା କପିଳେନ୍ଦ୍ର ଦେବ ଦକ୍ଷିଣ ଭାରତ ବିଜୟକରି ବିପୁଳ ପରିମାଣର ସୁନାରୁପା, ହୀରାନୀଳା ଓ ମୋତିମାଣିକ୍ୟ ୧୬ଗୋଟି ହସ୍ତୀଉପରେ ଆଣିଥିଲେ। ତାହାକୁ ସେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦାନ କରିଥିଲେ। ଗଜପତି ମହାରାଜାଙ୍କ ଏପରି ଆଗ୍ରହ ଦେଖି ଶ୍ରୀଜୀଉଙ୍କୁ ସୁନାବେଶ କରିବା ପାଇଁ ବଡ଼ତଢଉ ସେବକ ପରାମର୍ଶ ଦେଇଥିଲେ। ସେହିବର୍ଷଠାରୁ ପ୍ରତିବର୍ଷ ରତ୍ନସିଂହାସନରେ ୪ଥର ଏବଂ ରଥ ଉପରେ ଗୋଟିଏ ଥର ସୁନାବେଶ କରାଯାଇ ଆସୁଛି।