www.samajalive.in
Monday, December 8, 2025
14.1 C
Bhubaneswar

ଅର୍ଦ୍ଧାଧିକ କରୋନା ମୃତକ ମଧୁମେହ ପୀଡ଼ିତ

ଭୁବନେଶ୍ବର : ରାଜ୍ୟରେ ଏପର୍ଯ୍ୟନ୍ତ ୯୧ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହେ​‌ଲାଣି। ସେମାନଙ୍କ ମଧ୍ୟରୁ ଆଜି ୬ ଜଣଙ୍କୁ ମିଶାଇ ୭୦ ଜଣଙ୍କର କେବଳ କୋଭିଡ୍-୧୯ରେ ମୃତ୍ୟୁ ହୋଇଛି। ତେବେ କରୋନା ଅପେକ୍ଷା ମଧୁମେହ ରୋଗ ଅଧିକ ରୋଗୀଙ୍କ ଜୀବନ ନେଉଛି। ମୃତକଙ୍କ ମଧ୍ୟରେ ମଧୁମେହ ରୋଗୀଙ୍କ ସଂଖ୍ୟା ୫୦ ପ୍ରତିଶତରୁ ଅଧିକ ରହିଛି। କରୋନାରେ ଆଖି ବୁଜିଥିବା ୭୦ ସଂକ୍ରମିତଙ୍କ ମଧ୍ୟରୁ ୩୯ ଜଣ ମଧୁମେହ ରୋଗୀ ଥିଲେ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ମୃତ୍ୟୁବରଣ କରିଥିବା ୬ ଜଣଙ୍କ ମଧ୍ୟରୁ ଚାରି ଜଣ  ମଧୁମେହରେ ଆକ୍ରାନ୍ତ ଥିଲେ। ଏଥିରୁ ସ୍ପଷ୍ଟ ହେଉଛି ଯେ ମଧୁମେହରେ ଆକ୍ରାନ୍ତ ଥିବା ଜନସାଧାରଣ ଅଧିକ ଯତ୍ନବାନ୍ ରହିବା ଜରୁରୀ।

ଅର୍ଦ୍ଧାଧିକ କରୋନା ମୃତକଙ୍କ ମଧ୍ୟରେ ମଧୁମେହ ରୋଗୀ ରହିବା ଅନ୍ୟମାନଙ୍କ ପାଇଁ ଚିନ୍ତାର କାରଣ ସାଜିଛି। ନିଜ ସ୍ବାସ୍ଥ୍ୟକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ଏଥିପାଇଁ ପାଥୋଲୋଜିରେ ଏବେ ରକ୍ତ ଶର୍କରା ଯାଞ୍ଚ ପାଇଁ ଲୋକଙ୍କ ଭିଡ଼ ବଢ଼ୁଛି। ଭୁବନେଶ୍ବରର ଏକ ପା​‌ଥେଲୋଜିର ଜଣେ କର୍ମଚାରୀ କହନ୍ତି, କରୋନା ଆରମ୍ଭ ହେବା ପରଠାରୁ ପାଥୋଲୋଜିକୁ ଆସୁଥିବା ଲୋକଙ୍କ ସଂଖ୍ୟା ବହୁତ କମିଯାଇଥିଲା। ଏବେ ବି ବହୁତ କମ୍ ଲୋକ ଆସୁଛନ୍ତି। କିନ୍ତୁ ଗତ ମାସ ଶେଷ ଭାଗରୁ ରକ୍ତ ଶର୍କରା ଯାଞ୍ଚ ପାଇଁ ଅଧିକ ଲୋକ ଆସୁଛନ୍ତି। ସେଥିପାଇଁ ସକାଳ ସମୟରେ ଭିଡ଼ ଅଧିକ ରହୁଛି ବୋଲି ସେ କହିଛନ୍ତି। ଆଜି ଗଞ୍ଜାମ ଜିଲାରେ ମୃତ୍ୟୁବରଣ କରିଥିବା ୪ ସଂକ୍ରମିତଙ୍କ ମଧ୍ୟରୁ ଜଣେ ୪୫ ବର୍ଷୀୟ ପୁରୁଷ, ୪୯ ବର୍ଷୀୟ ପୁରୁଷ ଓ ୭୨ ବର୍ଷୀୟ ପୁରୁଷ ରୋଗୀ ମଧୁମେହ ରୋଗରେ ପୀଡ଼ିତ ଥିଲେ।

- Advertisement -

ଗତବର୍ଷ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ମଧୁମେହ ଜନିତ ମୃତ୍ୟୁରେ ଓଡ଼ିଶା ଦେଶରେ ୬ଷ୍ଠ ସ୍ଥାନରେ ରହିଥିଲା। ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ରାଜ୍ୟରେ ବିଶେଷକରି ସହରାଞ୍ଚଳରେ ମଧୁମେହ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ତେବେ କରୋନାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ସଚେତନତା ବଢ଼ୁଛି। ଡ଼ାକ୍ତର ଅରବିନ୍ଦ ମହାନ୍ତି କହିଛନ୍ତି, ପ୍ରତ୍ୟେକ ଲୋକ ପ୍ରତି ତିନିମାସରେ ଥରେ ରକ୍ତ ଶର୍କରା ଯାଞ୍ଚ କରିନେବା ଜରୁରୀ। ଏହା କେବଳ କରୋନ ନୁହେଁ ବରଂ ଅନ୍ୟ ପ୍ରାଣଘାତୀ ରୋଗରୁ ଆମକୁ ରକ୍ଷା କରିବ। ଆମର ସାଧାରଣତଃ ଅଧିକ ଖାଇବା ଅଭ୍ୟାସ ଥିବାରୁ ପାନକ୍ରିୟାସ ଉପରେ ଚାପ ପଡ଼େ ଆଉ ମଧୁମେହ ଆକ୍ରାନ୍ତ କରେ। ଯେଉଁମାନଙ୍କର ମଧୁମେହ ଅଛି ସେମାନେ ନିୟମିତ ଭାବେ ଆଖି ପରୀକ୍ଷା, ରକ୍ତ ଚାପ, ମୂତ୍ର ଶର୍କରା ନିଶ୍ଚିତ ଭାବେ ଯାଞ୍ଚ କରିନେବା ଆବଶ୍ୟକ। ଏହା ବ୍ୟତୀତ ସମସ୍ତେ ବ୍ୟାୟାମ, ପ୍ରାଣାୟାମ ସହିତ ଖାଦ୍ୟକୁ ନିୟନ୍ତ୍ରଣ କରିବା ଉଚିତ। ହାତ ଓ ପାଦର ଯତ୍ନ ନେବା ମଧ୍ୟ ଜରୁରୀ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories