www.samajalive.in
Monday, December 15, 2025
17.1 C
Bhubaneswar

ଆରଟି-ପିସିଆର ଟେଷ୍ଟ ନାଁରେ ଲୁଟୁଛନ୍ତି ଘରୋଇ ସଂସ୍ଥା

– ଅନ୍ୟ ଖର୍ଚ୍ଚ ଦର୍ଶାଇ ଅଧିକ ହଜାରେ ଟଙ୍କା ନେଉଛନ୍ତି
– ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ: ସଚିବ

ଭୁବନେଶ୍ୱର: ଆରଟି-ପିସିଆର ଟେଷ୍ଟ ପାଇଁ ରାଜ୍ୟ ସରକାର ମୂଲ୍ୟ ଧାର୍ଯ୍ୟ କରିଛନ୍ତି। ଲୋକଙ୍କ ସୁବିଧା ପାଇଁ ଦୁଇ ଦୁଇ ଥର ଏହାର ମୂଲ୍ୟ ସଂଶୋଧିତ କରାଯାଇ ଏବେ ୧୨୦୦ ଟଙ୍କା ଧାର୍ଯ୍ୟ ହୋଇଛି। କୌଣସି ଘରୋଇ ଅନୁଷ୍ଠାନ ଏହି ମୂଲ୍ୟ ଠାରୁ ଟଙ୍କାଟିଏ ବି ଅଧିକ ନେଇପାରିବେ ନାହିଁ ବୋଲି ସରକାର ଘୋଷଣା କରିଛନ୍ତି; କିନ୍ତୁ ବାସ୍ତବତା କିଛି ଭିନ୍ନ। ସରକାରୀ ଯାହା ମୂଲ୍ୟ ଧାର୍ଯ୍ୟ କରିଛନ୍ତି ତା ଠାରୁ ସବୁବେଳେ ହଜାରେ ଟଙ୍କା ନମୁନା ପରୀକ୍ଷା ପାଇଁ ଆସୁଥିବା ଏହି ଘରୋଇ ସଂସ୍ଥା ଗୁଡିକ ଅଧିକ ନେଉଥିବା ଅଭିଯୋଗ ହୋଇଆସୁଛି। ସେମାନଙ୍କୁ ପଚାରିଲେ ଅନ୍ୟାନ୍ୟ ଖର୍ଚ୍ଚ ବୋଲି ଉତ୍ତର ମିଳୁଛି।

- Advertisement -

ଭରତ ମିଶ୍ର ନାମକ ଜଣେ ବ୍ୟକ୍ତି ଟ୍ବିଟ୍ କରି ଏଭଳି ଅଭିଯୋଗ ଉଠାଇବା ସହିତ କହିଛନ୍ତି ଯେ, ସରକାର ଯେତେବେଳେ ଆରଟି-ପିସିଆର ଟେଷ୍ଟ ଦର ୨୨୦୦ ଟଙ୍କା ଧାର୍ଯ୍ୟ କରିଥିଲେ, ସେତେବେଳେ ଏକ ବେସରକାରୀ ପରୀକ୍ଷାଗାର ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ଅଧିକ ୫୦୦ ଟଙ୍କା ଯୋଡ଼ି ସମୁଦାୟ ୨୭୦୦ ଟଙ୍କା ​‌ନେଉଥିଲେ। ଏବେ ଏହି ଟେଷ୍ଟିଂ ମୂଲ୍ୟ ସରକାର ୧୨୦୦ ଟଙ୍କାକୁ ହ୍ରାସ କରିଛନ୍ତି। କିନ୍ତୁ ସେମାନେ ଏବେ ୧୦୦୦ ଟଙ୍କା ଅନ୍ୟାନ୍ୟ ଖର୍ଚ୍ଚ ପକେଇ ସମୁଦାୟ ୨୨୦୦ ଟଙ୍କା ​‌େ​‌ନଉଛନ୍ତି। ଏ ଅନ୍ୟାନ୍ୟ ଖର୍ଚ୍ଚଟି କ’ଣ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି। କେବଳ ଏହି ବ୍ୟକ୍ତି ଜଣକ ନୁହଁନ୍ତି, ଘରୋଇ ଅନୁଷ୍ଠାନକୁ ଆରଟି-ପିସିଆର ଟେଷ୍ଟ ପାଇଁ ଯାଉଥିବା ଅନେକ ସାଧାରଣ ଲୋକଙ୍କ ମୁହଁରେ ସମାନ ପ୍ରଶ୍ନ। ଘରୋଇ ଅନୁଷ୍ଠାନ ନମୁନା ପରୀକ୍ଷା ପାଇଁ କେତେ ଟଙ୍କା ନେଉଛନ୍ତି ତାହା ସରକାର ଯାଞ୍ଚ କରିବା ଆବଶ୍ୟକ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ବିଭିନ୍ନ କାରଣ ପାଇଁ ସରକାରୀ ବ୍ୟବସ୍ଥାରେ କୋଭିଡ୍ ଟେଷ୍ଟ କରିବା ସମ୍ଭବ ନୁହେଁ। ସେଥିପାଇଁ ପ୍ରତିଦିନ ଶତାଧିକ ଲୋକ ଘରୋଇ ଅନୁଷ୍ଠାନକୁ ଯାଇ ପରୀକ୍ଷା କରାଇ ନେବାକୁ ଉଚିତ ମଣୁଛନ୍ତି। ଛୁଟିରେ ଥିବା ଲୋକ, କିମ୍ବା ଗାଁ’କୁ ଯାଇ ଫେରିଥିବା ଲୋକ ଅଫିସ୍‌ କାର୍ଯ୍ୟରେ ଯୋଗଦେବା ପୂର୍ବରୁ ନେଗେଟିଭ୍ ରିପୋର୍ଟ ଆଣି ଦାଖଲ କରିବା ପାଇଁ କୁହାଯାଉଛି।
ସେହିପରି ଲକ୍ଷଣ ଥିବା ଲୋକ ଘରୋଇ ସଂସ୍ଥାରେ ନମୁନା ପରୀକ୍ଷା କରାଉଛନ୍ତି। ମାତ୍ର ଉପଯୁକ୍ତ ଯାଞ୍ଚ ଅଭାବରୁ ସରକାରୀ ମୂଲ୍ୟ ଠାରୁ ଅଧିକ ଅର୍ଥ ଗଣିବାକୁ ପଡ଼ୁଛି। ଆଇସିଏମ୍‌ଆର ଠାରୁ ଅନୁମତି ପାଇଥିବା ଘରୋଇ ସଂସ୍ଥା କ’ଣ ପାଇଁ ଅଧିକ ଅର୍ଥ ନେଉଛନ୍ତି ତାହା ସ୍ବାସ୍ଥ୍ୟ ବିଭାଗ ନିୟମିତ ଯାଞ୍ଚ କରିବାକୁ ସାଧାରଣରେ ମତ ପ୍ରକାଶ ପାଇଛି।
ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ଯେ ଅଧିକ ଅର୍ଥ ଆଦାୟ କରାଯାଉ ଥିବା ନେଇ ଅଭିଯୋଗ ଆସିଲେ ସମ୍ପୃକ୍ତ ଘରୋଇ ଅନୁଷ୍ଠାନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଏଥିସହ ଜନସାଧାରଣ ଯଦି ଘରୋଇ ଅନୁଷ୍ଠାନରେ ଶୋଷଣର ଶିକାର ହେଉଛନ୍ତି ତା ହେଲେ ସେମାନେ ସରକାରୀ କେନ୍ଦ୍ରରେ ବିନା ମୂଲ୍ୟରେ ଟେଷ୍ଟ କରିବା ଉଚିତ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
ସୂଚନାଯୋଗ୍ୟ ଯେ ଗତ ମାସ ୨୫ ତାରିଖରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ନିର୍ଦେଶନାମାରେ ଘରୋଇ ଅନୁଷ୍ଠାନରେ ଆରଟି-ପିସିଆର ଟେଷ୍ଟ ପାଇଁ ୧୨୦୦ ଟଙ୍କା ମୂଲ୍ୟ ଧାର୍ଯ୍ୟ କରାଯାଇଥିଲା। ଜିଏସ୍‌ଟି ଓ ଅନ୍ୟାନ୍ୟ ଦେୟ ସହିତ ଏହି ମୂଲ୍ୟ ଲାଗୁ କରାଯାଇଛି। ଏହା ପୂର୍ବରୁ ଗତ ମାସ ୩ ତାରିଖରେ ଆରଟି-ପିସିଆର ଟେଷ୍ଟ ଦେୟ ୨୨୦୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ତା ପୂର୍ବରୁ ଟେଷ୍ଟିଂ ଦେୟ ୪୫୦୦ ଟଙ୍କା ଥିଲା। ରାଜ୍ୟରେ ଏବେ ଆରଟି-ପିସିଆର, ଆଣ୍ଟିଜେନ୍ ଏବଂ ଟ୍ରୁନାଟ୍ ପଦ୍ଧତିରେ ଟେଷ୍ଟିଂ ହେଉଛି। ଏଥିରୁ ମୁଖ୍ୟତଃ ଆରଟି-ପିସିଆର ଏବଂ ଆଣ୍ଟିଜେନ୍ ଟେଷ୍ଟ ଅଧିକ ସଂଖ୍ୟାରେ ହେଉଥିବା ବେଳେ ଟ୍ରୁନାଟ୍ ଟେଷ୍ଟିଂ ସଂଖ୍ୟା ନଗଣ୍ୟ ରହୁଛି। ତେବେ ପ୍ରଥମେ ରାପିଡ୍ ଆଣ୍ଟି ବଡ଼ି ଟେଷ୍ଟ କରାଯାଉଥିଲା; କିନ୍ତୁ ଏହି ପଦ୍ଧତିରେ ନମୁନା ରିପୋର୍ଟ ନିର୍ଭରଯୋଗ୍ୟ ନ ହେବାରୁ ଆରଟି-ପିସିଆର ଟେଷ୍ଟ ଆରମ୍ଭ କରାଗଲା। ସାଧାରଣରେ ଆରଟି-ପିସିଆର ଟେଷ୍ଟିଂ ପ୍ରତି ଆଗ୍ରହ ପ୍ରକାଶ ପାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories