ଗାନ୍ଧୀନଗର: ଜମି ହଡ଼ପ ଓ ଜମି ଦୁର୍ନୀତିକୁ ରୋକିବା ପାଇଁ ଗୁଜରାଟ ସରକାର ଆଣିଛନ୍ତି ନୂଆ ନିୟମ । ରାଜ୍ୟ କ୍ୟାବିନେଟ ଏହାକୁ ମଞ୍ଜୁରି ଦେଇଛି । ନୂଆ ନିୟମ ଅନୁସାରେ ଯଦି କୌଣସି ବ୍ୟକ୍ତି ଜମି ଅନିୟମିତା, ହଡ଼ପ ବା ଅନୁରୂପ ଅଭିଯୋଗରେ ଅଭିଯୁକ୍ତ ହୁଅନ୍ତି ତେବେ ତାଙ୍କୁ ୧୪ ବର୍ଷ ପର୍ଯ୍ୟନ୍ତ ଜେଲ ଭୋଗିବାକୁ ପଡ଼ିବ । ଜମି ମାଫିଆଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ଏହା ବିଶେଷ ପ୍ରଭାବଶାଳୀ ହେବ ବୋଲି ସରକାର କହିଛନ୍ତି ।
ବୁଧବାର କ୍ୟାବିନେଟ ବୈଠକରେ ଏ ସଂକ୍ରାନ୍ତରେ ଗୃହୀତ ହୋଇଥିବା ନିୟମ ସମ୍ପର୍କରେ ରାଜସ୍ବ ମନ୍ତ୍ରୀ କୌଶିକ ପଟେଲ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଜମିର ବର୍ଧିତ ମୂଲ୍ୟ ଯୋଗୁଁ ଜମି ମାଫିଆ ଜନ୍ମ ନେଇଛନ୍ତି । ଏ ସଂକ୍ରାନ୍ତରେ ବହୁ ମାମଲା ସାମ୍ନାକୁ ଆସୁଛି । ଏହାକୁ ରୋକିବା ପାଇଁ ସରକାର ନୂଆ ଆଇନ ପ୍ରସ୍ତୁତ କରିଛନ୍ତି । ଏହି ନୂଆ ଆଇନରେ ଜମି ହଡ଼ପ କରୁଥିବା ଲୋକଙ୍କୁ ୧୦ରୁ ୧୪ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର ବ୍ୟବସ୍ଥା କରାଯାଇଛି । ଏହା ସହ ଅଦାଲତରେ ମାମଲାକୁ ୬ ମାସ ମଧ୍ୟରେ ବିଚାର ଶେଷ କରିବାକୁ ମଧ୍ୟ ବ୍ୟବସ୍ଥା କରାଯାଉଛି ବୋଲି ଶ୍ରୀ ପଟେଲ୍ କହିଛନ୍ତି ।
Comments are closed.