nua o banner

ଗରିବ ଅଭିଭାବକଙ୍କ ପାଇଁ ଅବୋଧ୍ୟ ‘ନେଟ’, ‘ଡ଼ାଟା’, ‘ଆଣ୍ଡ୍ରଏଡ଼’: ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର

ବାସ୍ତବତାଠାରୁ ଦୁରରେ ଗରିବ ପିଲାଙ୍କ ଅନଲାଇନ ଶିକ୍ଷା

BSKY banner  750×100

ବେଲଗାଁ (ଅଶୋକ ପାଣିଗ୍ରାହୀ): ମଜୁରୀ ଲାଗି ପାଉଣା ଆଣିଲେ ପେଟର ଭୋକ ମାରିବାକୁ କିଣାଯାଏ ଚାଉଳ-ଡ଼ାଲି-ଆଳୁ। ସେଇ ଟଙ୍କାରୁ କିଛି ବଞ୍ଚିଲେ ଦେହ ଢ଼ାଙ୍କିବାକୁ ବର୍ଷରେ କିଣାହୁଏ ହଳେ ପୋଷାକ । ଛୁଆ ପିଲାଙ୍କ ପଢ଼ା ଖର୍ଚ, ପର୍ବପର୍ବାଣୀ । ଯେଉଁଠି ରାଜ୍ୟର ତିନି ଭାଗରୁ ଭାଗେ ଲୋକଙ୍କ ପାଇଁ ଟଙ୍କିକିଆ ଚାଉଳ ଭରସା, ଦିନ ମଜୁରୀ ଆଶା, ସେଠି ତା’ ପାଇଁ  ଆଣ୍ଡ୍ରଏଡ ଫୋନ, ନେଟ୍, ଡ଼ାଟା  ଆକାଶ କଇଁଆ ଚିଲିକା ମାଛ ପରି ଦୁର୍ଲଭ । ବଲାଙ୍ଗିର ଜିଲାର ବେଲଗାଁ ବ୍ଲକ୍ ଓ ଏହାର ନିକଟବର୍ତୀ ଅଞ୍ଚଳରେ ଗରିବ ଲୋକଙ୍କ ପାଇଁ  ଏହି ଶବ୍ଦଗୁଡ଼ିକ କେବଳ ଅଚିନ୍ତନୀୟ ନୁହେଁ, ସ୍ବପ୍ନ ପରି ଭଙ୍ଗୁର ।

କରୋନା ସମ୍ପ୍ରତି ଶିକ୍ଷା ବ୍ୟବସ୍ଥା ପ୍ରତି ସୃଷ୍ଟି କରିଛି ବିରାଟ ଆହ୍ବାନ ।  ଗରିବ ଖଟିଖିଆ ପରିବାରର ଅଭିଭାବକମାନଙ୍କ ପାଇଁ ନିଜ ପିଲାଙ୍କ ଭବିଷ୍ୟତ ଏବେ ଅନ୍ଧାର । ମହମାରୀ ସଂକ୍ରମଣ ଭୟ ନେଇ ସମସ୍ତ ଶିକ୍ଷାନୁଷ୍ଠାନରେ ତାଲା ଝୁଲୁଛି।  ଶିକ୍ଷାନୁଷ୍ଠାନ ଗୁଡିକୁ ସରକାର ସଙ୍ଗରୋଧ କେନ୍ଦ୍ର ଭାବରେ ଘୋଷଣା କରିଛନ୍ତି। କଲେଜଗୁଡ଼ିକରେଯୁକ୍ତ ତିନିର ସମସ୍ତ ସେମିଷ୍ଟାର ପରୀକ୍ଷା ସମ୍ପନ୍ନ ହୋଇନାହିଁ।   ଏପରିପ୍ରେକ୍ଷୀରେ ଚଳିତ ବର୍ଷ ସ୍କୁଲ କଲେଜ କେବେ ଖୋଲିବ ଏବଂ ପିଲା କିଭଳି ଶିକ୍ଷା ଗ୍ରହଣ କରିବେ ସେ ନେଇ ବାପା-ମା ମାନେ ସନ୍ଦୀହାନ । କିଛି  ଘରୋଇସ୍କୁଲ ଗୁଡିକ ଅନଲାଇନରେ ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ ହୋଇଛି।  ସରକାରୀ ସ୍ତରରେ ମଧ୍ୟ ଅନଲାଇନ ଶିକ୍ଷାଦାନ ପାଇଁ ଘର ଘର ବୁଲି ଅଭିଭାବକଙ୍କ ଫୋନ ନମ୍ବର ସଂଗ୍ରହ ଚାଲିଛି। ତେବେ ଅନେକ ପିଲାଙ୍କ ଘରେ ଆଣ୍ଡ୍ରଏଡ଼୍ ଫୋନ୍ ତ ଦୂରର କଥା ସାଧାରଣ ଫିଚର ଫୋନ ମଧ୍ୟ ନାହିଁ । ଅନେକଙ୍କ ଘରେ ବିଜୁଳି ନାହିଁ।    ନେଟ, ଡାଟା ସମ୍ପର୍କରେ ଖଟିଖିଆ ଅଭିଭାବକ କିଛି ଜାଣି ନାହାନ୍ତି। ଏପରି ସ୍ଥିତିରେ ଅନଲାଇନ ଶିକ୍ଷା କେମିତି ପିଲାମାନେ ପାଇବେ ସେଥିନେଇ ସୃଷ୍ଟି ହୋଇଛି ସନ୍ଦେହ ।

ଟିଟିଲାଗଡ ବ୍ଲକ ଅନ୍ତର୍ଗତ ତରାସିଂହା ଗ୍ରାମର ଯୁକ୍ତ ଦୁଇ ଛାତ୍ରୀ ବନିତା ବାରିକ ଲକଡାଉନ ଯୋଗୁଁ ପ୍ରଥମ ବର୍ଷ ପରୀକ୍ଷା ଦେଇ ପାରିନାହାନ୍ତି। ଏବେ ଦ୍ୱିତୀୟ ବର୍ଷ ପାଇଁ ଅନଲାଇନ ପାଠ ହେଉଥିବା ଶୁଣିଛନ୍ତି। ହେଲେ ଘରେ କୌଣସି ସେଭଳି ମୋବାଇଲ ଫୋନ ନାହିଁ। ତେଣୁ ସେ ଶିକ୍ଷାଲାଭରୁ ବଞ୍ଚିତ ହୋଇଛନ୍ତି ।

ସେହିଭଳି  ୧୦ମ ଶ୍ରେଣୀ ଛାତ୍ରୀ କ୍ଷୀରୋଦ୍ରୀ ବାଗଙ୍କ ଅବସ୍ଥା ସମାନ । ତାଙ୍କ ଘରେ ମୋବାଇଲ୍ ଫୋନ ନାହିଁ କିମ୍ବା ମୋବାଇଲ କିଣିବାକୁ ପରିବାରର ସାମର୍ଥ୍ୟ ନାହିଁ । ଆଗକୁ ୧୦ମ ଶ୍ରେଣୀ ବୋର୍ଡ଼ ପରୀକ୍ଷା । ଏପରି ସ୍ଥିତିରେ ସେ ଖାଲି ବହି ପୃଷ୍ଠା ଓଲଟାଇବା ସାର ହୋଇଛି ।  ମୋବାଇଲ ଫୋନ ନଥିବା ଯୋଗୁଁ  ଅନଲାଇନ ଶିକ୍ଷା ତାଙ୍କ ପାଇଁ ସାତସପନ ହୋଇଛି।

ଆଉଜଣେ ଛାତ୍ରୀ ହେଉଛନ୍ତି  ତୃପ୍ତି ପଦ୍ମଫୁଲିଆ । ଚଳିତ ବର୍ଷ ସେ ୮ମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ।  ମଜୁରି ଲାଗି ପରିବାର ପୋଷଣ କରୁଥିବା ପିତା ହରି ସିଂ ସଟଡାଉନ, ଲକଡାଉନ ଯୋଗୁଁ କାମ ପାଉ ନାହାନ୍ତି । ପରିବାର ପାଇଁ ଦୁଇ ମୁଠା ଖାଦ୍ୟ ଯୋଗାଡ଼  କରିବା ମୁସ୍କିଲ ହୋଇପଡିଛି। ଏଭଳିସ୍ଥଳେ ମୋବାଇଲ ଫୋନରେ ଅନଲାଇନ ଶିକ୍ଷା ତାଙ୍କ ଝିଅ ପାଇଁ କିଭଳି ଯୋଗାଡ କରିବେ ବୋଲି ପ୍ରଶ୍ନ କରିଛନ୍ତି।

ଏହା କେବଳ ଭାତହାଣ୍ଡିରୁ ଗୋଟିଏ ପରି ଗୋଟିଏଗୋଟିଏ ଉଦାହରଣ । ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ବହୁ ଗରିବ ପରିବାରର ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷାରୁ ବଞ୍ଚିତ । ଏହି ସ୍ଥିତିରେ ଆଣ୍ଡ୍ରଏଡ଼୍ ଫୋନ ଥିବା ଓ ଡ଼ାଟା ପକାଇପାରିବାର ସାମର୍ଥ୍ୟଥିବା ଲୋକଙ୍କ ପିଲାମାନେ କେବଳ ପାଠ ପଢ଼ିବେ ସିନା ଗରିବ ପିଲାମାନେ ଯେତେ ମେଧାବୀ ହୋଇଥିଲେ ମଧ୍ୟ ଆଗକୁ ବଢ଼ିବା ଅସମ୍ଭବ ହୋଇ ପଡ଼ିଛି ।

ଘରେ ଶାଗପଖାଳ, ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ, ସରକାର ଯୋଗାଇ ଦେଉଥିବା ବହିରୁ ପାଠ ପଢ଼ୁଥିବା ପିଲାମାନେ ଏହି ନୂଆ ବ୍ୟବସ୍ଥାରେ କିପରି ସାମିଲ ହୋଇପାରିବେ ତାହାର କୌଣସି ରାସ୍ତା ଏଯାଏ ବାହାରି ପାରି ନାହିଁ । ଆଉ ଯଦି ଏହାର ସମାଧାନ ନ ହୁଏ ତେବେ କେବଳ ଯାହା ପାଖରେ ଧନ ଅଛି ସେ ଆଗକୁ ବଢ଼ିବାକୁ ସୁଯୋଗ ପାଇବ ଓ ଗରିବ ପିଲାମାନେ ପାତରଅନ୍ତରର ଶିକାର ହେବା ପରିସ୍ଥିତି ସୃଷ୍ଟି ହେବ । ତେଣୁ ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ତଥ୍ୟାଭିଜ୍ଞ ମହଲରେ ମତ ପ୍ରକାଶ ପାଇଛି ।

Comments are closed.