ବର୍ଜ୍ୟବସ୍ତୁ ପରିଚାଳନାକୁ ନେଇ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

0

ନୂଆଦିଲ୍ଲୀ : ଆପ୍‍ ସରକାରଙ୍କ ସହ କ୍ଷମତା କନ୍ଦଳକୁ ନେଇ ଚର୍ଚ୍ଚାରେ ଥିବା ଦିଲ୍ଲୀ ଉପ-ରାଜ୍ୟପାଳ ଅନୀଲ୍‍ ବୈଜଲ୍‍ଙ୍କୁ ବର୍ଜ୍ୟବସ୍ତୁ ପରିଚାଳନା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଗୁରୁବାର ତୀବ୍ର ଭର୍ତ୍ସନା କରିଛନ୍ତି। ଉପ-ରାଜ୍ୟପାଳ ନିଜକୁ ସୁପରମ୍ୟାନ କହୁଛନ୍ତି ଏବଂ ତାଙ୍କ ନିକଟରେ ସମସ୍ତ କ୍ଷମତା ଥିବା ଦର୍ଶାଉଛନ୍ତି; ମାତ୍ର ସେ ନିଜର ଦାୟିତ୍ୱ ଠିକ୍‍ରେ ତୁଲାଉ ନାହାନ୍ତି। ଦିଲ୍ଲୀ ପୌରନିଗମ ତାଙ୍କ ଅଧୀନରେ ରହିଛି; ଅଥଚ ଏଠାକାର ଆବର୍ଜନା ପରିଚାଳନା ଦିଗରେ ଉପ-ରାଜ୍ୟପାଳ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାରେ ବିଫଳ ହୋଇଛନ୍ତି। ଏପରିକି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ନ ଦେବା ସହ ପରିସ୍ଥିତି ସମୀକ୍ଷା କରି ନ ଥିବାରୁ ସୁପ୍ରିମକୋର୍ଟ ଉପ-ରାଜ୍ୟପାଳଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଦେଶରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ବନ୍ଧୀୟ ଏକ ମାମଲାର ବିଚାର କରି ସର୍ବୋଚ୍ଚ ଅଦାଲତ କହିଛନ୍ତି, ତାଙ୍କ ନିକଟରେ ସମସ୍ତ କ୍ଷମତା ରହିଥିବା ଉପ-ରାଜ୍ୟପାଳ ଦର୍ଶାଉଛନ୍ତି। ଏଣୁ ଦିଲ୍ଲୀର ସମସ୍ୟା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‍ଙ୍କୁ କେହି ଦାୟୀ କରିପାରିବେ ନାହିଁ। ଦିଲ୍ଲୀରେ ସୃଷ୍ଟ ଆବର୍ଜନା ପାହାଡ ନିମନ୍ତେ କେନ୍ଦ୍ର ଅଥବା ଦିଲ୍ଲୀ ସରକାରଙ୍କ ମଧ୍ୟରୁ କାହାକୁ ଦାୟୀ କରାଯିବ ବୋଲି ଅଦାଲତ ପ୍ରଶ୍ନ କରିଛନ୍ତି। ଦୁଇ ଦିନ ପୂର୍ବେ ସୁପ୍ରିମକୋର୍ଟ କହିଥିଲେ, ଦିଲ୍ଲୀ ଆବର୍ଜନାରେ ବୁଡି ରହିଥିବା ବେଳେ ମୁମ୍ବଇ ବର୍ଷାଜଳରେ ବୁଡିଛି। ଅଥଚ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଏଭଳି ସ୍ଥିତିରେ କୋର୍ଟ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କଲେ ବିଚାରବିଭାଗକୁ ସମାଲୋଚନା କରାଯାଉଛି। କ୍ଷମତା ଆବଣ୍ଟନ ଏବଂ ବିଚାରବିଭାଗୀୟ କ୍ଷେତ୍ରାଧିକାର ସମ୍ବନ୍ଧରେ ଲୋକେ ନାନ ମତ ଦେଉଛନ୍ତି। ଉଲ୍ଲେଖ ଯେ, ୧୩ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନେଇ ଅଦ୍ୟାବଧି ନିଜର ନୀତି ନିର୍ଦ୍ଧାରଣ କରି ନ ଥିବା ସୂଚନା ପାଇବା ପରେ ସୁପ୍ରିମକୋର୍ଟ ଏଭଳି କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ବନ୍ଧୀୟ ସତ୍ୟପାଠ ଦାଖଲ କରି ନ ଥିବାରୁ ବିହାର, ଛତିଶଗଡ଼, ଗୋଆ, ହିମାଚଳ ପ୍ରଦେଶ, ଜାମ୍ମୁ-କାଶ୍ମୀର, ପଶ୍ଚିମବଙ୍ଗ, କେରଳ, କର୍ଣ୍ଣାଟକ, ମେଘାଳୟ, ପଞ୍ଜାବ, ଲାକ୍ଷାଦ୍ୱୀପ ଏବଂ ପୁଡୁଚେରୀ ଉପରେ ସୁପ୍ରିମକୋର୍ଟ ୧ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଲାଗୁ କରିଛନ୍ତି।

Leave A Reply