ସ୍ପେନ୍‍ ପ୍ରଶିକ୍ଷକ ହିଏରୋଙ୍କ ଇସ୍ତଫା

0

ମାଦ୍ରିଦ୍‍ : ଚଳିତ ଫୁଟ୍‍ବଲ ବିଶ୍ୱକପ୍‍ରେ ଦଳର ବିଫଳତା ଯୋଗୁଁ ଆଉ ଏକ ମୁଣ୍ଡ ଗଡ଼ିଛି। ଏହି ବିଶ୍ୱକପ୍‍ରେ ସ୍ପେନ୍‍ ଦଳର ପ୍ରଶିକ୍ଷକ ଥିବା ଫର୍ଣ୍ଣାଣ୍ଡୋ ହିଏରୋ ଇସ୍ତଫା ଦେଇଛନ୍ତି। ରବିବାର ସ୍ପେନ୍‍ ଫୁଟ୍‍ବଲ ମହାସଂଘ ପକ୍ଷରୁ ଏହି ଘୋଷଣା କରାଯାଇଛି। ଏହି ବିଶ୍ୱକପ୍‍ ପୂର୍ବରୁ ଜୁଲେନ୍‍ ଲୋପେଟେଗୁଇ ସ୍ପେନ୍‍ର ପ୍ରଶିକ୍ଷକ ଥିଲେ। ହେଲେ ବିଶ୍ୱକପ୍‍ ଆରମ୍ଭ ପୂର୍ବରୁ ଜୁଲେନ୍‍ ଇସ୍ତଫାଦେବାରୁ ହିଏରୋଙ୍କୁ ଏହି ଦାୟିତ୍ୱ ଦିଆ ଯାଇଥିଲା। ତେବେ ରୁଷିଆରେ ଆୟୋଜିତ ବିଶ୍ୱକପ୍‍ର ପ୍ରିକ୍ୱାର୍ଟରଫାଇନାଲରୁ ସ୍ପେନ୍‍ ବିଦାୟନେବା ପରେ ହିଏରୋ ମଧ୍ୟ ଇସ୍ତଫା ଦେଇଛନ୍ତି।
ବିଶ୍ୱକପ୍‍ରେ ପ୍ରଶିକ୍ଷକ ଦାୟିତ୍ୱ ନେବା ପୂର୍ବରୁ ହିଏରୋଙ୍କର କୌଣସି ପ୍ରଶିକ୍ଷଣ ଅଭିଜ୍ଞତା ନଥିଲା। ସ୍ପେନ୍‍କୁ ଏହି ବିଶ୍ୱକପ୍‍ର ଅନ୍ୟତମ ଫେଭରିଟ୍‍ର ମାନ୍ୟତା ମିଳିଥିଲା। ତେବେ ଲିଗ୍‍ ପର୍ଯ୍ୟାୟରେ ସ୍ପେନ୍‍ ସେପରି ଭଲ ପ୍ରଦର୍ଶନ କରି ପାରିନଥିଲା। ଆୟୋଜକ ରୁଷିଆଠାରୁ ସ୍ପେନ୍‍ ପ୍ରିକ୍ୱାର୍ଟରଫାଇନାଲ ପର୍ଯ୍ୟାୟରେ ପେନାଲ୍‍ଟି ସୁଟ୍‍ଆଉଟରେ ପରାସ୍ତହୋଇ ବିଦାୟ ନେଇଥିଲା। ଏହି ପରାଜୟ ପରେ ସ୍ପେନ୍‍ର ଖେଳାଳି ଓ ପ୍ରଶିକ୍ଷକ ହିଏରୋଙ୍କୁ ତୀବ୍ର ସମାଲୋଚନା କରା ଯାଇଥିଲା। ପୁଣି ପ୍ରଶିକ୍ଷକ ହେବା ପୂର୍ବରୁ ହିଏରୋ ସ୍ପେନ୍‍ ଫୁଟ୍‍ବଲ ମହାସଂଘର ବୈଷୟିକ ନିର୍ଦେଶକ ଥିଲେ। ତେବେ ସେ ଏହି ଦାୟିତ୍ୱ ଆଉ ଗ୍ରହଣ କରିବେନାହିଁ ବୋଲି ହିଏରୋ ଜଣାଇ ଦେଇଛନ୍ତି। ଏହି ବିଶ୍ୱକପ୍‍ ପରେ ସ୍ପେନ୍‍ର ବରିଷ୍ଠ ଖେଳାଳି ଆଣ୍ଡ୍ରେସ୍‍ ଇନିଏଷ୍ଟା ଆନ୍ତର୍ଜାତିକ ଫୁଟ୍‍ବଲରୁ ଅବସର ନେଇଥିଲେ।

Leave A Reply