www.samajalive.in
Monday, December 8, 2025
14.1 C
Bhubaneswar

ବ୍ୟାଙ୍କ ମାଡାମ୍‍ ସଲାମିଙ୍କୁ ସଲାମ୍‍

କୋରାପୁଟ: ପଲ୍ଲୀ ଅଞ୍ଚଳର ଝିଅ। ନିଜର ପ୍ରତିଭା ବଳରେ ଆଜି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି। ସେ ନିଜ ପାଇଁ କିଛି କହିନାହାନ୍ତି। କିନ୍ତୁ ତାଙ୍କ ପ୍ରତିଭା ଓ ଦକ୍ଷତା ସାଙ୍ଗକୁ ସେବା ମନୋଭାବ ଆଜି ତାଙ୍କୁ ରାଜ୍ୟସ୍ତରରେ ଚର୍ଚ୍ଚିତ କରିପାରିଛି। ଆର୍ଥିକ ଅନଟନର ଶିକାର ବାପା କୁଲି ମଜୁରି କାମ କରି ପରିବାର ପ୍ରତିପୋଷଣ କରୁଥିବାବେଳେ ତାଙ୍କ ଘରର ବଡ଼ ଝିଅ ସଲାମି ଶଶାଙ୍କରଙ୍କ ସେବା କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ଟୁଇଟ କରି ପ୍ରଶଂସା କରିବା ପରେ ଚର୍ଚ୍ଚାକୁ ଆସିଛନ୍ତି ସଲାମି। ତାଲା ବନ୍ଦ ସମୟରେ ସମସ୍ତେ ଘରେ ରହୁଥିବାବେଳେ ଲକ୍ଷ୍ମୀପୁର ବ୍ଲକ ତୋୟାପୁଟ ପଞ୍ଚାୟତର ୧୦ଟି ଗାଁକୁ ବୁଲି ବୁଲି ଲୋକଙ୍କୁ ଦ୍ୱାର ମୁହଁରେ ବ୍ୟାଙ୍କ ସେବା ଯୋଗାଇ ଦେଉଛନ୍ତି ସଲାମି। କେବଳ ସେତିକି ନୁହେଁ ବର୍ଷା ସତ୍ତ୍ବେ ଗାଁ ଗାଁରେ ପହଞ୍ଚି ଲୋକଙ୍କୁ କାଳିଆ ଯୋଜନା, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ସାଙ୍ଗକୁ ସମସ୍ତ ପ୍ରକାର ସରକାରୀ ଯୋଜନା, ଟଙ୍କା ଜମା, ନେଣଦେଣ ଆଦି ସେବା ଯୋଗାଇବା ସହ ଲୋକଙ୍କୁ କରୋନା ଉପରେ ସଚେତନତା ସୃଷ୍ଟି କରି ସମସ୍ତ ପାଖରେ ବ୍ୟାଙ୍କ ମାଡାମ ରୂପରେ ପରିଚିତ ହୋଇପାରିଛନ୍ତି।

କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ତୋୟାପୁଟ ନିବାସୀ ସଲାମିଙ୍କ ଶିକ୍ଷାଗତ ଯୋଗ୍ୟତା କହିଲେ ଲକ୍ଷ୍ମୀପୁର କଲେଜରେ ବିଏ ପାଠ ପଢ଼ିବା ପରେ ସେ ଆଉ ଆଗକୁ ବଢ଼ିନାହାନ୍ତି। ତାଙ୍କ ବାପା ରମେଶ ଶଶାଙ୍କର ପରିବାର ପ୍ରତିପୋଷଣ ପାଇଁ କୁଲି ଓ ଦିନ ମଜୁରିଆ ଭାବେ ଖଟି ପରିବାର ଚଳାନ୍ତି। ମା’ ସେବତୀ ଶଶାଙ୍କର ପିଲାଙ୍କ ପାଇଁ ଦିନରାତି ଏକ କରି ଦେଇଛନ୍ତି। ୨୭ବର୍ଷୀୟା ସଲାମି ଘରର ବଡ଼ ଝିଅ ହୋଇଥିବାବେଳେ ତାଙ୍କ ତଳେ ଦୁଇ ଭାଇ ଅଛନ୍ତି। ଏବେ ପରିବାର ପ୍ରତିପୋଷଣ ଭାର ସଲାମିଙ୍କ ଉପରେ ଏକ ପ୍ରକାର ଲଦି ହୋଇଯାଇଛି। ଓଡ଼ିଶା ଜୀବିକା ମିଶନ ପକ୍ଷରୁ ତୋୟାପୁଟରେ ଏକ କଷ୍ଟମର ସର୍ଭିସ ପଏଣ୍ଟ କରି ଲୋକଙ୍କୁ ବ୍ୟାଙ୍କ ସେବା ଯୋଗାଇ ଆସୁଥିଲେ ସଲାମି। ମାର୍ଚ୍ଚ ମାସରେ କରୋନା ପାଦ ଥାପିବା ପରେ ଲୋକମାନେ ଆଉ ଆସିପାରିଲେ ନାହିଁ। ବନ୍ଦ ହୋଇଗଲା ବ୍ୟାଙ୍କ ସେବା। ଗମନାଗମନ ଠପ୍‍ ହୋଇଯିବାରୁ ସବୁକିଛି ବାଧାପ୍ରାପ୍ତ ହେଲା। ଏଭଳି ସମୟରେ ତାଲା ବନ୍ଦ ବେଳେ ଘରୁ ଗୋଡ଼ କାଢ଼ିବାକୁ ନିଷ୍ପତ୍ତି ନେଲେ ସଲାମି। ଲୋକଙ୍କ ପାଖରେ ପୂର୍ବ ଭଳି ବ୍ୟାଙ୍କ ସେବା ଯୋଗାଇଦେବା ପାଇଁ ସେ ଅଣ୍ଟା ଭିଡ଼ି ଏକ ଲାପଟପ ଧରି ଗାଁକୁ ଗାଁ ବୁଲି ଆରମ୍ଭ କଲେ ସେବା କାର୍ଯ୍ୟ। ତାଲା ବନ୍ଦ ପୂର୍ବରୁ ଲୋକେ ତାଙ୍କ ନିକଟକୁ ଆସୁଥିବାବେଳେ ଏବେ ସେ ଏ ଗାଁରୁ ସେ ଗାଁରେ ଘରକୁ ଘର ବୁଲି ସେବା ପ୍ରଦାନ କରୁଛନ୍ତି। ବର୍ଷା ହେଲେ ତମ୍ବୁ ଟାଣି ମଧ୍ୟ ଲୋକଙ୍କୁ ସେବା ଯୋଗାଉଛନ୍ତି ସଲାମି। ଗାଁ ଗାଁରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଲୋକଙ୍କୁ ବ୍ୟାଙ୍କିଙ୍ଗ ସେବା ଯୋଗାଇବା ସହ ସଲାମି ଲୋକଙ୍କୁ କରୋନା ମହାମାରୀ ଉପରେ ସଚେତନତା ସୃଷ୍ଟି କରୁଛନ୍ତି। ସାମାଜିକ ଦୂରତା ଅବଲମ୍ବନ କରି ସମସ୍ତ ସତର୍କତାର ସହ ସେ ସେବା ଯୋଗାଉଥିବା କହନ୍ତି। ସଲାମିଙ୍କ ଏଭଳି କାର୍ଯ୍ୟ ସମ୍ପର୍କରେ ନଜରକୁ ଆସିବା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ସଲାମିଙ୍କ ଏଭଳି ନିରବଚ୍ଛିନ୍ନ ସେବା କାର୍ଯ୍ୟ ପାଇଁ ଉଚ୍ଚ ପ୍ରଶଂସା କରିବା ସହ ତାଙ୍କର ଏଭଳି ନିରବଚ୍ଛିନ୍ନ ଶିକ୍ଷାପ୍ରାପ୍ତ ବ୍ୟାଙ୍କିସେବା ଉପାନ୍ତ ଅଞ୍ଚଳରେ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ବହୁ ମାତ୍ରାରେ ସହାୟକ ହେବ ଓ ବିଭିନ୍ନ ଜନମଙ୍ଗଳକାରୀ ଯୋଜନା ଲୋକଙ୍କ ନିକଟରେ ପହଞ୍ଚିପାରିବ ବୋଲି ଆଶା ପ୍ରକାଶ କରି ତାଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ସଲାମିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଏଭଳି ପ୍ରଶଂସା ପରେ କୋରାପୁଟରେ ତାଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

- Advertisement -

ଏଠାରେ ପ୍ରକାଶଥାଉକି ଯେଉଁ ପଞ୍ଚାୟତ ଅଞ୍ଚଳରେ ବ୍ୟାଙ୍କିଙ୍ଗ ସେବା ନାହିଁ ସେହିସବୁ ଅଞ୍ଚଳରେ ବ୍ୟାଙ୍କ ଗୁଡ଼ିକ ସହାୟତାରେ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ଲୋକଙ୍କୁ କ୍ଷୁଦ୍ର ଅର୍ଥ ପ୍ରଦାନ ସେବା ଯୋଗାଇବା ଲକ୍ଷ୍ୟରେ ବିଭିନ୍ନ ଗ୍ରାହକ ସେବାକେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏ ନେଇ ଓଏଲଏମ ଜିଲା ପ୍ରକଳ୍ପ ପରିଚାଳିକା ସୁସ୍ମିତା ସାମନ୍ତରାୟଙ୍କ ସହ ସେ ସଲାମିଙ୍କ ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିବା ସହ ତାଲା ବନ୍ଦ ବେଳେ ସମସ୍ତେ ହାତ ବାନ୍ଧି ବସିଥିବାବେଳେ ସଲାମି ନିଜସ୍ୱ ଉଦ୍ୟମରେ ଗାଁକୁ ଗାଁକୁ ବୁଲି ୨କୋଟି ଟଙ୍କାର ବ୍ୟାଙ୍କିଙ୍ଗ କାରବାର କରିପାରିଥିବା ଏବଂ ଏଥିଯୋଗୁଁ ପ୍ରାୟ ୬୯ହଜାର ଟଙ୍କା ରୋଜଗାର କରିପାରିଥିବା ସୂଚନା ଦେଇଛନ୍ତି। ତାଙ୍କର ଉଦ୍ୟମ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହୋଇପାରିବ ବୋଲି ଆଶା ପ୍ରକାଶ କରିଛନ୍ତି। ଓଡ଼ିଶା ଜୀବିକା ମିଶନ ପକ୍ଷରୁ ପ୍ରତ୍ୟେକ ଅଞ୍ଚଳରେ ଏସଏଚଜି ସଦସ୍ୟାଙ୍କୁ ଚିହ୍ନଟ କରି ବ୍ୟବସାୟିକ କେନ୍ଦ୍ର (ବ୍ୟାଙ୍କିଙ୍ଗ ସେବା ପାଇଁ )ପ୍ରାୟ ୮୫ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଏ ବର୍ଷ ଜିଲାରେ ଏପରି ୨୦ଟା ବ୍ୟବସାୟିକ କେନ୍ଦ୍ର କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଓ ସେପ୍ଟେମ୍ବର ସୁଦ୍ଧା ଏସବୁ ଶେଷ କରାଯାଇ ଅଧିକ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ସେ ସୂଚନା ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories