କୁକୁର ହେଲା ସହର ମେୟର: ଆମେରିକାର ଏହି ସହରରେ ଫ୍ରେଞ୍ଚ ବୁଲଡ଼ଗ୍ ପ୍ରଜାତିକୁ ମିଳିଛି ୧୩୧୪୩ ଭୋଟ
ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ସାରା ବିଶ୍ବ ଚାହିଁ ବସିଛି । ଏ ପର୍ଯ୍ୟନ୍ତ ବାଇଡ଼େନ କିମ୍ବା ଟ୍ରମ୍ପ କିଏ ଜିତିବ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଆମେରିକାର ଏକ ଛୋଟ ସହର ରାବିଟ୍ ହାସ୍ ସହରବାସୀ ନିଜର ମେୟର ବାଛିଛନ୍ତି । ଫକ୍ସ ନ୍ୟୁଜ ଅନୁସାରେ ମେୟରଭାବରେ ଫ୍ରେଞ୍ଚ ବୁଲଡ଼ଗ୍ ପ୍ରଜାତିର ୱିଲବର ବିଷ୍ଟ ନାମକ କୁକୁରକୁ ସହରର ମେୟର ଭାବରେ ନିର୍ବାଚିତ କରିଛନ୍ତି । ରାବିଟ୍ ହାସର ହିଷ୍ଟୋରିକାଲ ସୋସାଇଟି ଅନୁସାରେ ୱିଲବର ବିଷ୍ଟକୁ ସର୍ବାଧିକ ୧୩୧୪୩ ଭୋଟ ମିଳିଛି । ଫେସବୁକ୍ ପୋଷ୍ଟରେ ହିଷ୍ଟୋରିକାଲ ସୋସାଇଟି ଏହା ଘୋଷଣା କରିଛି । ୱିଲବର ମୋଟ ୨୨୯୮୫ ଭୋଟରୁ ୧୩୧୪୩ ଭୋଟ ପାଇଥିବା ଏଥିରେ ଉଲ୍ଲେଖ କରାଯାଇଛି ।
ୱିଲବର ବିଗଲ୍ ପ୍ରଜାତିର କୁକୁର ଜ୍ୟାକ୍ ରାବଟକୁ ସିଧାସଳଖ ପ୍ରତିଦ୍ବନ୍ଦିତାରେ ପରାସ୍ତ କରିଛି । ଗୋଲଡ଼େନ୍ ରିଟ୍ରେଭର ପ୍ରଜାତିର କୁକୁର ୩ୟ ସ୍ଥାନ ଦଖଲ କରିଛି । ଅନୁରୂପ ଭାବରେ ସହରର ରାଷ୍ଟ୍ରଦୂତ ଭାବରେ ବିଜୟୀ ହୋଇଛି କଲି ପ୍ରଜାତିର କୁକୁର ଲେଡ଼ି ଷ୍ଟୋନ୍ । ଗତ ଥର ମଧ୍ୟ ଲେଡ଼ି ଷ୍ଟୋନକୁ ସହରବାସୀ ରାଷ୍ଟ୍ରଦୂତ ଭାବରେ ନିର୍ବାଚିତ କରିଥିଲେ ।
କେଣ୍ଟୁକି ଡଟ୍ କମ୍ ଖବର ଅନୁସାରେ ରାବିଟ୍ ହ୍ୟାସ ସହରବାସୀ ଓହିଓ ନଦୀ କୂଳରେ ଅନୌପଚାରିକ ଭାବରେ ୧୯୯୦ ମସିହାରୁ ସହରର ମେୟର ଭାବରେ କୁକୁରକୁ ମେୟର ଭାବରେ ନିର୍ବାଚିତ କରି ଆସୁଛନ୍ତି । ଏଥିପାଇଁ ଆୟୋଜକ ହିଷ୍ଟୋରିକାଲ ସୋସାଇଟିକୁ ସହର ବାସିନ୍ଦା ୧ ଡ଼ଲାର ଲେଖାଏଁ ଦାନ କରିବା ସହ ଭୋଟ ଦେଇଛନ୍ତି ।
Comments are closed.