ମଝି ସମୁଦ୍ରରେ ଅଟକିଲା ଟ୍ରଲର

0

ପୁରୀ: ମଝି ସମୁଦ୍ରରେ ବିପଦରେ ଥିବା ଏକ ଟ୍ରଲରକୁ ଛାଡ଼ି ଉଦ୍ଧାରକାରୀ ଦଳ ଅଧାରୁ ଛୁ’ ମାରିଛନ୍ତି। ବିପଦପୂର୍ଣ୍ଣ ଅବସ୍ଥାରେ ଟ୍ରଲରରେ ଥିବା କର୍ମଚାରୀ ଆଶଙ୍କାରେ ଦିନ ଗଣୁଛନ୍ତି। ୨ଦିନ ଧରି ଲଗାଣ ବର୍ଷା, ପବନରେ ଆତଙ୍କିତ ଅବସ୍ଥାରେ ଥିବା ଟ୍ରଲର କର୍ମଚାରୀ ସହଯୋଗ ମାଗୁଥିଲେ ମଧ୍ୟ ଉଦ୍ଧାରକାରୀ ଦଳ ମଝି ସମୁଦ୍ରରେ ମୃତ୍ୟୁ ମୁଖକୁ ଛାଡ଼ିଦେଇ ପଳାଇଥିବା ଚର୍ଚ୍ଚାର ବିଷୟ ପାଲଟିଛି।
ମିଳିଥିବା ସୂଚନା ଅନୁଯାୟୀ ୪ଦିନ ପୂର୍ବେ ପୁରୀର ଜଣେ ବ୍ୟକ୍ତିଙ୍କ ଟ୍ରଲର ନେଇ ମତ୍ସ୍ୟଜୀବୀ ସମୁଦ୍ରକୁ ଯାଇଥିଲେ। ଲଘୁଚାପଜନିତ ବର୍ଷା ଯୋଗୁଁ ସମୁଦ୍ରକୁ ମତ୍ସଜୀବୀମାନେ ଡଙ୍ଗା ଓ ଟ୍ରଲର ନେଇ ନ ଯିବାକୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ୨ଦିନ ପୂର୍ବେ ଟ୍ରଲରଟି ଫେରୁଥିବା ବେଳେ ଅସ୍ତରଙ୍ଗ ନିକଟସ୍ଥ ମଝି ସମୁଦ୍ରରେ ହଠାତ୍‍ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଅସ୍ତରଙ୍ଗ ସାମୁଦ୍ରିକ ଥାନା ଏହି ଖବର ପାଇଥିଲେ ମଧ୍ୟ କର୍ମଚାରୀମାନେ ଅସହାୟତା ପ୍ରକାଶ କରିଥିଲେ। ସେମାନଙ୍କ ପାଖରେ ଆବଶ୍ୟକ ଯନ୍ତ୍ରପାତି ଓ ପ୍ରଶିକ୍ଷଣ ନେଇଥିବା କର୍ମଚାରୀ ନ ଥିବାରୁ ପୁଲିସ ବାଧ୍ୟ ହୋଇ ନିରବଦ୍ରଷ୍ଟା ସାଜିଛନ୍ତିି। ଅପରପକ୍ଷରେ ପାରାଦ୍ୱୀପରୁ ଏକ ଉଦ୍ଧାରକାରୀ ଦଳ ଆସିଥିଲେ ମଧ୍ୟ ସେମାନଙ୍କ ନିକଟରେ ଆବଶ୍ୟକ ଯନ୍ତ୍ରାଂଶ ନ ଥିବାରୁ ଟ୍ରଲରକୁ ଅସ୍ତରଙ୍ଗ ବେଳାଭୂମିଠାରୁ ପ୍ରାୟ ୫ କିଲୋମିଟର ଗଭୀର ସମୁଦ୍ରରେ ଛାଡ଼ିଦେଇ ପଳାଇଥିଲେ। ଏବେ ୨ଦିନ ଧରି ଟ୍ରଲର କର୍ମଚାରୀ ଭୋକ ଉପାସରେ ମଝି ସମୁଦ୍ରରେ ଭିତରେ ଭଗବାନଙ୍କ ଭରସାରେ ବସି ରହିଛନ୍ତି। ଏଭଳି ଆଶଙ୍କାରେ ରହିଥିବା ବ୍ୟକ୍ତିଙ୍କ ପରିବାରରେ ମଧ୍ୟ ଦୁଇ ଦିନ ଧରି ଚୁଲି ଜଳିନାହିଁ। ସମୁଦ୍ର ପଥରେ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ଉପକୂଳ ଅଞ୍ଚଳରେ ସାମୁଦ୍ରିକ ଥାନା ପ୍ରତିଷ୍ଠା କରିଛନ୍ତି। ଥାନାରେ ନିୟୋଜିତ କର୍ମଚାରୀଙ୍କୁ କୌଣସି ପ୍ରଶିକ୍ଷଣ ଦିଆଯାଇନଥିବା ବେଳେ ଆବଶ୍ୟକ ସୁବିଧା ସୁଯୋଗ ନଥିବାରୁ ଅସୁବିଧାରେ ପଡୁଥିବା ଲୋକଙ୍କୁ ସାହାଯ୍ୟ କରିବା ସମ୍ଭବପର ହେଉନାହିଁ। ଏପରିକି ସେମାନଙ୍କୁ ଦିଆଯାଇଥିବା ବୋଟ୍‍ରେ ମଧ୍ୟ ତ୍ରୁଟି ରହିଛି। ପର୍ଯ୍ୟାପ୍ତ ଡିଜେଲ ଅଭାବରୁ ଦୈନିକ ସମୁଦ୍ରରେ ପାଟ୍ରୋଲିଂ ହେଉନାହିଁ। ଏପରି ପରିସ୍ଥିତିରେ ସମୁଦ୍ରରେ ସାମୁଦ୍ରିକ ଥାନା ପୁଲିସ କିପରି କାର୍ଯ୍ୟ କରୁଛି ଓ ସରକାରଙ୍କ ଯୋଜନା କେତେ ସଫଳ ହୋଇଛି ତାହା ସ୍ପଷ୍ଟ ଅନୁମେୟ।

Leave A Reply