କାର୍ତ୍ତିଙ୍କୁ ଇଡି ଗିରଫଦାରୀରୁ ଅନ୍ତରୀଣ ସୁରକ୍ଷା

0

ନୂଆଦିଲ୍ଲୀ : ବେଆଇନ ଅର୍ଥ କାରବାର ମାମଲାରେ ସିବିଆଇ ଦ୍ୱାରା ଗିରଫ କାର୍ତ୍ତି ଚିଦମ୍ବରମଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଶୁକ୍ରବାର ଆଶ୍ୱସ୍ତି ମିଳିଛି । ମାର୍ଚ୍ଚ ୯ରେ ତାଙ୍କ ସିବିଆଇ ରିମାଣ୍ଡ ଶେଷ ହେଉଛି । ଏହା ପରେ ଟ୍ରାଏଲ କୋର୍ଟରେ ଜାମିନ୍‌ ପାଇଲେ ତାଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି) ଗିରଫ କରିବାର ଆଶଙ୍କା ରହିଥିଲା । ଏହି ମାମଲାରେ ଇଡିଙ୍କ ଦ୍ୱାରା ଗିରଫଦାରୀକୁ ଏଡାଇବା ଲାଗି କାର୍ତ୍ତି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ବିଚାରପତି ଏସ୍‌. ରବିନ୍ଦ୍ର ଭଟ୍ଟ ଏହି ଆବେଦନର ଶୁଣାଣି କରି କାର୍ତ୍ତିଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ ପୂର୍ବକ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ତାଙ୍କୁ ଗିରଫଦାରୀକୁ ଅଟକାଇ ଦେଇଛନ୍ତି । ଅର୍ଥାତ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ତାଙ୍କୁ ଇଡି ଗିରଫ କରିପାରିବ ନାହିଁ । ମୁମ୍ବଇସ୍ଥିତ ଆଇଏନ୍‌ଏକ୍ସ ମିଡିଆକୁ ବୈଦେଶିକ ନିବେଶ ପ୍ରୋତ୍ସାହନ ବୋର୍ଡ (ଏଫ୍‌ଆଇପିବି) କ୍ଲିୟରାନ୍ସ ପ୍ରଦାନ ଲାଗି ୩.୫ କୋଟି ଟଙ୍କା ଲାଞ୍ଚ ନେଇଥିବାର କାର୍ତ୍ତିଙ୍କ ବିରୋଧରେ ଅଭିଯୋଗ ରହିଛି। ଏହି ମାମଲାରେ ଫେବୃଆରୀ ୨୮ରେ ତାଙ୍କୁ ଚେନ୍ନାଇ ବିମାନ ବନ୍ଦରରୁ ଗିରଫ କରାଯାଇଥିଲା। ସିବଆଇ ହାଜତରେ ଥିବାବେଳେ ଇଡ଼ି ପକ୍ଷରୁ ତାଙ୍କୁ ସମନ କରାଯାଇଥିଲା । ଫଳରେ ଜାମିନ୍‌ ପରେ ତାଙ୍କୁ ଇଡ଼ି ଗିରଫ କରିବାର ଆଶଙ୍କା ରହିଥିଲା । ଏହି ମାମଲାରେ ଇଡିଙ୍କ ଦ୍ୱାରା ଗିରଫଦାରୀକୁ ଏଡାଇବା ଲାଗି ଅନ୍ତରୀଣ ସୁରକ୍ଷା ଦେବାକୁ କାର୍ତ୍ତି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ସୁପ୍ରିମକୋର୍ଟ କାର୍ତ୍ତିଙ୍କ ଆବେଦନକୁ ଖାରଜ କରି ହାଇକୋର୍ଟରେ ଆବେଦନ କରିବାକୁ କହିଥିଲେ। ଏହି କ୍ରମରେ ଗୁରୁବାର କାର୍ତ୍ତି ହାଇକୋର୍ଟରେ ଆବେଦନ କରିଥିଲେ ।

Leave A Reply