ଖୋଲିଲା କୁଲଡିହା ଅଭୟାରଣ୍ୟ; ପର୍ଯ୍ୟଟକଙ୍କୁ ସ୍ୱାଗତ ଜଣାଇଲା ହରିଣ

ନୀଳଗିରି : ବାଲେଶ୍ୱର ଜିଲାର ଏକମାତ୍ର ଅଭୟାରଣ୍ୟ କୁହାଯାଉଥିବା ନୀଳଗିରିସ୍ଥିତ କୁଲଡିହା ନଭେମ୍ବର ୧ତାରିଖରେ ପର୍ଯ୍ୟଟକଙ୍କ ନିମନ୍ତେ ଖୋଲାଯାଇଛି। ଏନେଇ ପର୍ଯ୍ୟଟକଙ୍କ ମନରେ ଆନନ୍ଦର ଲହରୀ ଖେଳି ଯାଇଛି। ପ୍ରଥମ ଦିବସରେ ୫୦ରୁ ଊର୍ଦ୍ଧ୍ବ ପର୍ଯ୍ୟଟକ ଏହି ଅଭୟାରଣ୍ୟକୁ ପରିଭ୍ରମଣରେ ଆସିଥିବା ବେଳେ ଜଙ୍ଗଲ ରାସ୍ତାରେ ପ୍ରଥମେ ହରିଣ ପଲ ସେମାନଙ୍କୁ ସ୍ୱାଗତ କରିଥିବା ଚର୍ଚ୍ଚା ହେଉଛି।
୨୭୨.୭୫ବର୍ଗ କିମି ପରିବ୍ୟାପ୍ତ କୁଲଡିହା ଅଭୟାରଣ୍ୟ ଭିତରେ ଶତାଧିକ ହାତୀ, ବାଘ, ଭାଲୁ, ଗୟଳ, କୁଟରା, ହରିଣ, ସମ୍ବର, ବାର୍‍ହା ପ୍ରଭୃତି ବନ୍ୟଜନ୍ତୁଙ୍କ ସମେତ କୋଚିଳାଖାଇ, ମୟୂର, ଚିଲ, ଶୁଆ ପ୍ରଭୃତି ରଙ୍ଗବେରଙ୍ଗର ପକ୍ଷୀମାନେ ବାସ କରନ୍ତି। ଏକ ପ୍ରାକୃତିକ ପରିବେଶ ମଧ୍ୟରେ ବନ୍ୟଜନ୍ତୁଙ୍କୁ ଦେଖି ପର୍ଯ୍ୟଟକମାନେ ବିଭୋର ହୋଇ ଉଠିଛନ୍ତି। ବାଲେଶ୍ୱର ଡିଏଫଓ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦେଶକ୍ରମେ ଅଭୟାରଣ୍ୟର ଗୋହିରାଭୋଳ ଅଞ୍ଚଳ ଏନେଇ ଚଳଚଞ୍ଚଳ ହୋଇ ଉଠିଛି।

ଏଠାରେ ଥିବା ଟେଣ୍ଟ ଘରେ ରହଣି ଉଦେଶ୍ୟରେ ପର୍ଯ୍ୟଟକମାନେ ୱେବ୍‍ସାଇଟରୁ ବୁକିଂ ଆରମ୍ଭ କରିଦେଇଛନ୍ତି। ଚଳିତ ପର୍ଯ୍ୟଟନ ଋତୁରେ ଟେଣ୍ଟ ଘରେ ୨ଜଣଙ୍କ ପାଇଁ ପ୍ରବେଶ ଶୁଳ୍କକୁ ମିଶାଇ ମୋଟ ୩ହଜାର ୮୭୪ଟଙ୍କା ଧାର୍ଯ୍ୟ ରଖାଯାଇଛି। ଏଥିରେ ବନବିଭାଗ ପକ୍ଷରୁ ଖାଦ୍ୟ ଓ ରହଣି ବ୍ୟବସ୍ଥା କରାଯାଉଛି। ଅଭୟାରଣ୍ୟରେ ମାଂସ ନିଷେଦ୍ଧ କରାଯାଇଥିବା ଯୋଗୁ ମାଛ, ଅଣ୍ଡା, କଙ୍କଡ଼ା ପ୍ରଭୃତି ଆମିଷ ଖାଦ୍ୟ ପର୍ଯ୍ୟଟକଙ୍କ ଭୋଜନରେ ଦିଆଯାଉଛି। ସେହିପରି ପରିଭ୍ରମଣରେ ଯାଉଥିବା ପର୍ଯ୍ୟଟକଙ୍କ ଗାଡ଼ି ପିଛା ୧ଶହ ଟଙ୍କା, ମୁଣ୍ଡପିଛା ୪୦ଟଙ୍କା, ଷ୍ଟିଲ କ୍ୟାମେରା ୫୦ଟଙ୍କା, ପ୍ରୋଫେସନାଲ କ୍ୟାମେରା ୧ଶହ ଟଙ୍କା ଏବଂ ସିନେ କ୍ୟାମେରା ପାଇଁ ୫ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିଭଳି ବିଦେଶୀ ପର୍ଯ୍ୟଟକଙ୍କ ନିମନ୍ତେ ବୁକିଂ ଚାର୍ଜ ମଧ୍ୟ ସମାନ ରହିଥିବା ବେଳେ ସେମାନଙ୍କ ଷ୍ଟିଲ କ୍ୟାମେରା ପିଛା ୨ଶହ ଟଙ୍କା, ପ୍ରୋଫେସନାଲ କ୍ୟାମେରା ୨ହଜାର ଏବଂ ସିନେ କ୍ୟାମେରା ପାଇଁ ୧୦ହଜାର ଟଙ୍କା ଧାର୍ଯ୍ୟ ରଖାଯାଇଛି। ରବିବାର କୁଲଡିହା ଅଭୟାରଣ୍ୟର ପ୍ରବେଶ ପଥ କୁହାଯାଉଥିବା ଭାଲିଆନାଳ ଫାଟକରେ ରେଞ୍ଜର ବିଜୟ ମହାପାତ୍ର ଫିତା କାଟି ଉଦ୍‍ଘାଟନ କରିବା ପରେ ପର୍ଯ୍ୟଟକଙ୍କୁ ପୁଷ୍ପଗୁଛ ଦେଇ ଓ ମିଠା ଖୁଆଇ ସ୍ୱାଗତ କରାଯାଇଥିଲା।

ଚଳିତବର୍ଷ ପ୍ରଥମ ପର୍ଯ୍ୟଟକଭାବେ ପଶ୍ଚିମବଙ୍ଗ ରାଜ୍ୟର ଅର୍ପଣ ଭଟ୍ଟାଚାର୍ଯ୍ୟ ଏବଂ ତାଙ୍କ ସହଧର୍ମିଣୀ ଅନନ୍ୟା ମୁଖାର୍ଜୀ ଭିତରକୁ ପଶିଥିଲେ। ପରେ ପରେ ସୌମ୍ୟରଞ୍ଜନ ବେହେରା, ପଲ୍ଲବୀ ବାରିକ, ମିରାଶ୍ରୀ ବାରିକ, ପ୍ରଭାକର ବାରିକ, କଲ୍ୟାଣି ସେନାପତି ପ୍ରମୁଖ ଅଭୟାରଣ୍ୟକୁ ପଶିଥିଲେ। ସେମାନେ ଅଭୟାରଣ୍ୟ ଯିବା ରାସ୍ତାରେ ପ୍ରଥମେ ହରିଣକୁ ଦେଖିବାକୁ ପାଇଥିଲେ। କୁଲଡିହାର ଗଡ଼ସିମୁଳିଆ, କୁଲଡିହା ଡାକବଙ୍ଗଳା, ଯୋଡ଼ାଚୁଆ, ପୁରୁଣାପାଣି, ମୁଖଚତୁରୀ ଏବଂ ଭାଲିଆନାଳସ୍ଥିତ ରିଶିଆ ନେଚର୍ସ କ୍ୟାମ୍ପ ପ୍ରଭୃତି ଅଞ୍ଚଳରେ ପର୍ଯ୍ୟଟକମାନେ ପରିଭ୍ରମଣ କରଥିଲେ। ପର୍ଯ୍ୟଟକଙ୍କୁ ସ୍ୱାଗତ କରିବା ଉଦେଶ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରେଞ୍ଜର ଶ୍ରୀ ମହାପାତ୍ରଙ୍କ ସମେତ ଫରେଷ୍ଟର ଉମାକାନ୍ତ ଜେନା, ଗାର୍ଡ଼ ଭକ୍ତିଲତା ଦାସ, କୁଲଡିହା ଗାଇଡ୍‍ ମନୋରଞ୍ଜନ ଦାସ, କାର୍ତ୍ତିକ ଦାଶ ପ୍ରମୁଖ ସହଯୋଗ କରିଥିଲେ। ଗୋହିରାଭୋଳ ନେଚର୍ସ କ୍ୟାମ୍ପରେ ପର୍ଯ୍ୟଟକମାନେ ଭୋଜନ କରି ସନ୍ଧ୍ୟାରେ ଫେରିଥିବା ଦେଖିବାକୁ ମିଳିଛି।

Comments are closed.