www.samajalive.in
Sunday, December 14, 2025
16.1 C
Bhubaneswar

ଫ୍ରାନ୍‍ସ-କ୍ରୋଏସିଆ ଫାଇନାଲ ଆଜି

ମସ୍କୋ : ପ୍ରାୟ ଏକ ମାସ ଧରି ରୁଷରେ ଚାଲିଥିବା ଫୁଟବଲ ମହାସମର ବର୍ତ୍ତମାନ ଅନ୍ତିମ ଲଗ୍ନରେ ପହଞ୍ଚିଛି। ଆସନ୍ତାକାଲି ଅର୍ଥାତ ରବିବାର ସ୍ଥାନୀୟ ଲୁଝ୍‍ନିକି ଷ୍ଟାଡିୟମରେ ଫ୍ରାନ୍‍ସ ଓ କ୍ରୋଏସିଆ ମଧ୍ୟରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ ସହ ୨୧ତମ ଫିଫା ବିଶ୍ୱକପ ଟୁର୍ଣ୍ଣାମେଣ୍ଟର ଯବନିକା ପଡିବ। ବିଶ୍ୱକପ ଇତିହାସରେ ଫ୍ରାନ୍‍ସ ତୃତୀୟ ଥର ଫାଇନାଲକୁ ଉନ୍ନୀତ ହୋଇଥିବାବେଳେ କ୍ରୋଏସିଆ ପ୍ରଥମ ଥର ଏହି ସୌଭାଗ୍ୟ ଅର୍ଜନ କରିଛି। ଟୁର୍ଣ୍ଣାମେଣ୍ଟ ପ୍ରାରମ୍ଭରେ ଏହି ଦୁଇଟି ଦଳ ମଧ୍ୟରୁ କେହି ଫେଭରିଟ୍‍ ମାନ୍ୟତା ପାଇନଥିଲେ। ଜର୍ମାନୀ, ବ୍ରାଜିଲ, ଆର୍ଜେଣ୍ଟିନା ଓ ଉରୁଗୁଏ ଭଳି ଶକ୍ତିଶାଳୀ ଦଳଙ୍କ ଉପସ୍ଥିତି ଯୋଗୁଁ ଫୁଟବଲପ୍ରେମୀ ଫ୍ରାନ୍‍ସ-କ୍ରୋଏସିଆ ଫାଇନାଲ ସମ୍ପର୍କରେ ଚିନ୍ତା ମଧ୍ୟ କରିନଥିଲେ। ତେବେ ପ୍ରିକ୍ୱାର୍ଟର ପର୍ଯ୍ୟାୟ ପରେ ସ୍ଥିତିରେ ପରିବର୍ତ୍ତନ ଘଟିବା ଆରମ୍ଭ ହୋଇଥିଲା। ଫାଇନାଲକୁ ଉନ୍ନୀତ ହେବା ପଥରେ ଫ୍ରାନ୍‍ସ ପ୍ରିକ୍ୱାର୍ଟରରେ ଆର୍ଜେଣ୍ଟିନାକୁ, କ୍ୱାର୍ଟର ଫାଇନାଲରେ ଉରୁଗୁଏ ଓ ସେମିଫାଇନାଲରେ ବେଲଜିୟମକୁ ପରାସ୍ତ କରିଛି। ଅପରପକ୍ଷରେ କ୍ରୋଏସିଆ ପ୍ରିକ୍ୱାର୍ଟରରେ ଡେନମାର୍କକୁ, କ୍ୱାର୍ଟରରେ ଆୟୋଜକ ରୁଷିଆକୁ ଓ ସେମିଫାଇନାଲରେ ଇଂଲଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଦୁଇ ଦଳର ବିଜୟ ଯାତ୍ରାକୁ ସମୀକ୍ଷା କଲେ ଫ୍ରାନ୍‍ସ ଅପେକ୍ଷାକୃତ ଶକ୍ତିଶାଳୀ ଦଳଗୁଡିକୁ ପରାସ୍ତ କରି ନିଜ ଦକ୍ଷତା ପ୍ରତିପାଦନ କରିଛି। କ୍ରୋଏସିଆର ବିଶ୍ୱକପ ଇତିହାସ ଏତେଟା ପ୍ରଭାବଶାଳୀ ହୋଇନଥିଲେ ସୁଦ୍ଧା ଚଳିତ ଟୁର୍ଣ୍ଣାମେଣ୍ଟରେ ସେମାନଙ୍କର ପ୍ରଦର୍ଶନ ଅତ୍ୟନ୍ତ ପ୍ରଶଂସନୀୟ ହୋଇପାରିଛି।
ଉଭୟ ଦଳରେ ପ୍ରତିଭାସମ୍ପନ୍ନ ଖେଳାଳି ରହିଛନ୍ତି। ଗୋଟିଏପଟେ ଆଣ୍ଟୋଇନ ଗ୍ରିଜ୍‍ମ୍ୟାନ, ପଲ୍‍ ପଗ୍‍ବା, ଏମ୍‍ବାପେ ଓ ପାଭାର୍ଡଙ୍କ ଭଳି ଖେଳାଳିଙ୍କ ପ୍ରଦର୍ଶନକୁ ଆଧାର କରି ଫ୍ରାନ୍‍ସ ଦଳ ଏତେବାଟ ଅଗ୍ରସର ହୋଇପାରିଛି। ଅପରପକ୍ଷରେ କ୍ରୋଏସିଆ ଦଳରେ ଲୁକା ମୋଡ୍ରିକ୍‍, ମାରିଓ ମାଣ୍ଡ୍‍ଜୁସିଚ୍‍, ପେରିସିକ୍‍ ଓ ରାକିଟିକ୍‍ଙ୍କ ଭଳି ଖେଳାଳି ପ୍ରତିପକ୍ଷ ଶିବିରରେ ଆତଙ୍କ ଖେଳାଇବାରେ ଓସ୍ତାଦ ଅଛନ୍ତି। କ୍ରୋଏସିଆ ଦଳ ପ୍ରିକ୍ୱାର୍ଟରରେ ଡେନମାର୍କ ସହ ଓ କ୍ୱାର୍ଟର ଫାଇନାଲରେ ରୁଷିଆ ସହ ମ୍ୟାଚକୁ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଅମୀମାଂସିତ ରଖିବାପରେ ଶେଷରେ ପେନାଲଟି ସୁଟ୍‍ଆଉଟରେ ବିଜୟୀ ହୋଇଥିଲା। ଦୁଇ ଦଳର ଫରୱାର୍ଡ ବାହିନୀ ଶକ୍ତିଶାଳୀ ହୋଇଥିବାବେଳେ ଗୋଲରକ୍ଷକମାନେ ମଧ୍ୟ ଅନୁରୂପ ଭାବେ ଦକ୍ଷ। ୩୧ ବର୍ଷୀୟ ଫ୍ରାନ୍‍ସ ଗୋଲରକ୍ଷକ ହ୍ୟୁଗୋ ଲୋରିସ ଚଳିତ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ଗୋଲରକ୍ଷଣ କରି ଦଳକୁ ପରାଜୟରୁ ରକ୍ଷା କରିଛନ୍ତି। ଅପରପକ୍ଷରେ କ୍ରୋଏସିଆ ଗୋଲରକ୍ଷକ ଡାନିଏଲ ସୁବାସିଚ୍‍ ଡେନମାର୍କ ଓ ରୁଷିଆ ବିପକ୍ଷ ପେନାଲଟି ସୁଟ୍‍ଆଉଟରେ ନିଜର ଦକ୍ଷତା ପ୍ରତିପାଦନ କରିବା ସହ ଦଳକୁ ଫାଇନାଲରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି। ଫ୍ରାନ୍‍ସ ପ୍ରଶିକ୍ଷକ ଡିଡିୟର ଡେସ୍‍ଚାମ୍ପ୍‍ସଙ୍କ ଅଭିଜ୍ଞତା ଓ ରଣନୀତି ଯୋଗୁଁ ଦଳ ସଫଳତାର ସିଢି ଚଢୁଥିବାବେଳେ କ୍ରୋଏସିଆ ପ୍ରଶିକ୍ଷକ ଡାଲିକ୍‍ ଜ୍ଲାକୋ ମଧ୍ୟ ପ୍ରତିପକ୍ଷଙ୍କୁ ଟକ୍କର ଦେବାରେ କୌଣସି ସୁଯୋଗ ଛାଡୁନାହାନ୍ତି। ପୂର୍ବରୁ ଫ୍ରାନ୍‍ସ ଓ କ୍ରୋଏସିଆ ବିଶ୍ୱକପରେ ଥରେ ମାତ୍ର ପରସ୍ପରକୁ ଭେଟିଛନ୍ତି। ୧୯୯୮ ବିଶ୍ୱକପ ସେମିଫାଇନାଲର ଏହି ମୁକାବିଲାରେ ଫ୍ରାନ୍‍ସ ୨-୧ ଗୋଲରେ ବିଜୟୀ ହୋଇଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories