୧୯ରେ ଲୋକପାଳ ମନୋନୟନ କମିଟି ବୈଠକ
ନୂଆଦିଲ୍ଲୀ : ଜୁଲାଇ ୧୯ରେ ଲୋକପାଳ ମନୋନୟନ କମିଟିର ବୈଠକ ବସିବ। ଏଥିରେ ବିସ୍ତୃତ ଆଲୋଚନା ପରେ କମିଟି ଲୋକପାଳ ପଦରେ ନିଯୁକ୍ତି ଲାଗି ଏକ ନାମ ତାଲିକା ସୁପାରିସ କରିବ ବୋଲି କେନ୍ଦ୍ର ସରକାର ମଙ୍ଗଳବାର ସୁପ୍ରିମକୋର୍ଟଙ୍କୁ ଅବଗତ କରିଛନ୍ତି। କମିଟିର ଆଗାମୀ ବୈଠକକୁ ଦୃଷ୍ଟିରେ ରଖି ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ଲୋକପାଳ ନିଯୁକ୍ତି ସମ୍ବନ୍ଧୀୟ ଏକ ଅଦାଲତ ଅବମାନନା ଆବେଦନ ଉପରେ କୌଣସି ନିର୍ଦେଶ ଦେବାକୁ ମନା କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୪ରେ ହେବ। ଏହି ମନୋନୟନ କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଦୀପକ ମିଶ୍ର, ଲୋକସଭା ଅଧ୍ୟକ୍ଷ, ବିରୋଧୀ ଦଳର ନେତା ଏବଂ ଜଣେ ବିଶିଷ୍ଟ ଆଇନଜୀବୀ ସାମିଲ ଅଛନ୍ତି। ଲୋକପାଳ ନିଯୁକ୍ତି ଲାଗି ୨୦୧୭ ଏପ୍ରିଲ ୨୪ରେ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଥିବା ବେଳେ ଏଥିରେ ଖିଲାପ ହୋଇଥିବା ଅଭିଯୋଗ କରି ଅଣ-ସରକାରୀ ସଂସ୍ଥା ‘କମନ କଜ୍’ ପକ୍ଷରୁ ବରିଷ୍ଠ ଓକିଲ ଶାନ୍ତି ଭୂଷଣ ଏହି ଅଦାଲତ ଅବମାନନା ଆବେଦନ କରିଥିଲା।