ଲଘୁଚାପ ଛତିଶଗଡ଼ ମୁହାଁ

0

ଭୁବନେଶ୍ୱର : ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତ ୭୨ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ମୌସୁମି ପ୍ରଭାବରେ ସକ୍ରିୟ ଥିବା ଲଘୁଚାପ ଏବେ ଛତିଶଗଡ଼ ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳକୁ ଗତି କରିଥିବା ସୂଚନା ମିଳିଛି। ଲଘୁଚାପ ପଶ୍ଚିମ ଉତ୍ତର ପଶ୍ଚିମରେ ଗତି କରିବାର ସମ୍ଭାବନା ରହିଛି। ମୌସୁମି ଟ୍ରଫ ଲାଇନ ଲଘୁଚାପ କେନ୍ଦ୍ର ଦେଇ ଅତିକ୍ରମ କରିଥିବାବେଳେ ଏହାର ପ୍ରଭାବରେ ପରବର୍ତ୍ତୀ ୪୮ଘଣ୍ଟାରେ ଛତିଶଗଡ଼ ଓ କେନ୍ଦ୍ରୀୟ ଭାରତରେ ଅଧିକ ବର୍ଷାର ସମ୍ଭାବନା ରହିଛି। ଓଡ଼ିଶା ଉପରୁ ଲଘୁଚାପ ଦୂରେଇ ଯାଇଥିଲେ ହେଁ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଆସନ୍ତା ୪୮ଘଣ୍ଟା ସମୁଦ୍ର ଅଶାନ୍ତ ରହିବ। ତେଣୁ ଏହି ସମୟରେ ମତ୍ସ୍ୟଜୀବୀ ସମୁଦ୍ରକୁ ନଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଉତ୍ତର ଓଡ଼ିଶା ଉପକୂଳରେ ଅଉ ଏକ ଲଘୁଚାପ ସୃଷ୍ଟି
ହେବାର ସମ୍ଭାବନା ରହିଛି। ଏହା ଆସନ୍ତା ୨୧ତାରିଖରେ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ ବୋଲି ଅନୁମାନ କରାଯାଉଛି।
ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଛି। କଟକରେ ସର୍ବାଧିକ ୫୬ମିମି ବର୍ଷା ହୋଇଥିବାବେଳେ ଚାନ୍ଦବାଲିରେ ୫୩, ଭୁବନେଶ୍ୱରରେ ୧୦ ମିମି ବର୍ଷା ହୋଇଛି। ଗୋପାଳପୁର, ଝାରସୁଗୁଡ଼ା, ତାଳଚେର, ଭବାନିପାଟଣା ଓ ଫୁଲବାଣୀରେ ମଧ୍ୟମ ଧରଣର ବର୍ଷା ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ପରବର୍ତ୍ତୀ ଦୁଇଦିନରେ ବର୍ଷା ପରିମାଣ ସାମାନ୍ୟ କମିବ ବୋଲି ଆକଳନ କରାଯାଇଛି। ଆସନ୍ତା ୨୧ତାରିଖ ପରଠାରୁ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ବନ୍ୟା ପରିସ୍ଥିତି ପାଇଁ ସରକାର ସମ୍ପୂର୍ଣ୍ଣ ସଜାଗ: ରାଜସ୍ୱ ମନ୍ତ୍ରୀ

ରାଜ୍ୟର ଗତ ଦୁଇଦିନ ଧରି ପ୍ରାୟ ୨୧ଟି ଜିଲାରେ ବର୍ଷା ହୋଇଥିଲେ ମଧ୍ୟ ଏପର୍ୟ୍ୟନ୍ତ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ। ବର୍ଷାର ରେକର୍ଡ କରିବାପାଇଁ ବିପର୍ୟ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ନିୟନ୍ତ୍ରଣ କକ୍ଷ ଖୋଲାଯାଇ ପ୍ରତି ମୁହୁର୍ତ୍ତରେ ବିଭିନ୍ନ ନଦୀରେ କେତେ ପାଣି ବଢ଼ୁଛି ତାହା ରେକର୍ଡ କରାଯାଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ୨୦ ଓ ୨୧ ତାରିଖ ଆଡକୁ ବର୍ଷା ହେବ ବୋଲି ପ୍ରାକ୍‍ ସୂଚନା ମିଳୁଛି। ଯଦି ପ୍ରବଳ ବର୍ଷା ହୁଏ ବା ବନ୍ୟା ପରିସ୍ଥିତି ଦେଖାଦିଏ ତେବେ ମୁକାବିଲା କରିବାପାଇଁ ସବୁ ଜିଲାପାଳଙ୍କୁ ଆଗୁଆ ସତର୍କ ନିର୍ଦେଶ ଦିଆଯାଇଛି ବୋଲି ରାଜସ୍ୱ ଓ ବିପର୍ୟ୍ୟୟ ପ୍ରଶମନ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି।
ମଙ୍ଗଳବାର ସଚିବାଳୟରେ ଶ୍ରୀ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଏବେ ବି ଦେବଗଡ଼,କେନ୍ଦ୍ରାପଡା ଓ ସୁନ୍ଦରଗଡ଼ ଭଳି କେତେକ ଜିଲାରେ ବର୍ଷାର ପ୍ରଭାବ ନାହିଁ। ମାତ୍ର ରବିବାର ବଂଶଧାରାର ଗୋଟିଏ ସ୍ଥାନରେ ପାଣି ବିପଦ ସଙ୍କେତ ପର୍ୟ୍ୟନ୍ତ ଆସିଥିଲା। ମାତ୍ର ଗତକାଲି ସୁଦ୍ଧା ପାଣି ଛାଡି ଯାଇଛି ଏବଂ ସେଭଳି କିଛି ପରିସ୍ଥିତି ନାହିଁ। କଳାହାଣ୍ଡିର ଭବାନୀପାଟଣା ବ୍ଲକରେ ଚଳିତବର୍ଷ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ ହୋଇଛି। ଏହାବାଦ୍‍ ରାୟଗଡା ଓ ଅନ୍ୟାନ୍ୟ ଜିଲାରେ କେବଳ ବର୍ଷା ଜଳ ଜମି ରହିଥିବା ଯୋଗୁଁ ସମସ୍ୟା ସୃଷ୍ଟି କରୁଥିଲା । ଏବେ ରାଜ୍ୟର କୌଣସି ନଦୀରେ ବନ୍ୟା ପରିସ୍ଥିତି ଉପୁଜି ନାହିଁ। ଯଦି ସେଭଳି କିଛି ପରିସ୍ଥିତି ଆଗାମୀ ଦିନରେ ଦେଖାଦିଏ ତେବେ ଜିଲାପାଳମାନଙ୍କୁ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ସହିତ ସଜାଗ ରହିବାକୁ କୁହାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମହାନ୍ତି କହିଛନ୍ତି।

Leave A Reply