ଦିଲ୍ଲୀ କ୍ଷମତା କନ୍ଦଳ: ସୁପ୍ରିମକୋର୍ଟଙ୍କ ନିର୍ଦେଶର ଉଲ୍ଲଂଘନ

0

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ କ୍ୟାବିନେଟ୍‍ ନିଷ୍ପତ୍ତିକୁ ଅଟକାଇବାର ଅଧିକାର ଉପରାଜ୍ୟପାଳଙ୍କ ନାହିଁ ବୋଲି ସୁପ୍ରିମକୋର୍ଟ ଗତ କାଲି ରାୟ ଶୁଣାଇଥିଲେ। କିନ୍ତୁ ଏହାର କୌଣସି ପ୍ରଭାବ ଦିଲ୍ଲୀ ଶାସନ ଓ ପ୍ରଶାସନ ବ୍ୟବସ୍ଥାରେ ପଡ଼ିଥିବା ଜଣାପଡ଼ୁନି। ଆଜି ଦିଲ୍ଲୀର ଆପ୍‍ ସରକାରଙ୍କ ଏକ ନିର୍ଦେଶକୁ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ନାକଚ କରିଦିଆଯାଇଛି। ଏହି ଘଟଣା ପରେ ଆପ୍‍ ଉପରାଜ୍ୟପାଳଙ୍କ ବିରୋଧରେ ଅଦାଲତ ଅବମାନନା ଅଭିଯୋଗ ଆଣି ପୁଣି ଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି କହିଛି।
କେତେକ ଅଧିକାରୀଙ୍କ ବଦଳି ପାଇଁ ଆପ୍‍ ସରକାର ନିର୍ଦେଶ ଦେଇଥିଲେ। କିନ୍ତୁ ସେବା ବିଭାଗ ଉପରାଜ୍ୟପାଳଙ୍କ ଅଧୀନରେ ଥିବା ଦର୍ଶାଇ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଉକ୍ତ ତାଲିକାକୁ ବାତିଲ୍‍ କରି ଦିଆଯାଇଥିଲା। ଜମିଜମା ସଂକ୍ରାନ୍ତ ପ୍ରସଙ୍ଗ ଓ ଆଇନ ଶୃଙ୍ଖଳା କେନ୍ଦ୍ର ସରକାରଙ୍କ ଅଧୀନରେ ଥିବାରୁ ସେଥିରେ କେବଳ ଉପରାଜ୍ୟପାଳ ହସ୍ତକ୍ଷେପ କରିପାରିବେ ବୋଲି ସୁୁପ୍ରିମକୋର୍ଟ ରାୟରେ ସ୍ପଷ୍ଟ କରିଥିଲେ।
ଅପରପକ୍ଷରେ ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଆଇଏଏସ୍‍ ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ଉପରାଜ୍ୟପାଳଙ୍କ କ୍ଷମତାଧୀନ ରହିଛି। ଏ ସମ୍ପର୍କରେ କେନ୍ଦ୍ର ସରକାର ୨୦୧୫ ମେ ମାସରେ ବିଜ୍ଞପ୍ତି ଜାରି କରିଛନ୍ତି। ସୁପ୍ରିମକୋର୍ଟ ଗତକାଲି ରାୟରେ ଉକ୍ତ ବିଜ୍ଞପ୍ତିକୁ ଅକାମୀ କରି ନଥିବାରୁ ତାହା ଏବେ ମଧ୍ୟ ବଳବତ୍ତର ରହିଛି। ତେଣୁ ଉକ୍ତ ବିଜ୍ଞପ୍ତି ଆଧାରରେ ଆପ୍‍ ସରକାର ଅଧିକାରୀଙ୍କୁ ବଦଳି ଓ ନିଯୁକ୍ତ କରିପାରିବେ ନାହିଁ ବୋଲି ସେ କହିଛନ୍ତି।

Leave A Reply