www.samajalive.in
Thursday, December 11, 2025
15.1 C
Bhubaneswar

ଗୋଷ୍ଠୀ ସଂଘର୍ଷରୁ ଗୁଳିମାଡ଼ ; ୨ମୃତ, ୫ଆହତ

ନୟାଗଡ଼/ଶରଣକୁଳ : ରାସ୍ତା ଉପରେ ନାଳଖୋଳି ଚାଷ ଜମିରୁ ପାଣି ନିଷ୍କାସନକୁ ନେଇ ଦୁଇଗାଁ ମଧ୍ୟରେ ଶନିବାର ଗୋଷ୍ଠୀ ସଂଘର୍ଷ ଘଟି ଗୁଳିମାଡ଼ରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫ଜଣ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲା ଶରଣକୁଳ ଥାନା ଅନ୍ତର୍ଗତ କଜଳାଇପଲ୍ଲୀ ପଞ୍ଚାୟତରେ। ମୃତକଦ୍ୱୟ ହେଲେ ଉକ୍ତ ପଞ୍ଚାୟତ ପାଣିଭଣ୍ଡାର ଗ୍ରାମର ଗୋବର୍ଦ୍ଧନ ପ୍ରଧାନଙ୍କ ପୁଅ ରାମଚନ୍ଦ୍ର ପ୍ରଧାନ(୧୯) ଓ ଶରତ ପ୍ରଧାନଙ୍କ ପୁଅ ସିଲୁ ପ୍ରଧାନ(୨୩)। ଏହି ଘଟଣାକୁ ନେଇ ପାଣିଭଣ୍ଡାର ଗ୍ରାମବାସୀ ଥାନା ଆଗରେ ଦୁଇଟିଯାକ ମୃତଦେହ ରଖି ନୟାଗଡ଼ ରାସ୍ତା ଅବରୋଧ କରିଥିଲେ।
ପୁଲିସ ସୂଚନା ମୁତାବକ, ଏହି ପଞ୍ଚାୟତର ବଧିସାହି ଗ୍ରାମ ସୀମାର ଖିଲାର ପାଟଣା ଶ୍ମ୍ମଶାନ ନିକଟରେ ପଞ୍ଚାୟତ କାର୍ଯ୍ୟାଳୟ ତରଫରୁ ଗୋଷ୍ଠୀ କ୍ଷେତ ପୁଷ୍କରିଣୀ ଖୋଳାଯାଇଥିଲା। ପୂର୍ବରୁ ଏହି ଜାଗା ଦେଇ ବର୍ଷାଜଳ ତଳି ଅଞ୍ଚଳକୁ ଯାଉଥିଲା। ପୋଖରୀ ଖୋଳା ହେବା ଫଳରେ ଉପର ଜମିରେ ପାଣି ଜମି ରହିଥିଲା। ଏହି ପାଣି ନିଷ୍କାସନ ପାଇଁ ଶନିବାର ସକାଳେ ବଧିସାହି ଗ୍ରାମବାସୀ ଶିଖରପୁର କଜଳାଇପଲ୍ଲୀ ଗ୍ରାମ୍ୟ ଉନ୍ନୟନ ରାସ୍ତା ଖୋଳି ନାଳ କରୁଥିବା ବେଳେ ଗୋଲଗାଁ ପଞ୍ଚାୟତର ପାଣିଭଣ୍ଡାର ଗ୍ରାମର ଲୋକେ ଏହାକୁ ବିରୋଧ କରଥିଲେ। ଫଳରେ ଘଟଣାସ୍ଥଳେ ଦୁଇଗ୍ରାମର ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ସେହି ସମୟରେ ବଧିସାହି ଗୋଷ୍ଠୀରୁ କେହି ପାଣିଭଣ୍ଡାର ଗୋଷ୍ଠୀ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ପାଣିଭଣ୍ଡାରର ରାମଚନ୍ଦ୍ରଙ୍କ ମୃତ୍ୟୁଘଟିଥିବାବେଳେ ସେହି ଗ୍ରାମର ସିଲୁ ପ୍ରଧାନଙ୍କୁ ଗୁରୁତର ଅବସ୍ଥାରେ ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା।
ସେହିପରି ପାଣିଭଣ୍ଡାର ଗ୍ରାମର ଲକ୍ଷ୍ମଣ ସ୍ୱାଇଁଙ୍କ ପୁଅ ମନୋଜ କୁମାର ସ୍ୱାଇଁ(୩୪) ଓ ହୁରିଆ ପ୍ରଧାନଙ୍କ ପୁଅ ଚନ୍ଦନ ପ୍ରଧାନ(୧୪) ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ଅପରପକ୍ଷେ ବଧିସାହି ଗ୍ରାମର ୩ଜଣ ବ୍ୟକ୍ତି ଆହତ ହୋଇଥିବା ପୁଲିସ ପକ୍ଷରୁ କୁହାଯାଇଛି। ପୁଲିସ ପହଞ୍ଚି ମୃତ ଯୁବକଙ୍କର ଶରୀରକୁ ବ୍ୟବଚ୍ଛେଦ ପାଇଁ ନୟାଗଡ଼ ନେଇ ଥିବାବେଳେ ଶରଣକୁଳ ଡ଼ାକ୍ତର ଖାନାରେ ମୃତ୍ୟୁବରଣ କରିଥିବା ଯୁବକର ମୃତଶରୀରକୁ ନୟାଗଡ଼ ମଧ୍ୟ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।
ଖବରପାଇ ନୟାଗଡ଼ ଜିଲା ଆରକ୍ଷୀ ଅଧିକ୍ଷକ ଆଶିଷ କୁମାର ସିଂ, ଏସଡ଼ିପିଓ ନାରାୟଣ ବାରିକ, ଜୟରାମ ଶତପଥୀ, ଶରଣକୁଳ ଥାନା ଅଧିକାରୀ ମନୋଜ କୁମାର ଶତପଥୀ, ଓଡ଼ଗାଁ ଥାନା ଅଧିକାରୀ ଅନୀଲ କୁମାର ପ୍ରଧାନ ପ୍ରମୁଖ ପହଞ୍ଚି ଘଟଣାର ଅନୁଧାନ କରିବା ସହିତ ତଦନ୍ତ ଜାରି ରଖିଛନ୍ତି। ଏହି ଘଟଣାକୁ ନେଇ ଉଭୟ ଗାଁରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories