www.samajalive.in
Friday, December 12, 2025
15.1 C
Bhubaneswar

ଓଡ଼ିଶାରୁ ସୋନାଲ, ରଘୁନାଥ

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ୪ ଜଣ ପ୍ରତିଭାଧରଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ତଥା ଆନ୍ତର୍ଜାତୀୟ ଖ୍ୟାତିସଂପନ୍ନ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ସୋନାଲ ମାନସିଂହ ଓ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର। ରାଷ୍ଟ୍ରପତିଙ୍କ ଦ୍ୱାରା ଓଡ଼ିଶାରୁ କେହି ରାଜ୍ୟସଭାକୁ ମନୋନୀତ ହେବା ଏହା ପ୍ରଥମ ଘଟଣା। ଏମାନଙ୍କ ସହିତ ବରିଷ୍ଠ ସ୍ତମ୍ଭକାର, ଲେଖକ ତଥା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍‍ଏସ୍‍) ବିଚାରକ ରାକେଶ ସିହ୍ନା ଓ ଉତ୍ତରପ୍ରଦେଶର ବିଶିଷ୍ଟ ଦଳିତ, କୃଷକ ଓ ଶ୍ରମିକ ନେତା ତଥା ପୂର୍ବତନ ସାଂସଦ ରାମ ଶକଲ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପ୍ରତି ଏମାନଙ୍କୁ ମନୋନୀତ କରିଛନ୍ତି। ନିକଟରେ ଅବସର ନେଇଥିବା କ୍ରିକେଟର ସଚିନ୍‍ ତେନ୍ଦୁଲକର, ଅଭିନେତ୍ରୀ ରେଖା, ଶିଳ୍ପପତି ଅନୁ ଆଗା ଓ ଆଇନଜୀବୀ କେ. ପରାଶରନ୍‍ଙ୍କ ସ୍ଥାନରେ ରାଜ୍ୟସଭାକୁ ଏମାନଙ୍କୁ ମନୋନୀତ କରାଯାଇଛି। ନବମନୋନୀତ ସଦସ୍ୟମାନଙ୍କ କାର୍ଯ୍ୟକାଳ ୬ବର୍ଷ ରହିବ। ସମ୍ବିଧାନର ଧାରା ୮୦-୧-ଏ ଆଧାରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୧୨ଜଣ ବ୍ୟକ୍ତିବିଶେଷଙ୍କୁ ରାଷ୍ଟ୍ରପତି ସଂସଦର ଉଚ୍ଚ ସଦନକୁ ମନୋନୀତ କରିବାର ବ୍ୟବସ୍ଥା ରହିଛି। ବିଜ୍ଞାନ, କଳା, ଭାଷା, ସଂସ୍କୃତି ଓ ସମାଜସେବା ଭଳି କ୍ଷେତ୍ରରେ ବିଶେଷ ଅବଦାନ ରଖିଥିବା ବ୍ୟକ୍ତିଙ୍କୁ ଏହି ସୁଯୋଗ ମିଳିଥାଏ।
ସୋନାଲ ମାନସିଂହ : ଓଡ଼ିଶାର ଦୁଇ ପ୍ରତିଭାଧରଙ୍କ ମଧ୍ୟରୁ ୭୪ ବର୍ଷ ବୟସ୍କା ପଦ୍ମ ବିଭୂଷଣ ସୋନାଲ ମାନସିଂହ ହେଉଛନ୍ତି ଜଣେ ପ୍ରଥିତଯଶା ଶାସ୍ତ୍ରୀୟ ନୃତ୍ୟାଙ୍ଗନା। ଦୀର୍ଘ ୬ଦଶନ୍ଧି ଧରି ଦେଶ ବିଦେଶରେ ଓଡ଼ିଶୀ ଓ ଭାରତନାଟ୍ୟମ୍‍ ଭଳି ଶାସ୍ତ୍ରୀୟ ନୃତ୍ୟର ପ୍ରଚାର ପ୍ରସାର କରିବାରେ ସେ ପ୍ରମୁଖ ଭୂମିକା ନିଭାଇଛନ୍ତି। ଏହାଛଡ଼ା ଜଣେ ନୃତ୍ୟ ନିର୍ଦେଶିକା, ଶିକ୍ଷାବିତ୍‍, ଉଚ୍ଚକୋଟୀର ବକ୍ତା ତଥା ସାମାଜିକ କର୍ମୀ ଭାବେ ସୋନାଲଙ୍କର ବେଶ୍‍ ସୁନାମ ରହିଛି। ୧୯୭୭ରୁ ତାଙ୍କ ଦ୍ୱାରା ଦିଲ୍ଲୀରେ ପ୍ରତିଷ୍ଠିତ ଇଣ୍ଡିଆନ୍‍ କ୍ଲାସିକାଲ ଡ୍ରାନ୍ସେସ୍‍ ପ୍ରତିଷ୍ଠାନ ଅଦ୍ୟାବଧି କାର୍ଯ୍ୟକ୍ଷମ ରହିଛି। ସେ ଭାରତର ପୂର୍ବତନ ବିଦେଶ ସଚିବ ତଥା ଆମେରିକାରେ ଭାରତର ରାଷ୍ଟ୍ରଦୂତ ଲଳିତେନ୍ଦୁ ମାନସିଂହଙ୍କ ପତ୍ନୀ। ସୋନାଲ ଏକାଧିକ ଜାତୀୟ ଓ ଆନ୍ତର୍ଜାତିକ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ବିଶିଷ୍ଟ ଓଡ଼ିଶୀ ଗୁରୁ କେଳୁଚରଣ ମହାପାତ୍ରଙ୍କ ନିକଟରୁ ସୋନାଲ ନୃତ୍ୟ ଶିକ୍ଷା କରି ଏକ୍ଷେତ୍ରରେ ନିଜକୁ ଅପ୍ରତିଦ୍ୱନ୍ଦ୍ୱୀ ପ୍ରମାଣିତ କରିଛନ୍ତି।
ରଘୁନାଥ ମହାପାତ୍ର : ଓଡ଼ିଶାରେ ଦ୍ୱିତୀୟ କୋଣାର୍କ ନିର୍ମାଣ ପ୍ରସ୍ତାବର ପ୍ରବକ୍ତା ୭୫ ବର୍ଷ ବୟସ୍କ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ର ପଥରର ନିଖୁଣ କାରୁକାର୍ଯ୍ୟ କ୍ଷେତ୍ରରେ ବେଶ୍‍ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ସତେଯେମିତି ପଥରକୁ ଜୀବନ ଦେବାରେ ସେ ସିଦ୍ଧହସ୍ତ। ପାରମ୍ପରିକ କଳା ସଂସ୍କୃତି ଆଧାରରେ ପ୍ରସ୍ତର ମୂର୍ତ୍ତି ନିର୍ମାଣ ଓ ସଂରକ୍ଷଣ ତଥା ମନ୍ଦିର ସ୍ଥାପତ୍ୟ କ୍ଷେତ୍ରରେ ସେ ନିପୂଣତା ହାସଲ କରିଛନ୍ତି। ଜାତୀୟ ଓ ଆନ୍ତର୍ଜାତିକ କ୍ଷେତ୍ରରେ ବହୁ ସମ୍ମାନ ଓ ପୁରସ୍କାର ବିଜୟୀ ଶ୍ରୀ ମହାପାତ୍ରଙ୍କ ଦ୍ୱାରା କାଠ ନିର୍ମିିତ ବୁଦ୍ଧ ମୂର୍ତ୍ତି ଫ୍ରାନ୍ସର ପ୍ୟାରିସ୍‍ରେ ଓ ସଂସଦର କେନ୍ଦ୍ରୀୟ ହଲ୍‍ରେ ଶୋଭା ପାଉଥିବା ବାଲି ପଥରରେ ନିର୍ମିତ ୬ଫୁଟ ଉଚ୍ଚର ସୂର୍ଯ୍ୟ ଦେବତାଙ୍କ ମୂର୍ତ୍ତି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦୁଇଟି ଢୋଲଲପୁରୀ ପ୍ରସ୍ତର ଲ୍ୟାମ୍ପ, କଲକାତା ପାର୍କଷ୍ଟ୍ରୀଟ୍‍ର ସୁସଜ୍ଜିତ ସେଣ୍ଟ୍ରାଲ ସର୍କଲ, ଦୁର୍ଗ, ହରିୟାଣାର ସୂରଜକୁଣ୍ଡର ୧୫ ଫୁଟିଆ ମୁକ୍ତେଶ୍ୱର ଗେଟ୍‍ ଆଦି ରଘୁନାଥଙ୍କ ଭାସ୍କର୍ଯ୍ୟର ଅନନ୍ୟ ଓ ଅନୁପମ କୀର୍ତ୍ତି। ସଂପ୍ରତି ସେ ଓଡ଼ିଶା ଳଳିତକଳା ଏକାଡେମୀର ସଭାପତି ରହିଛନ୍ତି।
ରାମ ଶକଲ ସିଂହ : ରାମ ଶକଲ ସିଂହ ଜୀବନ ବ୍ୟାପୀ କୃଷକବର୍ଗ, ଦଳିତ ବର୍ଗ ଏବଂ ଦାଦନ ଶ୍ରମିକମାନଙ୍କର ଉତ୍ଥାନ ପାଇଁ କାମ କରିଆସିଛନ୍ତି। ବିଶେଷ ଭାବେ ଶ୍ରମଜୀବୀଙ୍କ କଲ୍ୟାଣ ପାଇଁ ସେ ଉତ୍ସର୍ଗୀକୃତ। ରାଜନୀତି କ୍ଷେତ୍ରରେ ତାଙ୍କର ଦୀର୍ଘ ଅଭିଜ୍ଞତା ରହିଛି। ସେ ଉତ୍ତରପ୍ରଦେଶର ରବର୍ଟସ୍‍ଗଞ୍ଜ ଆସନରୁ ତିନି ଥର ବିଜେପି ଟିକଟରେ ବିଜୟୀ ହୋଇ ଲୋକସଭାକୁ ଆସିଛନ୍ତି। ୫୫ ବର୍ଷ ବୟସ୍କ ଶ୍ରୀ ସିଂହ ଗୋରଖପୁର ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀଧାରୀ।
ରାକେଶ ସିହ୍ନା : ୫୩ ବର୍ଷ ବୟସ୍କ ସଂଘ ବିଚାରକ ରାକେଶ ସିହ୍ନା ଦିଲ୍ଲୀସ୍ଥିତ ଚିନ୍ତନ ପ୍ରତିଷ୍ଠାନ ‘ଇଣ୍ଡିଆ ପଲିସି ଫାଉଣ୍ଡେସନ୍‍’ର ପ୍ରତିଷ୍ଠାତା ତଥା ଅବୈତନିକ ନିର୍ଦେଶକ। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ମୋତିଲାଲ ନେହରୁ କଲେଜର ପ୍ରାଧ୍ୟାପକ ଓ ଇଣ୍ଡିଆନ୍‍ କାଉନ୍‍ସିଲ ଅଫ ସୋସିଆଲ ସାଇନ୍ସ ରିସର୍ଚ୍ଚ(ଆଇସିଏସ୍‍ଏସ୍‍ଆର)ର ସଦସ୍ୟ। ସେ ସଙ୍ଘ ପ୍ରତିଷ୍ଠାତା ଡଃ ହେଡ୍‍ଗବାରଙ୍କ ଆତ୍ମଜୀବୀନୀ ଲେଖିଥିବାବେଳେ ‘ରାଜନୈତିକ ପତ୍ରକାରିତା’ ନମକ ପୁସ୍ତକ ବେଶ୍‍ ଲୋକପ୍ରିୟ। ୨୦୧୧ରେ କୋଟା ବିଶ୍ୱବିଦ୍ୟାଳୟରୁ ପିଏଚଡି ସହ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ହିନ୍ଦୁ କଲେଜର ରାଜନୀତି ବିଜ୍ଞାନରେ ସ୍ୱର୍ଣ୍ଣପଦକ ପାଇଥିଲେ।

ଲୋକସେବକ ମଣ୍ଡଳ ସଭାପତିଙ୍କ କୃତଜ୍ଞତା

ଦୁଇ ପ୍ରଥିତଯଶା ଓଡ଼ିଆ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଓ ପଦ୍ମ ବିଭୂଷଣ ସୋନାଲ ମାନସିଂହ ରାଷ୍ଟ୍ରପତିଙ୍କ ଦ୍ୱାରା ରାଜ୍ୟସଭାକୁ ମନୋନୀତ ହେବା ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଛି। ଓଡ଼ିଶାର ଏହି ଦୁଇ ପ୍ରତିଭାଧରଙ୍କୁ ରାଜ୍ୟସଭାକୁ ମନୋନୀତ କରିଥିବାରୁ ରାଷ୍ଟ୍ରପତି ଶ୍ରୀ କୋବିନ୍ଦଙ୍କୁ କୃତଜ୍ଞତା ଜଣାଇବା ସହ ଉଭୟ ଶ୍ରୀ ମହାପାତ୍ର ଓ ଶ୍ରୀମତୀ ମାନସିଂହଙ୍କୁ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ତଥା ସମାଜ ପରିଚାଳନା ବୋର୍ଡର ଅଧ୍ୟକ୍ଷ ଦୀପକ ମାଲବ୍ୟ ମଧ୍ୟ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories