ସୁଶାସନରେ କେରଳ ଶ୍ରେଷ୍ଠ ରାଜ୍ୟ

0

ବେଙ୍ଗାଲୁରୁ : ସୁଶାସନ କ୍ଷେତ୍ରରେ କେରଳ ଦେଶର ଶ୍ରେଷ୍ଠ ରାଜ୍ୟ ବିବେଚିତ ହୋଇଛି। ପବ୍ଲିକ ଆଫାୟାର୍ସ ସେଣ୍ଟର (ପିଏସି) ନାମକ ଥିଙ୍କଟ୍ୟାଙ୍କ ପକ୍ଷରୁ ପ୍ରକାଶିତ ପବ୍ଲିକ ଆଫାୟାର୍ସ ଇଣ୍ଡେକ୍ସ (ପିଏଆଇ)ରୁ ଏହା ଜଣାଯାଇଛି। ୨୦୧୬ ପରଠାରୁ କେରଳ ନିୟମିତ ଭାବେ ଏହି ପିଏଆଇର ତାଲିକାର ଶୀର୍ଷରେ ରହିଆସୁଛି। ବେଙ୍ଗାଲୁରୁସ୍ଥିତ ପିଏସି ଶନିବାର ତାର ଏହି ତାଲିକା ପ୍ରକାଶ କରିଛି। କେରଳ ପଛକୁ ତାମିଲନାଡୁ, ତେଲଙ୍ଗାନା, କର୍ଣ୍ଣାଟକ ଓ ଗୁଜରାଟ ରହିଛି। ଏହି ସୁଶାସନ କ୍ଷେତ୍ରରେ ସବୁଠାରୁ ତଳେ ରହିଥିବା ରାଜ୍ୟ ହେଲା ବିହାର, ମଧ୍ୟପ୍ରଦେଶ ଓ ଝାଡଖଣ୍ଡ।
୨କୋଟିର କମ୍‍ ଜନସଂଖ୍ୟା ବିଶିଷ୍ଟ ଛୋଟ ରାଜ୍ୟଗୁଡିକୁ ନେଇ ଅଲଗା ତାଲିକା ପ୍ରସ୍ତୁତ କରାଯାଇଛି। ଏହି ଛୋଟ ରାଜ୍ୟଗୁଡିକ ମଧ୍ୟରେ ସୁଶାସନ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି ହିମାଚଳ ପ୍ରଦେଶ। ଏହା ପଛକୁ ଗୋଆ, ମିଜୋରାମ, ସିକିମ୍‍ ଓ ତ୍ରିପୁରା ରହିଛନ୍ତି। ନାଗାଲାଣ୍ଡ, ମଣିପୁର ଓ ମେଘାଳୟ ତାଲିକାର ଶେଷ ଆଡକୁ ରହିଛନ୍ତି। ଦେଶର ସମସ୍ତ ରାଜ୍ୟକୁ ଏହି ଅନୁଧ୍ୟାନରେ ସାମିଲ କରାଯାଇଥାଏ। ୧୦ଟି ଦିଗକୁ ଧ୍ୟାନ ଦିଆଯାଇ ଏହି ତାଲିକା ପ୍ରସ୍ତୁତ କରାଯାଇଥାଏ। ସେଗୁଡିକ ହେଲା ମୌଳିକ ଭିତ୍ତିଭୂମି, ସାମାଜିକ ନିରାପତ୍ତା, ମହିଳା ଓ ଶିଶୁ କଲ୍ୟାଣ, ଆଇନ ଶୃଙ୍ଖଳା, ମାନବ କଲ୍ୟାଣ ପାଇଁ ରହିଥିବା ସୁବିଧାସୁଯୋଗ ଇତ୍ୟାଦି। ଦେଶର ରାଜ୍ୟଗୁଡିକୁ ଦୁଇଟି ଭାଗରେ ବିଭକ୍ତ କରାଯାଇ ତାଲିକା ପ୍ରସ୍ତୁତ କରାଯାଇଥାଏ। ଲୋକସଂଖ୍ୟା ଆଧାରରେ ରାଜ୍ୟଗୁଡିକୁ ଛୋଟ ଓ ବଡ ଭାବରେ ବିଭକ୍ତ କରାଯାଇଥାଏ। ୧୯୯୪ରେ ଭାରତର ବିଶିଷ୍ଟ ଅର୍ଥନୀତିଜ୍ଞ ସାମୁଏଲ ପଲ୍‍ ଏହି ଥିଙ୍କଟ୍ୟାଙ୍କର ଗଠନ କରିଥିଲେ। ଇସ୍ରୋର ପୂର୍ବତନ ଅଧ୍ୟକ୍ଷ କେ କସ୍ତୁରୀରଙ୍ଗନ ଏବେ ପିଏସିର ଅଧ୍ୟକ୍ଷ ଅଛନ୍ତି। ସୁଶାସନ ରାଜ୍ୟ ତାଲିକା ପ୍ରକାଶ ଅବସରରେ କସ୍ତୁରୀରଙ୍ଗନ କହିଛନ୍ତି ଯେ ଭାରତ ବିକାଶ ଜନସଂଖ୍ୟା ଦୃଷ୍ଟିରୁ ବୃଦ୍ଧି ପାଉଥିବାବେଳେ ବିକାଶ ଦିଗରେ ଆଗକୁ ବଢିବା ଦରକାର।

Leave A Reply