www.samajalive.in
Monday, December 8, 2025
16.1 C
Bhubaneswar

ପ୍ରସଙ୍ଗ ଗୌଣ, ଚର୍ଚ୍ଚାରେ ସଂକ୍ରମଣ

-ଦୁଇଦିନରେ ବାହାରିଲେଣି ୧୮୪ ଆକ୍ରାନ୍ତ
-ଉପବାଚସ୍ପତିଙ୍କ ସମେତ ୩ ମନ୍ତ୍ରୀ, ୧୦ ବିଧାୟକ ଆକ୍ରାନ୍ତ
-ବିଜେଡିର ୧୨କୁ ବିଜେପିର ୨ ସଦସ୍ୟ ଆକ୍ରାନ୍ତ
-ଆଜିଠୁ ପୁଣି ଚାଲିବ ଆଂଟିଜେନ ଟେଷ୍ଟ

ଭୁବନେଶ୍ୱର : ଷୋଡଶ ବିଧାନସଭାର ଚତୁର୍ଥ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହେଉଛି। ଏଥିପାଇଁ ଚଳିତମାସ ୭ରୁ ବିଧାନସଭା ପକ୍ଷରୁ ତତ୍ପରତା ଦେଖାଦେଇଛି। ବିଧାନସଭା ଗୃହ ଭିତରେ ସଦସ୍ୟମାନଙ୍କ ବସିବା ଲାଗି ସ୍ୱତନ୍ତ୍ର କାଚ ଫ୍ରେମ ଲାଗିଛି। ଖାଲି ସେତିକି ନୁହେଁ; କୋଭିଡ୍‌ ମାର୍ଗଦର୍ଶିକା ପାଳନକୁ ନେଇ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି। ସେହିପରି ବିଧାନସଭାର ସଦସ୍ୟମାନଙ୍କ ଶନିବାରଠାରୁ କରୋନା ପରୀକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି; ହେଲେ ଯାହା ଆଶା କରାଯାଉ ନ ଥିଲା ତାହା ହିଁ ଦେଖିବାକୁ ମିଳିଛି। କରୋନା ମହାମାରୀର ପ୍ରଭାବ ଏବେ ସିଧାସଳଖ ବିଧାନସଭା ଉପରେ ପଡ଼ିଛି। ତିନିଦିନ ଧରି ଆରମ୍ଭ ହୋଇଥିବା କୋଭିଡ଼ ପରୀକ୍ଷାରେ ଯେଉଁ ସଂକ୍ରମିତ ବାହାରିଛନ୍ତିି ତାକୁ ନେଇ ସାଧାରଣରେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ସ୍ଥିତି ଏପରି ହୋଇଛି ଯେ ବିଧାନସଭାରେ ପ୍ରସଙ୍ଗ କ’ଣ ରହିବ, ତାହା ଯେପରି ଗୌଣ ହୋଇଯାଇଛି। ଏବେ କରୋନା ସଂକ୍ରମଣକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।
ଗତକାଲି ସୁଦ୍ଧା କେବଳ ବିଧାନସଭା ସଦସ୍ୟ, କର୍ମଚାରୀ ଓ ସାମ୍ବାଦିକଙ୍କ ମଧ୍ୟରୁ ୧୩୬ ଜଣ ଆକ୍ରାନ୍ତ ବାହାରିଥିଲେ। ଆଜି ଆଉ ୪୮ଜଣ ସଂକ୍ରମିତ ବାହାରିଛନ୍ତି। ଗତକାଲି ଶାସକଦଳ ମୁଖ୍ୟସଚେତକ ଏବଂ ବିଜେଡିର ଜଣେ ବରିଷ୍ଠ ସଦସ୍ୟ ଆକ୍ରାନ୍ତ ବୋଲି ରହିଥିବାବେଳେ ଆଜି ୩ଜଣ ମନ୍ତ୍ରୀ, ଉପବାଚସ୍ପତିଙ୍କ ସହ ୮ଜଣ ବିଧାୟକ କରୋନା ଆକାନ୍ତ ଥିବା ଜଣାଯାଇଛି। ଏହାବାଦ୍‍ ଆଜି ଯେଉଁମାନଙ୍କ ପରୀକ୍ଷା କରାଯାଇଛି, ତାହାର ରିପୋର୍ଟ ବିଧାନସଭାର ହସ୍ତଗତ ହୋଇନାହିଁ। ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ବିଧାନସଭା ଅଧିବେଶନ ବେଳେ ୩ମନ୍ତ୍ରୀ ଓ ଉପବାଚସ୍ପତି ଯଦି ବିଧାନସଭାରେ ଅନୁପସ୍ଥିତ ରହିବେ ତେବେ କିଭଳି ବିଧାନସଭା ସୁରୁଖୁରୁରେ ଚାଲିବ ଏବଂ ଲୋକଙ୍କ ପ୍ରମୁଖ ସମସ୍ୟା ସମାଧାନ ହେବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସବୁଠାରୁ ବଡ଼କଥା ହେଲା ଆକ୍ରାନ୍ତଙ୍କ ମଧ୍ୟରେ ପ୍ରମୁଖ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ରହିଥିବାବେଳେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ବୟନ ଓ ହସ୍ତତନ୍ତ ମନ୍ତ୍ରୀ ପଦ୍ମିନୀ ଦିଆନ ରହିଛନ୍ତି। ଏହାସହିତ ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ଅନୁପସ୍ଥିତି ଗୃହ ପରିଚାଳନାରେ ଅନ୍ତରାୟ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଏହି ପରିପ୍ରେକ୍ଷୀରେ ସୋମବାର ତୃତୀୟଦିନରେ ୨୧୦ଜଣ ସଦସ୍ୟ କରୋନା ନମୁନା ପରୀକ୍ଷା କରାଇଛନ୍ତି। ସେମାନଙ୍କ ରିପୋର୍ଟ ସରକାରଙ୍କ ହସ୍ତଗତ ହୋଇନାହିଁ। ସେଥିମଧ୍ୟରେ କେତେ ବିଧାୟକ ଓ ମନ୍ତ୍ରୀ ରହିଛନ୍ତି ତାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। ଏହାବାଦ୍‍ ବହୁ ବିଧାୟକ ଏବେ କୋଭିଡ଼ଯୁକ୍ତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଆଉ କେତେକ ନିକଟରେ କରୋନା ପଜିଟିଭରୁ ନେଗେଟିଭ୍‍ ହୋଇ ଗୃହ ପୃଥକବାସରେ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ଗୃହକାର୍ଯ୍ୟ କିଭଳି ଚାଲିବ ତାକୁ ନେଇ ସମସ୍ତଙ୍କ ମନରେ ଦ୍ୱନ୍ଦ୍ୱ ଦେଖାଦେଇଛି।
ସୂଚନାଯୋଗ୍ୟ ଯେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ନିର୍ଦେଶକ୍ରମେ ସବୁ ସଦସ୍ୟ ଓ ଷ୍ଟାଫଙ୍କ କୋଭିଡ଼ ପରୀକ୍ଷା କରାଯାଉଛି। ଏହାକୁ ନେଇ ଶନିବାରଠାରୁ ବିଧାନସଭା ପରିସରରେ କୋଭିଡ୍‌ ପରୀକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବିଏମସି ପକ୍ଷରୁ ସାନିଟାଇଜ କରାଯାଉଥିବାବେଳେ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ କୋଭିଡ୍‌ ପରୀକ୍ଷା କରାଯାଉଛି। ଗତକାଲି ବିଧାନସଭାରେ ବାଚସ୍ପତିଙ୍କ ସମେତ କେତେକ ବିଧାୟକ ଓ ସବୁ ଷ୍ଟାଫ, ବହୁ ପୁଲିସ ଅଧିକାରୀ ଓ କର୍ମଚାରୀ, ସାମ୍ବାଦିକ କୋଭିଡ୍‌ ପରୀକ୍ଷା କରାଇଥିଲେ। ପ୍ରଥମଦିନ ୭୫୮ଜଣଙ୍କ କୋଭିଡ୍‌-୧୯ ଆରଟିପିସିଆର ମାଧ୍ୟମରେ ପରୀକ୍ଷା କରାଯାଇଥିଲା। ସେଥିରୁ ୧୩୬ଜଣଙ୍କ ଠାରେ କୋଭିଡ୍‌ ପଜିଟିଭ ବାହାରିଥିଲା। ସେହିପରି ଦ୍ୱିତୀୟ ଦିନ କୋଭିଡ୍‌ ପରୀକ୍ଷାରେ ୨୩୧ଜଣଙ୍କ ମଧ୍ୟରୁ ୩୬ଜଣ ବିଧାନସଭା ଷ୍ଟାଫ ଓ ସାମ୍ବାଦିକ ରହିଥିବାବେଳେ ୧୨ଜଣ ମନ୍ତ୍ରୀ ଓ ବିଧାୟକଙ୍କ ନାମ ରହିଛି। ସୋମବାର ପୁନଶ୍ଚ ୨୧୦ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ବିଧାନସଭା ପକ୍ଷରୁ ପ୍ରସ୍ତୁତି ବୈଠକରେ ବିଧାନସଭାର ସଦସ୍ୟ ଓ କାର୍ଯ୍ୟାଳୟ କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ୧୧୦୦ଜଣଙ୍କ କୋଭିଡ୍‌ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ଇତିମଧ୍ୟରେ ୧୧୯୯ଜଣଙ୍କ ନମୁନା ପରୀକ୍ଷା କରାଯାଇସାରିଲାଣି।
ସୋମବାର ପ୍ରକାଶ ପାଇଥିବା ଆକ୍ରାନ୍ତ ବିଧାୟକଙ୍କ ମଧ୍ୟରେ ବିଧାୟକ ଅଶୋକ କୁମାର ବଳ, ବିଷ୍ଣୁବ୍ରତ ରାଉତରାୟ, ଭାଗିରଥୀ ସେଠୀ, ସୁଶାନ୍ତ କୁମାର ବେହେରା, ଉମାକାନ୍ତ ସାମନ୍ତରାୟ, ନାଉରୀ ନାୟକ, ପ୍ରଶାନ୍ତ କୁମାର ଜଗଦ୍ଦେବ ଓ ସୁକାନ୍ତ କୁମାର ନାୟକ ରହିଛନ୍ତି। ଇତିମଧ୍ୟରେ ବିଜେଡିର ୧୨ଜଣ ସଦସ୍ୟ ସଂକ୍ରମିତ ହୋଇଥିବାବେଳେ ବିଜେପିର ୨ଜଣ ସଦସ୍ୟ ଆକ୍ରାନ୍ତ ହୋଇଥିବା ଜଣାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories