୬ କ୍ରୀଡ଼ା ବ୍ୟକ୍ତିତ୍ୱ ପାଇବେ ସ୍ପୋର୍ଟସଲଗଅନ୍‍ ପୁରସ୍କାର

0

ଭୁବନେଶ୍ୱର : କ୍ରୀଡ଼ା ୱେବସାଇଟ୍‍ ସ୍ପୋର୍ଟସଲଗଅନ୍‍ ପକ୍ଷରୁୁ ୭ମ ସ୍ପୋର୍ଟସଲଗଅନ୍‍ କ୍ରୀଡ଼ା ପୁରସ୍କାର ଘୋଷଣା କରାଯାଇଛି। କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରିଥିବା ୬ ଜଣ ବ୍ୟକ୍ତିତ୍ୱଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ହକି ଅଲିିମ୍ପିଆନ ସୁନୀତା ଲାକ୍ରା ଶ୍ରେଷ୍ଠ କ୍ରୀଡ଼ାବିତ୍‍, ପାରା ଆଥ୍‍ଲେଟ ଜୟନ୍ତୀ ବେହେରା ଉଦୀୟମାନ କ୍ରୀଡ଼ାବିତ୍‍, ଫୁଟ୍‍ବଲ ପ୍ରତିଭା ରଞ୍ଜନ ସୋରେନ ଓ ସୁନୀଲ ସୋରେନଙ୍କୁ କୁମୁଦିନୀ ମିଶ୍ର କ୍ରୀଡ଼ା ପ୍ରତିଭା ପୁରସ୍କାର, କବାଡ଼ି ପ୍ରଶିକ୍ଷକ କୃଷ୍ଣକାନ୍ତ ପଣ୍ଡାଙ୍କୁ ଶ୍ରେଷ୍ଠ କୋଚ୍‍ ଓ ବିଗତ ଦିନର ଜୁଡ଼ୋ ଖେଳାଳି ମଞ୍ଜୁଲତା ଦାସ ବିଗତଦିନର ଶ୍ରେଷ୍ଠ କ୍ରୀଡ଼ାବିତ୍‍ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ସୁନୀତା ୯ ବର୍ଷ ଧରି ଭାରତୀୟ ହକି ଦଳ ପକ୍ଷରୁ ନିୟମିତ ଭାବେ ପ୍ରତିନିଧିତ୍ୱ କରି ଆସୁଥିବା ବେଳେ ଏସିଆ କପରେ ଅଧିନାୟିକା ଦାୟିତ୍ୱ ତୁଲାଇଥିଲେ। ମହିଳା ବିଶ୍ୱକପ ହକି ଲାଗି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ପାରା ଆଥ୍‍ଲେଟ ଜୟନ୍ତୀ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଏକାଧିକ ପଦକ ବିଜୟୀ ହୋଇଛନ୍ତି। ରଞ୍ଜନ ସୋରେନ ଓ ସୁନୀଲ ସୋରେନ ବସ୍ତିରୁ ବାଇଚୁଙ୍ଗ ଭୂତିଆ ଫୁଟବଲ ସ୍କୁଲକୁ ମନୋନୀତ ହୋଇଥିବାବେଳେ କବାଡ଼ି ପ୍ରଶିକ୍ଷକ କୃଷ୍ଣକାନ୍ତ ପଣ୍ଡା ୨୮ ବର୍ଷ ଧରି ଗ୍ରାମାଞ୍ଚଳରେ କବାଡ଼ି ପ୍ରଶିକ୍ଷଣ ଯୋଗାଇ ଦେଇ ଆସୁଛନ୍ତି। ମଞ୍ଜୁଲତା ଦାସ ଜାତୀୟ ଯୁଡ଼ୋ ପ୍ରତିଯୋଗିତାରେ ପଦକ ବିଜୟୀ ମଧ୍ୟ ହୋଇଛନ୍ତି। ସ୍ପୋର୍ଟସଲଗଅନ୍‍ ପୁରସ୍କାର ବିଚାରକ କମିଟି ସଦସ୍ୟ ଅନୁଗୋଳ-ସୁକିନ୍ଦା ରେଳବାଇ ପ୍ରାଇଭେଟ ଲିମିଟେଡ୍‍ର ପରିଚାଳନା ନିର୍ଦେଶକ ଦିଲୀପ ସାମନ୍ତରାୟ, କ୍ରୀଡ଼ା ସମୀକ୍ଷକ ସମୀକ୍ଷା ପଟ୍ଟନାୟକ, ସ୍ପୋର୍ଟସଲଗଅନ୍‍ର ସହସମ୍ପାଦକ ବିନୟ ଭୂଷଣ ପଟ୍ଟନାୟକ, ଗୁଡ୍‍ ସାମାରିଟାନ ଟ୍ରଷ୍ଟର ଟ୍ରଷ୍ଟି ନନ୍ଦକିଶୋର ପଟ୍ଟନାୟକ ଓ ସ୍ପୋର୍ଟସଲଗଅନ୍‍ର ସମ୍ପାଦକ ତନ୍ମୟ ଦାସଙ୍କୁ ନେଇ ଗଠିତ ମନୋନୟନ କମିଟି ପକ୍ଷରୁ ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଆସନ୍ତା ୧୫ରେ ଜୟଦେବ ଭବନରେ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କାର ପ୍ରଦାନ କରାଯିବ।

Leave A Reply