ଷ୍ଟିଙ୍ଗ୍‍ ଅପରେସନ୍‍ରେ ଧରାପଡ଼ିଲା ଲାଞ୍ଚ କାରବାର

0

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ କ୍ରିକେଟ୍‍ ଆସୋସିଏନ୍‍ (ୟୁପିସିଏ)ରେ ଦୁର୍ନୀତି ପ୍ରସଙ୍ଗ ପଦାକୁ ଆସିଛି। ୟୁପିସିଏର ନିର୍ଦେଶକ ଥିବା ରାଜୀବ ଶୁକ୍ଲାଙ୍କ ଅଧୀନରେ କାମ କରୁଥିବା ଜଣେ ବ୍ୟକ୍ତି ଉତ୍ତର ପ୍ରଦେଶ କ୍ରିକେଟ ଦଳରେ ଜନୈକ ଖେଳାଳିଙ୍କୁ ସାମିଲ କରିବା ପାଇଁ ଲାଞ୍ଚ ମାଗୁଥିବା ଏହି ଷ୍ଟିଙ୍ଗ୍‍ ଅପରେସନ୍‍ରୁ ଜଣା ପଡ଼ିଥିଲା। ଏହାପରେ ମାମଲାର ତଦନ୍ତ ବିସିସିଆଇର ଦୁର୍ନୀତି ନିବାରଣ ସଂସ୍ଥା କରିବ ବୋଲି ଘୋଷଣା କରାଯାଇଛି। ପୁଣି ତଦନ୍ତ ସରିବା ପର୍ଯ୍ୟନ୍ତ ଆକ୍ରମ୍‍ ସୈଫି ନାମକ ଉକ୍ତ ଅଧିକାରୀଙ୍କୁ ବିସିସିଆଇ ନିଲମ୍ବନ କରିଛି। ନିଲମ୍ବନ ପରେ ଆକ୍ରମ୍‍ ସୈଫି ଗୁରୁବାର ସନ୍ଧ୍ୟାରେ ଇସ୍ତଫା ଦେଇଛନ୍ତି।
ଏକ ହିନ୍ଦୀ ନ୍ୟୁଜ୍‍ ଚ୍ୟାନେଲ୍‍ ଦ୍ୱାରା କରା ଯାଇଥିବା ଷ୍ଟିଙ୍ଗ୍‍ ଅପରେସନ୍‍ ଅନୁଯାୟୀ; ଆଇପିଏଲ୍‍ ଅଧ୍ୟକ୍ଷ ତଥା ୟୁପିସିଏର ନିର୍ଦେଶକ ରାଜୀବ ଶୁକ୍ଲାଙ୍କ ଅଧୀନରେ କାମ କରୁଥିବା ଆକ୍ରମ ସୈଫି ନାମକ ବ୍ୟକ୍ତି ରାହୁଲ ଶର୍ମା ନାମକ ଜଣେ କ୍ରିକେଟ୍‍ରଙ୍କୁ ୟୁପି କ୍ରିକେଟ୍‍ ଦଳରେ ସାମିଲ କରିବାକୁ ଲାଞ୍ଚ ମାଗିଥିବା ଜଣା ପଡ଼ିଥିଲା। ଫୋନ୍‍ରେ ଆକ୍ରମ୍‍ ଲାଞ୍ଚ ମାଗୁଥିବା ଟେଲିଭିଜନ୍‍ରେ ପ୍ରଚାରିତ ହୋଇଥିଲା। ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ଘଟଣାର ତଦନ୍ତ ପାଇଁ ନିଜସ୍ୱ ଦୁର୍ନୀତି ନିବାରଣ ସଂସ୍ଥାକୁ ବିସିସିଆଇ ନିର୍ଦେଶ ଦେଇଥିବା ଜଣାପଡ଼ିଛି। ଏହାସହ ସୈଫିଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ ପାଇଁ ଏକ କମିଶନ୍‍ ବିସିସିଆଇ ନିଯୁକ୍ତ କରିବ। ବିସିସିଆଇ ପ୍ରଶାସକ କମିଟି (ସିଓଏ) ଓ ବିସିସିଆଇର ଅସ୍ଥାୟୀ ସଭାପତି ସି.କେ. ଖାନ୍ନାଙ୍କ ମଧ୍ୟରେ ଟେଲି କନ୍‍ଫରେନ୍‍ସ ଜରିଆରେ ଆଲୋଚନା ହୋଇଥିଲା ଏବଂ କମିଶନ ନିଯୁକ୍ତି ସମ୍ପର୍କରେ ନିଷ୍ପତ୍ତି ନିଆ ଯାଇଥିଲା। ଏହାସହ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ନେଇ ନିଜ ପକ୍ଷ ରଖିବାକୁ ଆକ୍ରମ୍‍ ସୈଫିଙ୍କୁ ବିସିସିଆଇ ନୋଟିସ୍‍ ଜାରିକରିଛି। ସୈଫିଙ୍କ ଜବାବକୁ ତଦନ୍ତ କମିଶନ୍‍ଙ୍କୁ ପ୍ରଦାନ କରାଯିବ।
ଏହି ଦୁର୍ନୀତି ଅଭିଯୋଗ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବିସିସିଆଇ ଦୁର୍ନୀତି ନିବାରଣ ସଂସ୍ଥା ମୁଖ୍ୟ ଅଜିତ ସିଂହ କହିଛନ୍ତି, ତଦନ୍ତ ଖୁବ୍‍ଶୀଘ୍ର ଆରମ୍ଭ କରାଯିବ। ସଂପୃକ୍ତ ଚ୍ୟାନେଲ୍‍କୁ ଅଡିଓ ଟେପ୍‍ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି। ପରେ ସମ୍ପୃକ୍ତ ଖେଳାଳି ରାହୁଲ ଶର୍ମାଙ୍କୁ ଘଟଣା ସଂପର୍କରେ ପଚରା ଉଚରା କରାଯିବ। ସୂଚନାଯୋଗ୍ୟ; ରାହୁଲ ଉତ୍ତର ପ୍ରଦେଶ ଦଳକୁ କେବେ ବି ପ୍ରତିନିଧିତ୍ୱ କରିନାହାନ୍ତି। ଦଳରେ ତାଙ୍କୁ ସାମିଲ କରିବାକୁ ଆକ୍ରମ୍‍ ଲାଞ୍ଚ ମାଗିଥିବା ରାହୁଲ ଅଭିଯୋଗ କରିଥିଲେ। ଏଥିସହ ଆକ୍ରମ୍‍ ଖେଳାଳିଙ୍କୁ ନକଲି ବୟସ ପ୍ରମାଣପତ୍ର ଯୋଗାଉଥିବା ରାହୁଲ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଆକ୍ରମ୍‍ ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କୁ ଫସାଇ ଦେବାକୁ ଉଦ୍ୟମ ହେଉଥିବା କହିଛନ୍ତି। ୟୁପିସିଏ ଯୁଗ୍ମ ସମ୍ପାଦକ ଯଦୁବୀର ସିଂହ କହିଛନ୍ତି, ବିସିସିଆଇ ଦ୍ୱାରା ହେବାକୁ ଥିବା ତଦନ୍ତକୁ ଆମେ ସ୍ୱାଗତ କରୁଛୁ। ଖେଳାଳି ମନୋନୟନରେ କୌଣସି ପ୍ରକାର ଦୁର୍ନୀତି ହୋଇନାହିଁ। ରାହୁଲ କେବେ ବି ରାଜ୍ୟ କ୍ରିକେଟ୍‍ ଦଳକୁ ପ୍ରତିନିଧିତ୍ୱ କରିନଥିବାରୁ ତାଙ୍କ ଅଭିଯୋଗରେ ସତ୍ୟତା ଥିବା ଭଳି ଲାଗୁନାହିଁ।

ଉତ୍ତର ପ୍ରଦେଶର ପୂର୍ବତନ ଅଧିନାୟକ ମହମ୍ମଦ କୈଫ୍‍ ଏହାକୁ ଏକ ଦୁର୍ଭାଗ୍ୟଜନକ ଘଟଣା ବୋଲି ଦର୍ଶାଇବା ସହ ରାଜୀବ ଶୁକ୍ଲା ଘଟଣାର ନିରପେକ୍ଷ ତଦନ୍ତରେ ସହଯୋଗ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି।

Leave A Reply