କାହ୍ନାକୁ ବାନ୍ଧିପାରୁନି ସୁନ୍ଦରୀ ପ୍ରେମ

0

ଭୁବନେଶ୍ବର :ସାତକୋଶିଆର ​ଜ୍ବାଇଁ ମର୍ଯ୍ୟାଦାରେ ଥିବା ଅତିଥି କାହ୍ନା ବାଘକୁ ରୁଦ୍ଧ କୋଠରିରୁ ମୁକ୍ତ କରାଯିବା ପରେ ସେ ଏପର୍ଯ୍ୟନ୍ତ ବାହୁଡି ନାହିଁ। ୩ଦିନ ହେଲାଣି ସାତକୋଶିଆ ଜଙ୍ଗଲରେ ନିଜର ମୁକ୍ତ ଛନ୍ଦରେ ଘୂରି ବୁଲିବାର ମଜା ଚାଖୁଛି। ହେଲେ ଏସବୁରେ ତା’ର ମନ ବୁଝୁନି। ଘରେ ଓ ଜଙ୍ଗଲରେ ହରିଣ ଓ ସମ୍ବରଠାରୁ ଆରମ୍ଭ କରି ମିରିଗ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ତୃଣଭୋଜି ଖାଦ୍ୟ ସାଇତା ରଖାଯାଇଛି। ହେଲେ ସେଥିରେ ମଧ୍ୟ ତା’ର ମନର ତୃଷ୍ଣା ମେଣ୍ଟୁନି। ଜୀବନ ଯାକ ଲଢ଼ୁଆ ବାଘ ଓ ବାଘୁଣୀଙ୍କ ମେଳରେ ଯାହାର ଦିନ କଟୁଥିଲା, ତାକୁ ଘର ​ଜ୍ବାଇଁ ହୋଇ ରହିବା ଖଟକା ଲାଗୁଛି। ଉଦୟଠାରୁ ଅସ୍ତ ପର୍ଯ୍ୟନ୍ତ କାହ୍ନା ଶିକାର ଅନ୍ବେଷଣରେ ବ୍ୟସ୍ତ ରହୁଥିଲା। କିନ୍ତୁ ଏବେ ସାତକୋଶିଆର ବିଶାଳ ସାମ୍ରାଜ୍ୟରେ ଥିବା ଅଯାଚିତ ଆହାରର ସ୍ବାଦ ପ୍ରତି ତା’ର ଆଗ୍ରହ ଆସୁନି। ଏମିତିକି ବାଘୁଣୀ ‘ସୁନ୍ଦରୀ’ର ମନ୍ଦମନ୍ଦ ଗନ୍ଧ ତାକୁ ମଧ୍ୟ ବାନ୍ଧିପାରୁନାହିଁ। ମହାବାଳ କାହ୍ନାର ଏହି ଲକ୍ଷଣକୁ ନେଇ ସାତକୋଶିଆ ବନଖଣ୍ଡ ସହିତ ରାଜ୍ୟ ସରକାର ଚିନ୍ତାରେ ଅଛନ୍ତି। ଯେଉଁ ଆଭିମୁଖ୍ୟ ନେଇ କାହ୍ନା ଓ ସୁନ୍ଦରୀକୁ ଓଡ଼ିଶାକୁ ଅଣାଯାଇଛି ତାହା କେବେ ସଫଳ ହେବ ସେହି ଚିନ୍ତା ଏବେ ଜଙ୍ଗଲ ଓ ପରିବେଶ ବିଭାଗ ମୁଣ୍ଡରେ।
ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସୂଚନା ଅନୁଯାୟୀ ଓଡ଼ିଶାରେ ପ୍ରଥମଥର ପାଇଁ ବାଘବଂଶ ସୃଷ୍ଟି କରିବା ଲାଗି ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଇଛି। ଏଥିପାଇଁ ସାତକୋଶିଆ ଜଙ୍ଗଲର ୧୦ କିଲୋମିଟର ବ୍ୟାପ୍ତ ପରିଧିକୁ ବାଘମାନଙ୍କ ଚରାଭୂଇଁ ନିମନ୍ତେ ପ୍ରସ୍ତୁତ କରାଯାଇଛି। ବାଘ ଓ ବାଘୁଣୀ କିଭଳି ଅନାୟାସରେ ଚରାବୁଲା କରିପାରିବେ ଏବଂ ସେମାନଙ୍କ ବଂଶ ବିସ୍ତାର କରିବେ ସେଥିପାଇଁ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ଭାବେ ଜଙ୍ଗଲ ଓ ଜଳାଶୟ ସୃଷ୍ଟି କରାଯାଇଛି।
ଏହାବାଦ୍ ତା’ର ଗତିବିଧି ନିରୀକ୍ଷଣ କରିବାପାଇଁ ବିଭିନ୍ନ ସ୍ଥାନରେ ସିସି କ୍ୟାମେରା ଲଗାଯାଇଛି। ବିଶେଷ କରି କାହ୍ନା ବେକରେ ଲଗାଯାଇଥିବା ଜିପିଏସରୁ ସ୍ପଷ୍ଟ ଜଣାପଡିବ ଯେ ସେ କେଉଁ ଅଞ୍ଚଳରେ କେତେ ସମୟ ରହୁଛି। ତା’ର ଗତିବିଧିର ଟିକିନିଖି ବିବରଣୀ ରଖିବାପାଇଁ ସ୍ବତନ୍ତ୍ର ନିୟନ୍ତ୍ରଣ କକ୍ଷ କରାଯାଇଛି। ସାତକୋଶିଆରେ ଥିବା ୨ଟି ଗ୍ରାମକୁ ସେଠାରୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଯାଇଛି। ଏହାବାଦ୍ ବାଘୁଣୀ ସୁନ୍ଦରୀର ପରିସ୍ରାକୁ ସଂରକ୍ଷଣ କରାଯାଇ କାହ୍ନା କରିଡର ଏବଂ ତା’ର ଆଡ୍ଡାରେ ସିଞ୍ଚନ କରାଯାଇଛି। ଯାହାଦ୍ବାରା କି କାହ୍ନା ପ୍ରକୃତିର ନିୟମ ଅନୁଯାୟୀ ବୁଝି ପାରିବ ଯେ ତା’ର କେହି ସାଥୀ ଆଖପାଖରେ ରହିଛି। ଏବେ ସେ ବେଶି ଚରାବୁଲା କରିବାକୁ ଭଲ ପାଉଛି। ଏହି ଅଞ୍ଚଳ ସହିତ ନିଜକୁ ଖାପଖୁଆଇବା ପାଇଁ ଆଉ କିଛିଦିନ ଲାଗିବ। ଏହାପରେ ବାଘ ଓ ବାଘୁଣୀ ଏକାଠି ରହିଲେ ତାଙ୍କ ବଂଶବିସ୍ତାର ସହଜ ହେବ ଏବଂ ସରକାରଙ୍କ ଆଶା ପୂରଣ ହେବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

Leave A Reply