www.samajalive.in
Sunday, December 7, 2025
26.1 C
Bhubaneswar

ଖୋଲୁଛି ବଗଲା ଧର୍ମଶାଳା ଜମି ବିକ୍ରି ଗୁମର

ପୁରୀ : ବଗଲା ଧର୍ମଶାଳା ଜମିରେ ଶ୍ରୀଜଗନ୍ନାଥ ବିଶ୍ରାମସ୍ଥଳ ନିର୍ମାଣ ପାଇଁ ଆପତ୍ତି ବିହୀନ ପ୍ରମାଣପତ୍ର ଦେଇଥିଲା ଶ୍ରୀମନ୍ଦିର ପ୍ରଶାସନ। ପ୍ରସାଦ ଯୋଜନାରେ ସେଠାରେ କେବଳ ବିଶ୍ରାମସ୍ଥଳ ନିର୍ମାଣ କରାଯିବ ବୋଲି ଉପପ୍ରଶାସକ (ରାଜସ୍ବ) ଗତବର୍ଷ ଫେବୃଆରୀ ୫ତାରିଖରେ ପିକେଡିଏ ସଚିବଙ୍କୁ ଚିଠି ଲେଖିଥିଲେ। ଏହି ଜମି ୧୮୮୯-୯୦ ସାବକ ରେକର୍ଡରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ରହିଥିବା ସେ ଉଲ୍ଲେଖ କରିଥିଲେ। ଜମିର ସ୍ବତ୍ବ ଅମୃତମଣୋହି ରହିଥିଲା। ହାଲ୍‌ ରେକର୍ଡରେ ଏହି ଜମି ଲଜିଂ ହାଉସ ଫଣ୍ଡ କମିଟି ନାମରେ ରେକର୍ଡ ହୋଇଥିଲା। ବଗଲା ଧର୍ମଶାଳା ପୁନଃନିର୍ମାଣ ତଥା ଶ୍ରୀଜଗନ୍ନାଥ ବିଶ୍ରାମସ୍ଥଳ ନିର୍ମାଣ ପାଇଁ ରାଜ୍ୟ ପର୍ୟ୍ୟଟନ ବିଭାଗ ସହକାରୀ ନିର୍ଦେଶକ ପିକେଡିଏ ଠାରୁ ଅନୁମତି ମାଗିଥିଲେ। ପ୍ରସାଦ ଯୋଜନାରେ ଏଥିପାଇଁ ୧୮କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ବଗଲା ଧର୍ମଶାଳା ଜମିରେ ବିଶ୍ରାମସ୍ଥଳ ନିର୍ମାଣ ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ସମେତ ପୁରୀ ତହସିଲଦାର, ପୌରସଂସ୍ଥା, ଅଗ୍ନିଶମ ବିଭାଗ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆପତ୍ତି ବିହୀନ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପିକେଡିଏ ଗୃହନିର୍ମାଣ ଅନୁମତି କମିଟି ବୈଠକରେ ସର୍ତ୍ତମୂଳକ ଭାବେ ବିଶ୍ରାମସ୍ଥଳ ନିର୍ମାଣ ପାଇଁ ଅନୁମତି ଦେବାକୁ ସ୍ଥିର କରାଯାଇଥିଲା। ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏହି ପ୍ରସ୍ତାବକୁ ଅନୁମୋଦନ କରିଥିଲେ।

ଭାରତୀୟ ପର୍ୟ୍ୟଟନ ଉନ୍ନୟନ ନିଗମକୁ ବିଶ୍ରାମସ୍ଥଳ ନିର୍ମାଣ ଦାୟିତ୍ବ ଦିଆଯାଇଥିଲା। ନିର୍ମାଣ କାର୍ୟ୍ୟ ଚାଲିଥିବା ବେଳେ ତାହାକୁ ହଠାତ ବନ୍ଦ କରାଯାଇ ବଗଲା ଧର୍ମଶାଳା ଜମି ପ୍ଲଟିଂ କରାଯାଇଛି। ସେଥିରୁ ୬ଟି ପ୍ଲଟ ଭିତର ସେବାୟତ ନିଯୋଗ ସମେତ ୬ଜଣ ଲଜିଂ ମାଲିକଙ୍କୁ ଜିଲାପାଳ ବିକ୍ରି କରିଛନ୍ତି। ତେବେ ଏଥିନେଇ ଆଉ ଏକ ବଡ଼ ରହସ୍ୟ ଲୋକ ଲୋଚନକୁ ଆସିଛି। ବଗଲା ଧର୍ମଶାଳା ଜମି ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ ହୋଇଥିବା ଲଜିଂ ମାଲିକଙ୍କୁ ବିକ୍ରି ପାଇଁ ଜିଲା ପ୍ରଶାସନ ସରକାରଙ୍କୁ ଦେଇଥିବା ପ୍ରସ୍ତାବରେ ଏହା ଦାନରେ ମିଳିଥିବା ‌େ‌ନଇ କୌଣସି ତଥ୍ୟ ଦିଆଯାଇ ନଥିଲା। ସରକାରଙ୍କୁ ଏ ସମ୍ପର୍କରେ ଏପର୍ୟ୍ୟନ୍ତ ଅନ୍ଧାରରେ ରଖାଯାଇଥିବା ଜଣାପଡିଛି। ୧୯୦୫ ମସିହାରେ ବାବୁ କହ୍ନେୟାଲାଲ ବଗଲା ନାମକ ଜଣେ ବ୍ୟକ୍ତି ବଗଲା ଧର୍ମଶାଳା ନିର୍ମାଣ କରି ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ପୁରୀ ଆସୁଥିବା ତୀର୍ଥଯାତ୍ରୀଙ୍କୁ ସୁଲଭ ମୂଲ୍ୟରେ କୋଠରି ଯୋଗାଇବା ଉଦ୍ଦେଶ୍ୟରେ ଜିଲା ମାଜିଷ୍ଟ୍ରେଟ ଏବଂ ଲଜିଂ ହାଉସ ଫଣ୍ଡ କମିଟି ସଭାପତିଙ୍କୁ ଦାନ କରିଥିଲେ। ୨୦୧୯ ନଭେମ୍ବର ୪ତାରିଖ ପର୍ୟ୍ୟନ୍ତ ବଗଲା ଧର୍ମଶାଳା ଜମି ଲଜିଂ ହାଉସ ଫଣ୍ଡ ନାମରେ ରହିଥିଲା। ଜିଲାପାଳଙ୍କ ନିର୍ଦେଶକ୍ରମେ ଅତିରିକ୍ତ ତହସିଲଦାର ତାହାକୁ ରାଜସ୍ବ ବିଭାଗ ନାମରେ ରେକର୍ଡ କରି ଦେଇଥିଲେ। ଏହାପରେ ଧର୍ମଶାଳା ଜମି ବିକ୍ରି ପାଇଁ ବାଟ ଫିଟିଥିଲା।

- Advertisement -

ବଗଲା ଧର୍ମଶାଳା ଜମି ସାବକ ରେକର୍ଡରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଥିବାରୁ ତାହାକୁ କିପରି ୬ଜଣ ଲଜିଂ ମାଲିକଙ୍କୁ ଜିଲାପାଳ ବିକ୍ରି କଲେ ସେଥିନେଇ ଆଉ ଏକ ଆଇନଗତ ବିବାଦ ମୁଣ୍ଡ ଟେକିଛି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅମୃତମଣୋହି ଜମି ବିକ୍ରି ପାଇଁ ରାଜ୍ୟ ସରକାର କିପରି ଅନୁମତି ଦେଲେ ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏହାଛଡା ବଗଲା ଧର୍ମଶାଳା ଜମିରେ ଶ୍ରୀଜଗନ୍ନାଥ ବିଶ୍ରାମସ୍ଥଳ ନିର୍ମାଣ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପିକେଡିଏକୁ ଆପତ୍ତି ବିହୀନ ପ୍ରମାଣପତ୍ର ଦିଆଯାଇଥିବା ବେଳେ ତାହାକୁ ଖଣ୍ଡ ଖଣ୍ଡ କରି ବିକ୍ରି କରାଯାଉଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ ହୋଇଥିବା ଲଜିଂ ମାଲିକଙ୍କୁ ପୁରୀ ସହରର କେଉଁ ସ୍ଥାନରେ ଜମି ଯୋଗାଯିବ ସେଥିନେଇ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗତବର୍ଷ ସେପ୍ଟେମ୍ବର ମାସରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ବଗଲା ଧର୍ମଶାଳା ଜମି ଲଜିଂ ମାଲିକଙ୍କୁ ଦେବାପାଇଁ ସେଥିରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ୧୯୦୫ ମସିହାରେ କହ୍ନେୟାଲାଲ ବଗଲା ଏହି ଜମି ଏବଂ ଧର୍ମଶାଳା ପ୍ରଦାନ କରିଥିବା ସମ୍ପର୍କରେ ଜିଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇ ନଥିବା ଜଣାପଡିଛି। ତେବେ ଏ ସମ୍ପର୍କରେ ସରକାରଙ୍କୁ ଜଣାଇବାର କୌଣସି ଆବଶ୍ୟକତା ନଥିବା ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ ପ୍ରକାଶ କରିଛନ୍ତି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories