ବିଜେପିକୁ ନାଲି ଆଖି ଦେଖାଇଲେ ନୀତୀଶ

0

ପାଟନା : ବିହାରରେ ଆସନ ଭାଗବଣ୍ଟାକୁ ନେଇ ଲାଗିରହିଥିବା ଛକାପଞ୍ଛା ମଧ୍ୟରେ ସଂଯୁକ୍ତ ଜନତା ଦଳ (ଜେଡିୟୁ) ଅଧ୍ୟକ୍ଷ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପିକୁ ନାଲି ଆଖି ଦେଖାଇଛନ୍ତି। ବିଜେପି ସହ ମେଣ୍ଟ ପାଇଁ ଜେଡିୟୁ ନିର୍ବାଚନ ଆସନ ଭାଗବଣ୍ଟାରେ କୌଣସି ବୁଝାମଣା କରିବ ନାହିଁ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି। ଏ କ୍ରମରେ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ ଜେଡିୟୁ-ବିଜେପି ମେଣ୍ଟ ବିହାରରେ ସାଙ୍ଗ ହୋଇ କାର୍ଯ୍ୟ କରୁଛନ୍ତି। ହେଲେ ଜାତୀୟସ୍ତରରେ ମେଣ୍ଟ ନେଇ କୌଣସି ଚର୍ଚ୍ଚା ହୋଇନାହିଁ। ପ୍ରକାଶ ଯେ ଏହା ପୂର୍ବରୁ ରବିବାର ଦିଲ୍ଲୀରେ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ନୀତୀଶ କହିଥିଲେ ଯେ ୨୦୧୪ ସାଧାରଣ ନିର୍ବାଚନ ଜେଡିୟୁ ପାଇଁ ସବୁଠୁ ଖରାପ ସୟମ ଥିଲା। ଏହାପରେ ବି ଦଳ ୧୭% ଭୋଟ ହାତେଇବାରେ ସକ୍ଷମ ହୋଇଥିଲା। ତେଣୁ କୌଣସି ବି ରାଜନୈତିକଳ ଦଳ ଜେଡିୟୁକୁ ଅଣଦେଖା କରିପାରିବ ନାହିଁ କି ଅସ୍ଥତ୍ୱ ନଷ୍ଟ କରିବାକୁ ଭାବି ପାରିବ ନାହିଁ। ଉଲ୍ଲେଖ ଯେ ବିହାରରେ ଆସନ ବଣ୍ଟନକୁ ନେଇ ଜୁଲାଇ ୧୨ରେ ନୀତୀଶ କୁମାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶହାକୁ ଭେଟିବେ। ଏହାକୁ ଦୃଷ୍ଟିରେ ରଖି ବିଜେପି ଉପରେ ଚାପ ପକାଇବାକୁ ନୀତୀଶ ଏପରି ଟିପ୍ପଣୀ ଦେଉଥିବା ଚର୍ଚ୍ଚା ହେଉଛି। ଅପରପକ୍ଷରେ ବିରୋଧୀ ଦଳଙ୍କ ମହାମେଣ୍ଟରେ ଯୋଗ ଦେବାର ସମ୍ଭାବନାକୁ ସେ ଖଣ୍ଡନ କରିଛନ୍ତି। ଗୋଟିଏ ଦେଶ ଏବଂ ଗୋଟିଏ ନିର୍ବାଚନକୁ ସମର୍ଥନ କରୁଥିଲେ ବି ଆଜି ଏଥିପାଇଁ ଅନୁକୂଳ ପରିସ୍ଥିତି ନାହିଁ ବୋଲି ନୀତୀଶ କହିଛନ୍ତି। ଏପରିକି ୨୦୧୯ ଭୁଲିଯାନ୍ତୁ, ୨୦୧୪ରେ ବି ଗୋଟିଏ ଦେଶ ଏବଂ ଗୋଟିଏ ନିର୍ବାଚନ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।

Leave A Reply