ଧାରା ୩୭୭ ଏକ ସାମାଜିକ ଘୃଣା: ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ : ସମଲିଙ୍ଗୀ ଯୌନ ସମ୍ପର୍କକୁ ଅପରାଧ ବୋଲି ବିବେଚନା କରୁଥିବା ଭାରତୀୟ ପିଙ୍ଗଳ କୋଡ (ଆଇପିସି) ଧାରା ୩୭୭ର ସାମ୍ବିଧାନିକ ବୈଧତା ଉପରେ ସୁପ୍ରିମକୋର୍ଟ ଶୁଣାଣି ଜାରି ରଖିଛନ୍ତି। ବୁଧବାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ମତବ୍ୟକ୍ତ କରିଛନ୍ତି ଯେ ଏହି ଧାରା ସମାଜରେ ଘୃଣାର ବାତାବରଣ ସୃଷ୍ଟି କରୁଛି। ଏହି ଧାରାକୁ ନିଷିଦ୍ଧ କରାଗଲେ ଏଲଜିବିଟି ସମ୍ପ୍ରଦାୟ (ଲେସବିୟାନ, ଗେ, ବାଇସେକ୍ସୁଆଲ ଓ ଟ୍ରାନ୍ସଜେଣ୍ଡର) ପୂର୍ଣ୍ଣ ଜୀବନ ବିତାଇ ପାରିବେ। ଏହା ସହିତ ସମାଜକୁ ଜାଗ୍ରତ କରିବାରେ ସହାୟକ ହେବ। ତେବେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ନିଜର ଚୂଡାନ୍ତ ରାୟ ଶୁଣାଇ ନାହାନ୍ତି। ବୁଧବାର ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର କୌଣସି ପକ୍ଷ ରଖିବାକୁ ମନା କରିଛନ୍ତି। ସରକାର ଏହି ପ୍ରସଙ୍ଗକୁ ସୁପ୍ରିମକୋର୍ଟଙ୍କ ଉପରେ ଛାଡି ଦେଇଛନ୍ତି। ଆଜିର ଦ୍ୱିତୀୟ ଦିନ ଶୁଣାଣି ସମୟରେ ଅତିରିକ୍ତ ସଲିସିଟର ଜେନେରାଲ (ଏଏସଜି) ତୁଷାର ମେହେଟ୍ଟା କହିଥିଲେ ଯେ ‘ଆମେ ଏହାକୁ ଅଦାଲତଙ୍କୁ ବିଚାର ଉପରେ ଛାଡିଦେଉଛୁ।’ ସର୍ବୋଚ୍ଚ ଅଦାଲତ ଯେଉଁ ରାୟ ଦେବେ ତାକୁ ସରକାର ମାନିନେବେ। ସମ୍ମତି ଭିତ୍ତିରେ ସମଲିଙ୍ଗୀ ଯୌନ ସମ୍ପର୍କକୁ ଅପରାଧ ବିବେଚନା କରୁଥିବା ଆଇପିସି ଧାରା ୩୭୭ର ସାମ୍ବିଧାନିକ ବୈଧତା ଉପରେ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ନେତୃତ୍ୱ ପୀଠ ମଙ୍ଗଳବାର ଠାରୁ ଶୁଣାଣି କରୁଛନ୍ତି। ଏହି ପୀଠରେ ଥିବା ଅନ୍ୟ ବିଚାରପତିମାନେ ଜଷ୍ଟିସ ଆରଏଫ ନରିମାନ, ଜଷ୍ଟିସ ଏଏମ୍‍ ଖାନୱିଲକର, ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ଓ ଜଷ୍ଟିସ ଇନ୍ଦୁ ମାଲହୋତ୍ରା। ପିଟିସନ ଦାୟରକାରୀମାନେ ହେଲେ ଏସ୍‍ ଜୋହର, ସାମ୍ବାଦିକ ସୁନୀଲ ମେହଟ୍ଟା, ରୋଷେୟା ରିତୁ ଡାଲମିଆ, ହୋଟେଲ ବ୍ୟବସାୟୀ ଅମନ ନାଥ ଓ ବ୍ୟାବସାୟିକ ପ୍ରତିନିଧି ଆୟେସା କାପୁର।

Leave A Reply