ଜବରଦଖଲକାରୀଙ୍କୁ ମିଳିବ ଜମି

0

ଭୁବନେଶ୍ୱର:ବସ୍ତିବାସିନ୍ଦାଙ୍କ ଲାଗି ନିକଟରେ ସରକାର ମାଗଣାରେ ଜମି ଯୋଗାଇବାପାଇଁ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଥିବାବେଳେ ଏବେ ଜବରଦଖଲକାରୀଙ୍କୁ ନିର୍ଦିଷ୍ଟ ପରିମାଣର ଜମି ଯୋଗାଇବାପାଇଁ ଅଣ୍ଟା ଭିଡ଼ିଛନ୍ତି। ଆପତ୍ତିବିହୀନ ଜମିକୁ ନିୟମିତ କରିବାପାଇଁ ସରକାର ଏକ ଚିଠା ପ୍ରସ୍ତୁତ କରିଛନ୍ତି। ଏନେଇ ଆସନ୍ତା ୧୯ତାରିଖରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ବୈଠକର ନିର୍ଯାସକ୍ରମେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି।
ମଙ୍ଗଳବାର ସଚିବାଳୟରେ ଶ୍ରୀ ମହାନ୍ତି ଗଣମାଧ୍ୟମକୁ କହିଛନ୍ତି ଯେ ଯେଉଁ ଜମିଗୁଡିକ ସିଆର୍‍ଜେଡ ନିୟମ ଉଲ୍ଲଘଂନ କରୁ ନଥିବ, ଜଙ୍ଗଲ ଆଇନ ପରିସରଭୁକ୍ତ ହୋଇ ନଥିବ କିମ୍ବା ସରକାରୀ ରାସ୍ତା ଓ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହୃତ୍‍ ହେଉ ନଥିବ ସେହି ଜମିକୁ ସରକାର ସାଧାରଣ ଲୋକଙ୍କୁ ମାଲିକାନା ଦେବାପାଇଁ ଚିନ୍ତା କରିଛନ୍ତି। ଦୀର୍ଘବର୍ଷ ଧରି ସରକାରୀ ଜମି ଜବରଦଖଲ ରହିବା ଦ୍ୱାରା ସରକାରୀ ରାଜସ୍ୱ ବୃଦ୍ଧି ହେଉନାହିଁ। ଏହାକୁ ନିୟମିତ କରି ସାଧାରଣ ଜନତାଙ୍କୁ ନିର୍ଦିଷ୍ଟ ପରିମାଣର ଜମି ଯୋଗାଇବାକୁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାଦ୍ୱାରା ରାଜ୍ୟର ଯେଉଁସବୁ ଅଞ୍ଚଳରେ ଲୋକେ ସରକାରୀ ଜମି ଉପରେ ବାସଗୃହ କରିଥିବେ ଏବଂ ସେଠାରେ କାହାର ଆପତ୍ତି ଅଭିଯୋଗ ନଥିବ ସେଗୁଡିକୁ ତଦନ୍ତ କମିଟିର ରିପୋର୍ଟ ଆଧାରରେ ସରକାରୀ ମୂଲ୍ୟାୟନ ଦେଇ ନିୟମିତ କରାଯିବ ବୋଲି ସେ କହିଛନ୍ତି।

Leave A Reply