ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା

0

କଲକାତା : ତ୍ରିପୁରାରେ ଭ୍ଲାଡିମୀର ଲେନିନ୍‌ ଓ ତାମିଲନାଡୁରେ ପେରିୟାରଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାଯାଇଥିବା ଘଟଣା ବର୍ତ୍ତମାନ ଦେଶର ରାଜନୈତିକ ବାତାବରଣକୁ ସରଗରମ କରିଥିବାବେଳେ ବୁଧବାର ସିପିଏମ ସମର୍ଥକମାନେ କଲକାତା ସହରରେ ଥିବା ଜନସଂଘ ପ୍ରତିଷ୍ଠାତା ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଦେଇଛନ୍ତି। ପୁଲିସ ଏ ଘଟଣାରେ ଜଣେ ଯୁବତୀଙ୍କ ସମେତ ମୋଟ ୬ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ଯାଦବପୁର ବିଶ୍ୱବିଦ୍ୟାଳୟର ଛାତ୍ର ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଅଭିଯୁକ୍ତମାନେ ହାତୁଡି ଓ କଳା ରଙ୍ଗ ନେଇ ଦକ୍ଷିଣ କଲକାତାସ୍ଥିତ କେଓରାତଲା ଶ୍ମଶାନରେ ପହଞ୍ଚିଥିଲେ। ତିନିଜଣ ଯୁବକ ସେଠାରେ ଥିବା ଶ୍ୟାମାପ୍ରସାଦଙ୍କ ପ୍ରତିମୂର୍ତ୍ତି ଉପରକୁ ଚଢିଯାଇ ସେଥିରେ ଭଙ୍ଗାରୁଜା କରିଥିବାବେଳେ ଅନ୍ୟ ତିନିଜଣ ପ୍ରତିମୂର୍ତ୍ତିର ମୁହଁରେ କଳାରଙ୍ଗ ବୋଳିଥିଲେ। ଏତିକିରେ ସେମାନଙ୍କର କ୍ରୋଧ ପ୍ରଶମିତ ହୋଇନଥିଲା। ସେମାନେ ବିଜେପି ବିରୋଧରେ ବିଭିନ୍ନ ସ୍ଲୋଗାନ ଦେବାସହିତ ଲେନିନ୍‌ ଓ ପେରିୟାରଙ୍କ ପ୍ରତିମୂର୍ତ୍ତି କାହିଁକି ଭଙ୍ଗାଗଲା, ସେ ସମ୍ପର୍କରେ ବିଜେପି ହାଇକମାଣ୍ଡ କୈଫିୟତ ଦିଅନ୍ତୁ ବୋଲି ଦାବି ମଧ୍ୟ କରିଥିଲେ। ଯୁବକଙ୍କ ଏତାଦୃଶ କାର୍ଯ୍ୟକୁ ସ୍ଥାନୀୟ ବାସିନ୍ଦା ପ୍ରଥମେ ବିରୋଧ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା। ଫଳରେ ସେମାନେ ପୁଲିସକୁ ସୂଚନା ଦେଇଥିଲେ। ଏହି ଘଟଣାକୁ ପଶ୍ଚିମବଙ୍ଗ ବିଜେପି ଶାଖା ପକ୍ଷରୁ ସମାଲୋଚନା କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ ଭବିଷ୍ୟତରେ ଆମେ ଏହି ପ୍ରତିମୂର୍ତ୍ତିକୁ ଅଧିକ ସୁନ୍ଦର ଭାବେ ଗଢିବୁ ବୋଲି ରାଜ୍ୟ ବିଜେପି ଶାଖାର ସମ୍ପାଦକ ସାୟନ୍ତନ ବସୁ କହିଛନ୍ତି। ପଚାଶ ଦଶକରେ ଶ୍ୟାମାପ୍ରସାଦ ମୁଖାର୍ଜୀ ଭାରତୀୟ ଜନସଂଘ ପ୍ରତିଷ୍ଠା କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅଟଳ ବିହାରୀ ବାଜପେୟୀ ଭାରଜୀୟ ଜନତା ପାର୍ଟି (ବିଜେପି) ଗଠନ କରିଥିଲେ।

Leave A Reply