ଲକ୍ଷ୍ନୌ : ଉତ୍ତର ପ୍ରଦେଶ ସରକାର ପର୍ଯ୍ୟଟକଙ୍କ ପାଇଁ ରାଜ୍ୟର ଜାତୀୟ ଉଦ୍ୟାନ ଓ ସଫାରୀ ଗୁଡ଼ିକୁ ରବିବାରଠାରୁ ଖୋଳିଛନ୍ତି। କୋଭିଡ୍-୧୯ ମହାମାରୀ ମଧ୍ୟରେ ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ପୂର୍ବ ନିର୍ଦ୍ଧାରିତ ସମୟର ୧୫ ଦିନ ପୂର୍ବରୁ ଏହାକୁ ଖୋଲି ଦେଇଛନ୍ତି। ରାଜ୍ୟ ଜଙ୍ଗଲ ମନ୍ତ୍ରୀ ଦାରା ସିଂହ ଚୌହାନ ପର୍ଯ୍ୟଟନ ଋତୁକୁ ଆଜି ଭର୍ଚୁଆଲ୍ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି।
ପୂର୍ବରୁ ରାଜ୍ୟର ଜାତୀୟ ଉଦ୍ୟାନ ଓ ସଫାରୀ ପ୍ରତିବର୍ଷ ନଭେମ୍ବର ୧୫ ତାରିଖରୁ ଖୋଲିଥାଏ ଏବଂ ପର୍ଯ୍ୟଟନ ଋତୁ ଜୁନ୍ ୧୫ ତାରିଖରେ ଶେଷ ହୋଇଥାଏ। କରୋନା ମହାମାରୀ ଓ ପରବର୍ତ୍ତୀ ଲକ୍ଡାଉନ୍ ଯୋଗୁଁ ଜାତୀୟ ଉଦ୍ୟାନ ମାର୍ଚ୍ଚ ମାସରୁ ବନ୍ଦ୍ ରହିଥିଲା। ଚଳିତ ଥର ମହାମାରୀ ଯୋଗୁଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଯେଉଁ ପର୍ଯ୍ୟଟକମାନଙ୍କ ଥର୍ମାଲ୍ ସ୍କାନିଂରେ କୋଭିଡ୍-୧୯ ସଂକ୍ରମଣର କୌଣସି ଲକ୍ଷଣ ନ ଥିବ, ସେମାନଙ୍କୁ କେବଳ ପାର୍କ ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ମିଳିବ। ପାର୍କ ଭିତରକୁ ପ୍ରବେଶ କରୁଥିବା ପ୍ରତ୍ୟେକ ପର୍ଯ୍ୟଟକ, ଗାଇଡ୍ ଓ ପରିଦର୍ଶନକାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।
ୟୁପିର ଦୁଧ୍ୱା ଜାତୀୟ ଉଦ୍ୟାନ, ପିଲିଭିତ ବ୍ୟାଘ୍ର ସଂରକ୍ଷଣ ଏବଂ କାତରନିଆ ଘାଟ ମଧ୍ୟ ଆଜିଠାରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଛି। ପିଲିଭିତ୍ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପନିର୍ଦ୍ଦେଶକ ନବୀନ ଖଣ୍ଡେଲେୱାଲ କହିଛନ୍ତି, ପର୍ଯ୍ୟଟକମାନଙ୍କୁ ସ୍ୱାଗତ କରିବାପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି।



