www.samajalive.in
Friday, December 5, 2025
17.1 C
Bhubaneswar

ୟୁଏସ୍‍ ଓପନ୍‍ରୁ ଜୋକୋଭିକ୍‍ ନିଲମ୍ବିତ

ନ୍ୟୁୟର୍କ : ଏଠାରେ ଚାଲିଥିବା ଗ୍ରାଣ୍ଡସ୍ଲାମ୍‍ ଟେନିସ୍‍ ଟୁର୍ଣ୍ଣାମେଣ୍ଟ ୟୁଏସ୍‍ ଓପନ୍‍ରେ ରବିବାର ଏକ ବଡ଼ ବିପର୍ଯ୍ୟୟ ଘଟିଛି। ବିଶ୍ୱର ୧ନଂ ପୁରୁଷ ସିଙ୍ଗଲ୍‍ସ ଖେଳାଳି ସର୍ବିୟାର ନୋଭାକ୍‍ ଜୋକୋଭିକ୍‍ ୟୁଏସ୍‍ ଓପନ୍‍ ଖେଳିବାକୁ ଅଯୋଗ୍ୟ ଘୋଷିତ ହୋଇ ନିଲମ୍ବିତ ହୋଇଛନ୍ତି। ରବିବାର ଜୋକୋଭିକ୍‍ ତାଙ୍କର ୪ର୍ଥ ରାଉଣ୍ଡ ମ୍ୟାଚ୍‍ ଖେଳୁଥିବା ବେଳେ ଅଜାଣତରେ ବା ଦୁର୍ଘଟଣା ବଶତଃ ଜଣେ ମହିଳା ଲାଇନ୍‍ ବିଚାରକଙ୍କୁ ବଲ୍‍ରେ ଆଘାତ କରିଥିଲେ। ଫଳରେ ରେଫେରୀ ଜୋକୋଭିକ୍‍ଙ୍କୁ ମ୍ୟାଚ୍‍ରୁ ଅଯୋଗ୍ୟ ଘୋଷଣା କରିଥିଲେ। ଏପରି ଦୁର୍ଘଟଣା ସହ ଟପ୍‍ ସିଡ୍‍ ଜୋକୋଭିକ୍‍ଙ୍କର ୟୁଏସ୍‍ ଓପନ୍‍ ଅଭିଯାନ ଶେଷ ହୋଇଯାଇଛି। ଫଳରେ ନୋଭାକ୍‍ ଜୋକୋଭିକ୍‍ଙ୍କର ୧୮ତମ ଗ୍ରାଣ୍ଡସ୍ଲାମ୍‍ ଜିତିବାର ସ୍ୱପ୍ନ ଅଧୁରା ରହିଯାଇଛି।

ଏହି ମ୍ୟାଚ୍‍ରେ ଜୋକୋଭିକ୍‍ ସ୍ପେନ୍‍ର ପାବ୍‍ଲୋ କାରେନୋ ବୁଷ୍ଟାଙ୍କ ବିପକ୍ଷରେ ଖେଳୁଥିଲେ। ପ୍ରଥମ ସେଟ୍‍ରେ ଜୋକୋଭିକ୍‍ ୫-୪, ୪-୦ରେ ଆଗୁଆ ଥିଲେ। ତେବେ ବୁଷ୍ଟା ୩ଟି ସେଟ୍‍ ପଏଣ୍ଟ ବଞ୍ଚାଇ ସ୍କୋର୍‍କୁ ୫-୫ କରିବା ପରେ ପରବର୍ତ୍ତୀ ଗେମ୍‍ ଜିତି ୬-୫ରେ ଆଗୁଆ ହୋଇ ଯାଇଥିଲେ। ଏଥିରେ ଅତ୍ୟନ୍ତ ନିରାଶାଭାବ ଦେଖାଇଥିଲେ ଜୋକୋଭିକ୍‍ ଏବଂ ବଲ୍‍କୁ ଜୋର୍‍ରେ ମାରିଥିଲେ; ଯାହା ମହିଳା ଲାଇନ୍‍ ବିଚାରକଙ୍କ ଗଳାରେ ବାଜିଥିଲା। ତୁରନ୍ତ ଟୁର୍ଣ୍ଣାମେଣ୍ଟ ରେଫେରୀ ସୋରେନ୍‍ ଫ୍ରିମେଲ ଷ୍ଟାଡିୟମ୍‍କୁ ଆସିଥିଲେ ଏବଂ ଚେୟାର ଅମ୍ପାୟାରଙ୍କ ସହ ଆଲୋଚନା କରିଥିଲେ। ପରେ ଦୁହେଁ ଜୋକୋଭିକ୍‍ଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଥିଲେ। ଜୋକୋଭିକ୍‍ ଉଭୟଙ୍କୁ ବୁଝାଇବାର ପ୍ରୟାସ କରିଥିଲେ ଯେ ଲାଇନ୍‍ ବିଚାରକଙ୍କୁ ଆଘାତ କରିବା ଉଦ୍ଦେଶ୍ୟରେ ସେ ବଲ୍‍ ମାରିନଥିଲେ; ନିରାଶାରେ ମାରିଥିଲେ। ତେବେ ଟୁର୍ଣ୍ଣାମେଣ୍ଟ ରେଫେରୀ ଜୋକୋଭିକ୍‍ଙ୍କ କଥା ଶୁଣିନଥିଲେ ଏବଂ ଟୁର୍ଣ୍ଣାମେଣ୍ଟରୁ ତାଙ୍କୁ ଅଯୋଗ୍ୟ ଘୋଷିତ କରି ନିଲମ୍ବିତ କରିଥିଲେ। ଫଳରେ ଜୋକୋଭିକ୍‍ ଏହି ଟୁର୍ଣ୍ଣାମେଣ୍ଟରୁ ସମସ୍ତ ରାଙ୍କିଙ୍ଗ୍‍ ପଏଣ୍ଟ ହରାଇବେ ଏବଂ ସେ ଜିତିଥିବା ପୁରସ୍କାର ରାଶିରୁ ଅର୍ଥଦଣ୍ଡ ଭାବେ ୨୫୦,୦୦୦ ଡଲାର କଟାଯିବ। ପୁରୁଷ ସିଙ୍ଗଲ୍‍ସରେ ମିଳିତ ଭାବେ ୩୯ଟି ଗ୍ରାଣ୍ଡସ୍ଲାମ୍‍ ସିଙ୍ଗଲ୍‍ସ ଟାଇଟଲ ଜିତିଥିବା ସ୍ୱିଜରଲାଣ୍ଡର ରଜର ଫେଡେରର ଓ ସ୍ପେନ୍‍ର ରାଫେଲ ନାଦାଲ ୟୁଏସ୍‍ ଓପନ୍‍ରୁ ଓହରି ଯାଇଥିବାରୁ ୧ନଂ ଖେଳାଳି ନୋଭାକ୍‍ ଜୋକୋଭିକ୍‍ ଟାଇଟଲର ପ୍ରବଳ ଦାବିଦାର ଥିଲେ। ଜୋକୋଭିକ୍‍ ୧୭ଟି ଗ୍ରାଣ୍ଡସ୍ଲାମ୍‍ ଓ ୩ଟି ୟୁଏସ୍‍ ଓପନ୍‍ ଟାଇଟଲ ଜିତିଛନ୍ତି। ଗତ ୭ଟି ଗ୍ରାଣ୍ଡସ୍ଲାମ୍‍ ଟୁର୍ଣ୍ଣାମେଣ୍ଟରୁ ୫ଟିରେ ସେ ଚମ୍ପିଆନ୍‍ ହୋଇଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories