www.samajalive.in
Monday, December 15, 2025
17.1 C
Bhubaneswar

ନୀଳ ଜହର କବଳରେ କନ୍ଧମାଳ, ଯେତେ କାଟିଲେ ବି ସରୁନି

ଫୁଲବାଣୀ : ନୀଳ ଜହର କବଳରେ କନ୍ଧମାଳ। ଯେତେ କାଟିଲେ ମଧ୍ୟ ସରୁନି। ଗୋଟିଏ ପଟେ ପୁଲିସ୍‍ ଓ ଅବକାରୀ ବିଭାଗ ହଜାର ହଜାର ଏକର ଜମିରୁ ଗଞ୍ଜେଇ ଗଛ କାଟୁଥିବା ବେଳେ ଗଛର ସତ୍ବ ଅଧିକାର ରହିଥିବା ବନ ବିଭାଗ ପାଖରେ କୌଣସି ପ୍ରକାର ଖୋଜଖବର ରହୁନି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ, ଗତ ଦିନରେ ଓ ବର୍ତ୍ତମାନ ମଧ୍ୟ ଅବକାରୀ ଓ ପୁଲିସ୍‍ ବିଭାଗ ପକ୍ଷରୁ ଯେଉଁ ଗଂଜେଇ ଗଛ କଟାଯାଇ ନଷ୍ଟ କରାଯାଉଛି ତାହା ସବୁ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ହିଁ କଟାଯାଉଥିବା ପୁଲିସ୍‍ ଓ ଅବକାରି ବିଭାଗ ସୂଚନା ଦେଇଛି। ଏକର ଏକର ସଂରକ୍ଷିତ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ବେଳେ ବନ ବିଭାଗ ପାଖରେ କିଭଳି ଖବର ରହୁନି ତାହା ମଧ୍ୟ ସମସ୍ତଙ୍କୁ ଚକିତ କରିଛି। ପୁଲିସ୍‍-ବନ ଓ ଅବକାରୀ ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ କନ୍ଧମାଳ ଜିଲାରେ ଦିନକୁ ଦିନ ଗଞ୍ଜେଇ ଚାଷ ବୃଦ୍ଧି ପାଉଛି। ଯେଉଁସବୁ ଅଞ୍ଚଳରେ ଗଞ୍ଜେଇ ଚାଷ କରାଯାଉଛି ସେସବୁ ଅଞ୍ଚଳର ନିର୍ବାଚିତ ଲୋକପ୍ରତିନିଧି ସହିତ ଅନ୍ୟ ଅଞ୍ଚଳର ଲୋକ ପ୍ରତିନିଧିଙ୍କୁ ନେଇ ପ୍ରଶାସନ ତୁହାକୁ ତୁହା ବୈଠକ ବସାଉଛି। ହେଲେ ଏହା କୌଣସି ମତେ ଗଞ୍ଜେଇ ଚାଷକୁ ରୋକିପାରୁନି। ଯେଉଁ ସବୁ ଅଞ୍ଚଳରେ ଗଞ୍ଜେଇ ଚାଷ ହେଉଛି ସେହିସବୁ ଅଞ୍ଚଳର ଲୋକ ପ୍ରତିନିଧିଙ୍କୁ ଏକ ସ୍ୱତନ୍ତ୍ର କ୍ଷମତା ଦିଆଯିବା ସହିତ ଚାଷ ସମ୍ପର୍କରେ ପ୍ରଶାସନକୁ ଅବଗତ କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଥିଲା। ଆଜି ପର୍ୟ୍ୟନ୍ତ ଜଣେ ମଧ୍ୟ ଏନେଇ ପ୍ରଶାସନକୁ ଅବଗତ କରିନଥିବା ରେକର୍ଡ଼ କହୁଛି। ଏଭଳି ସ୍ଥିତିରେ ଜିଲାର ବିିଭିନ୍ନ ଅଞ୍ଚଳରେ ଗଞ୍ଜେଇ ଚାଷକୁ ପ୍ରୋତ୍ସାହନ ଦେଉଛନ୍ତି ମାଫିଆ-ମାଓବାଦୀ-ମଧ୍ୟସ୍ଥିି।
କନ୍ଧମାଳ ଜିଲାର ୧୨ ଟି ବ୍ଳକରେ ୧୮ଟି ଥାନା ମଧ୍ୟରୁ ନିର୍ଦିଷ୍ଟ କେତେକ ଥାନା ଅଞ୍ଚଳରେ ହଜାର ହଜାର ଏକର ଜମିରେ ଏହି ଗଞ୍ଜେଇ ଚାଷ କରାଯାଉଥିବା ପ୍ରକାଶ। ଜିଲାର ଗୋଛାପଡ଼ା , ଫିରିଙ୍ଗିଆ, ସଦରଥାନା, ବାଲିଗୁଡ଼ା ଥାନା , ଖଜୁରିପଡ଼ା, ବେଲଘର , ତୁମୁଡ଼ିବନ୍ଧ , ଟିକାବାଲି , ସାରଙ୍ଗଡ଼ ଆଦି ଥାନା ଅଞ୍ଚଳର ଦୁର୍ଗମ ଓ ଅପହଞ୍ଚ ଇଲକାରେ ଗଞ୍ଜେଇ ଚାଷ କରାଯାଉଛି। କେଉଁଠି ମାଫିଆଙ୍କ କବଜାରେ ଆଦି ଥାନା ଅଞ୍ଚଳରେ ବ୍ୟାପକ ଭାବେ ଗଞ୍ଜେଇ ଚାଷ କରାଯାଉଥିବା ବେଳେ ଆଉ କେଉଁଠି ମାଓବାଦୀଙ୍କ ସମର୍ଥନରେ ଚାଲିଛି । ଏହି ସମସ୍ତଙ୍କ ପାଇଁ ରହିଛନ୍ତି ମଧ୍ୟସ୍ଥି। ଯେଉଁମାନେ କି ଗଞ୍ଜେଇ ଚାରା ପଡ଼ିବା ଠାରୁ ଉତ୍ପାଦନ ହେବା ପର୍ୟ୍ୟନ୍ତ ଦାୟିତ୍ୱ ବହନ କରିଥାନ୍ତି। ଜିଲାର ବିିଭିନ୍ନ ଅଞ୍ଚଳର ଶ୍ରୀପଦ୍ଧତିରେ ଗଞ୍ଜେଇ ଚାଷ କରାଯିବା ସହିତ ଅନେକ ଅଞ୍ଚଳରେ ବୈଜ୍ଞାନିକ ପଦ୍ଧତିରେ ଚାଷ ହେଉଛି। ନଦୀପଠାେ କିମ୍ବା ସଂରକ୍ଷିତ ଜଙ୍ଗଲରେ ଏହି ଜହର ଚାଷ ହୋଇଥାଏ । ଯେଉଁଠେ ବହୁ ଦାମିକିଆ ମଟର ପମ୍ପ ମଧ୍ୟ ବ୍ୟବହାର କରାଯାଇ ଗଂଜେଇ କିଆରିରେ ପାଣି ମଡ଼ାଯାଇଥାଏ। ଯେଉଁ ସବୁ ଅଞ୍ଚଳରେ ଗଞ୍ଜେଇ ଚାଷ କରାଯାଇଥାଏ ସେହି ସବୁ ଅଞ୍ଚଳରେ ଟ୍ରକ୍‍ ଟ୍ରକ୍‍ କମ୍ପୋଷ୍ଟଖତ ମଧ୍ୟ ଗଦା କରି ରଖାଯାଉଛି। ଗଞ୍ଜେଇ ଚାଷକୁ ବନ୍ଦ କରିବା ପାଇଁ ପ୍ରଶାସନ ଓ ପୁଲିସ୍‍ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ଏଥିରେ ବନବିଭାଗ କୌଣସି ପ୍ରକାର ପଦକ୍ଷେପ ନନେବା ଚିନ୍ତାର କାରଣ ହୋଇଛି।
ସେହିଭଳି ଅନେକ ସମୟରେ ଅବକାରୀ ବିଭାଗ ମଧ୍ୟ ବିଭିନ୍ନ ଅଞ୍ଚଳକୁ ଅଚାନକ ଭାବେ ଚଢା କରୁଥିଲେ ମଧ୍ୟ ଗଛଗୁଡ଼ିକ ପ୍ରାୟ ୧୦ ଫୁଟ ହେବା ପର୍ୟ୍ୟନ୍ତ କିିଭଳି ଭାବେ କାହାର ପାଖରେ କିଛି ଖବର ରହୁନି ତାହା ମଧ୍ୟ ସନ୍ଦେହ ଘେରରେ। ପୁଲିସ୍‍ ଗଛକାଟୁଥିଲେ ମଧ୍ୟ ମୂଳରୁ ଗଛ ଉପୁଡ଼ାଯାଉନଥିବାରୁ ତାହା ପରବର୍ତ୍ତୀ ସମୟରେ ଜୀବିତ ହୋଇ ଉଠୁଛି। ମାଫିଆ ଓ ମଧ୍ୟସ୍ଥିଙ୍କ ସହ କି ଛି ଦୁର୍ଦୀତିଗ୍ରସ୍ତ ସରକାରୀ କର୍ମଚାରୀ , ଅବକାରୀ ବିଭାଗର ଅନୁକମ୍ପା ଓ ବନ ବିଭାଗର ଅବହେଳ ଯୋଗୁ ଦିନକୁ ଦିନ କନ୍ଧମାଳ ଜିଲାରେ ଗଞ୍ଜେଇ ଚାଷ ଉନ୍ନତି ପ୍ରଣାଳୀରେ କରାଯାଉଛି।
ପୁଲିସ୍‍ ବିଭାଗରୁ ମିଳିଥିବା ଏକ ସୂଚନା ପ୍ରକାରେ ୨୦୧୯ ଅକ୍ଟୋବର ୩୧ ଠାରୁ ୨୦୨୦ ଅକ୍ଟୋବର ୩୧ ପର୍ୟ୍ୟନ୍ତ ଜିଲାର ବିଭିନ୍ନ ଥାନା ଅଞ୍ଚଳ​‌େ​‌ର ୫୨ ଥର ଗଂଜେଇ କଟାଯାଇ ୫୨ଟି ମାମଲା ରୁଜୁ ହେବା ସହିତ ୬୧୯୦ ଏକର ଜମିରେ ବେଆଇନ ଭାବେ ଲାଗିଥିବା ୪୨ କୋଟି ୪ ଲକ୍ଷ ୮୫ ହଜାର ୩୦୦ ଟି ଗଞ୍ଜେଇ ଗଛ କଟାଯାଇଥିବା ରେକର୍ଡ଼ରୁ ପ୍ରକାଶ। ତେବେ ଏହି ସବୁ ମାମଲାରେ ଜଣେ ମଧ୍ୟ ଗିରଫ ହୋଇନଥିବା ବେଳେ ଉଭୟ ଅବକାରୀ ଓ ପୁଲିସ୍‍ ବିଭାଗର ମିଳିତ କାର୍ୟ୍ୟାନୁଷ୍ଠାନରେ କିଛି ମୋଟର ପମ୍ପ ଓ ଅନ୍ୟ ସାମଗ୍ରୀ ଜବତ କରାଯାଇ ପାରିଛି। ଗଞ୍ଜେଇ ଚାଷ ସରଂକ୍ଷିଜ ଜଙ୍ଗଲ ହେଉ କି ରାଜସ୍ୱ ବିଭାଗର ବିିଭିନ୍ନ ସରକାରୀ ଜମିରେ ହେଉ ନିର୍ଦିଷ୍ଟ ଭାବେ କାହା ନାମରେ ଉକ୍ତ ଜମି ନଥିବା ଯୋଗୁ କାହାକୁ ଗିରଫ କରାଯାଇ ପାରୁନଥିବା ଏକ ସୂତ୍ରରୁ ପ୍ରକାଶ। ଚଳିତ ବର୍ଷ ମଧ୍ୟ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଗଞ୍ଜେଇ କଟା ଅଭିଯାନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଗୋଛାପଡ଼ା ଥାନା ଅଞ୍ଚଳରୁ ସଲାଗୁଡ଼ା ପଂଚାୟତ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରୁ ୧୩୫ ଏକର ଜମିରୁ ଗଞ୍ଜେଇ କଟା ସରିଥିବା ବେଳେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ପବିଙ୍ଗିଆ , ସାଇତିଙ୍ଗିଆ ଓ ମଗମୁଣ୍ଡା ଅଞ୍ଚଳରୁ ୧୪୦ ଏକର ଜମିରୁ ବେଆଇନ ଭାବେ ଲାଗିଥିବା ଗଞ୍ଜେଇ ଗଛକାଟି ନଷ୍ଟ କରାଯାଇଛି। ଆଜି ବାଲିଗୁଡ଼ା ଥାନା ଅନ୍ତର୍ଗତ ବିିଭନ୍ନ ଅଞ୍ଚଳରୁ ୯୦ ଏକର ଜମିରୁ ଗଂଜେଇ ଗଛକାଟି ନଷ୍ଟ କରାଯାଇଥିବା ବେଳେ ସଦରଥାନା ଅନ୍ତର୍ଗତ ରାମାଡ଼ି ,ସୁଜାପାଜୁ ,କାଡ଼୍ରାପଡ଼ା ,ସିଙ୍ଗାପଡ଼ା ଆଦି ଅଞ୍ଚଳର ଅବକାରୀ ଓ ପୁଲିସ୍‍ ବିଭାଗ ମିଳିତ ଭାବେ ୧୪୦ ଏକର ଜମିରୁ ଗଞ୍ଜେଇ ଗଛକାଟି ନଷ୍ଟ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories