ପଟ୍ଟାମୁଣ୍ଡାଇରେ ବାହୁଡା ଯାତ୍ରା ବେଳେ ଅଘଟଣ, ରଥ ଚକାତଳେ ପଡି ଭକ୍ତଙ୍କ ପ୍ରାଣ ଗଲା

0

ପଟ୍ଟାମୁଣ୍ଡାଇ : ରବିବାରରେ ପଟ୍ଟାମୁଣ୍ଡାଇ ଅଞ୍ଚଳ ପୋଖରିଆପଡା ପତିତପାବନଜୀଉଙ୍କ ବାହୁଡାଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ରଥଚକା ତଳେ ପଡିଯିବାରୁ ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଛି। ବକ୍ତାରପୁର ମାଉସୀ ମା’ମନ୍ଦିରରୁ ବାହୁଡା ଯାତ୍ରା ଆରମ୍ଭ ହୋଇ ସନ୍ଧ୍ୟାରେ ପତିତପାବନ ମନ୍ଦିର ନିକଟରେ ରଥ ପହଞ୍ôଚବା ସମୟରେ ଏହି ଅଘଟଣ ଘଟିଥିଲା। ପ୍ରବଳ ଜନଗହଳି ମଧ୍ୟରେ ପତିତପାବନଜୀଉଙ୍କ ରଥକୁ ମନ୍ଦିର ବେଢାକୁ ନିଆଯିବା ସମୟରେ ରଥ ଟାଣୁଥିବା ଅଳଭା ଗ୍ରାମର ନିରାକାର ଜେନା (୫୫) ଭାରସାମ୍ୟ ହରାଇ ରଥଚକା ତଳେ ପଡି ଯାଇଥିଲେ। ରଥର ଗତି ତୀବ୍ରଥିବାରୁ ରଥକୁ ସେଠାରେ ଅଟକା ଯାଇପାରି ନଥିଲା। ଶ୍ରୀ ଜେନା ରଥର ବାମପଟ ଚକା ତଳେ ପଡିଯିବା ଫଳରେ ରଥର ଆଗଚକ ତାଙ୍କ ବେକ ଉପରେ ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ବାହୁଡାଯାତ୍ରାର ଅନ୍ତିମ ସମୟରେ ଏଭଳି ଅଘଟଣ ସମଗ୍ର ଅଞ୍ଚଳରେ ଗଭୀର ଶୋକରଛାୟା ଖେଳାଇ ଦେଇଛି। ମୃତ ଜେନାଙ୍କ ବିଧବା ପତ୍ନୀ ସହ ୨ଟି ଝିଅ ମଧ୍ୟରୁ ବଡଝିଅ ବିବାହ କରିଛି। ଜେନାଙ୍କ ଅକାଳ ବିୟୋଗରେ ସମଗ୍ର ପରିବାର ଶୋକାକୂଳ ହୋଇପଡିଛି। ଅଘଟଣ ପରେ ରଥାଋଢ ଶ୍ରୀଜୀଉମାନଙ୍କୁ ମହାସ୍ନାନ କରାଯାଇଛି। ଅନ୍ୟ ନୀତିକାନ୍ତି ବିଳମ୍ବିତ ରାତିରେ ସମ୍ପନ୍ନ କରାଯିବ ବୋଲି ପତିତପାବନ ମନ୍ଦିର ପରିଚାଳନା କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ଦାଶ ପ୍ରକାଶ କରିଛନ୍ତି। ବାହୁଡାଯାତ୍ରା ଉପଲକ୍ଷେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଘଟଣ ପରେ ବାତିଲ କରି ଦିଆଯାଇଛି। ରଥ ଦୁର୍ଘଟଣା ସମ୍ପର୍କରେ ଖବର ପାଇ କେନ୍ଦ୍ରାପଡା ଏସପି ନିତିଶେଖର, ଡିଏସପି କାର୍ତ୍ତିକଚନ୍ଦ୍ର ମଲ୍ଲିକ, ଏସଡିପିଓ ଉମାଶଙ୍କର ମହାରଣା, ତହସିଲଦାର ସରୋଜ ସ୍ୱାଇଁ, ଆଇଆଇସି ପ୍ରମୋଦ ମଲିକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଶୃଙ୍ଖଳା ବଜାୟ ରଖିବା ସହ ମୃତଶବକୁ ବ୍ୟବଛେଦ ପାଇଁ ପଠାଇଛନ୍ତି। ପୋଖରିଆପଡା ମନ୍ଦିର ପରିଚାଳନା କମିଟି ପକ୍ଷରୁ ୧୦ ହଜାର ଏବଂ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କଦ୍ୱାରା ଜିଲା ରେଡକ୍ରସପକ୍ଷରୁ ୧୦ ହଜାର ଟଙ୍କା ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ କରାଯାଇଛି।

Leave A Reply