ଆହ୍ଲାବାଦ ହାଇକୋର୍ଟରେ ସ୍ଥାୟୀ ବିଚାରପତି ପାଇଁ ଚାରିଜଣଙ୍କ ନାମ ସୁପାରିସ
ନୂଆଦିଲ୍ଲୀ : ଆହ୍ଲାବାଦ ହାଇକୋର୍ଟରେ ଆଉ ଚାରିଜଣ ସ୍ଥାୟୀ ବିଚାରପତିଙ୍କୁ ନିଯୁକ୍ତ କରିବାକୁ ସୁପ୍ରିମକୋର୍ଟ କଲେଜିୟମ ଗୁରୁବାର ସୁପାରିସ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ ଜେ.ଚେଲମେଶ୍ୱର ଓ ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ନେଇ ଗଠିତ ଏହି କଲେଜିୟମ ଆହ୍ଲାବାଦ ହାଇକୋର୍ଟ ନିମନ୍ତେ ଅଶୋକ କୁମାର, ବିବେକ ଚୌଧୁରୀ, ସୌମିତ୍ର ଦୟାଲ ସିଂହ ଓ ଅଖିଳେଶ ଚନ୍ଦ୍ର ଶର୍ମାଙ୍କ ନାମ ସୁପାରିସ କରିଛନ୍ତି। ଏଥିସହିତ ମଣିପୁର ହାଇକୋର୍ଟର ସ୍ଥାୟୀ ବିଚାରପତିଭାବେ ନିଯୁକ୍ତ କରିବାକୁ ଜଷ୍ଟିସ ସୋଙ୍ଗ୍ଖୁପ୍ଚୁଙ୍ଗ୍ ସେର୍ତୋଙ୍କ ନାମକୁ ମଧ୍ୟ କଲେଜିୟମ ସୁପାରିସ କରିଥିବା ପ୍ରକାଶ। ଜଷ୍ଟିସ ସୋଙ୍ଗ୍ଖୁପ୍ଚୁଙ୍ଗ୍ ବର୍ତ୍ତମାନ ଗୁଆହାଟୀ ହାଇକୋର୍ଟରେ କାର୍ଯ୍ୟରତ ଅଛନ୍ତି। ମାର୍ଚ୍ଚ ୧୩ରେ ଜଷ୍ଟିସ ସୋଙ୍ଗ୍ଖୁପ୍ଚୁଙ୍ଗ୍ଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ତାଙ୍କର ନୂତନ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ କଲେଜିୟମ ପ୍ରସ୍ତାବରେ ଉଲ୍ଲେଖ କରିଛନ୍ତି। ସେ ପୂର୍ବଭଳି ଗୁଆହାଟୀ ହାଇକୋର୍ଟରେ କାର୍ଯ୍ୟ କରିବେ। ତେବେ ପରବର୍ତ୍ତୀ ସମୟରେ ମଣିପୁର ହାଇକୋର୍ଟ ପାଇଁ ଅନ୍ୟ ଜଣେ ବିଚାରପତିଙ୍କୁ ନିଯୁକ୍ତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।