ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ବାଇପାସ ରାସ୍ତାରେ ଗୁରୁବାର ରାତିରେ ଜଣେ ପୁଲିସ କନେଷ୍ଟବଳଙ୍କୁ ଆକ୍ରମଣ କରି ତାଙ୍କ ଠାରୁ ଟଙ୍କା ଓ ସୁନାଚେନ୍ ଲୁଟ୍ ହେବା ଘଟଣାରେ ପିପିଲି ପୁଲିସ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ଆବେଦନ ଖାରଜ ହୋଇଯିବାରୁ ଅଭିଯୁକ୍ତକୁ ନିମାପଡା ସ୍ଥିତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗିରଫ ଅଭିଯୁକ୍ତର ନାମ ରମେଶ ଜେନା ଓରଫ କାଳୁ (୩୦) ଓ ତାର ଘର ପିପିଲି ଥାନା ଅନ୍ତର୍ଗତ ଆବଲପୁର ଗ୍ରାମରେ ଅଟେ।
ସୂଚନା ଅନୁଯାୟୀ, ଧଉଳି ଥାନାରେ କାର୍ଯ୍ୟରତ କନେଷ୍ଟବଳ ରାକେଶ ପରିଡା ଗୁରୁବାର ଥାନାରୁ ଡ୍ୟୁଟି ସାରି ବାଇକ ଯୋଗେ ନିଜ ଘର ବଳଙ୍ଗାକୁ ଫେରୁଥିବା ବେଳେ ପିପିଲି ବାଇପାସ ରାସ୍ତାରେ ଲୁଟ୍ର ଶିକାର ହୋଇଥିଲେ। ରାତି ପ୍ରାୟ ସାଢେ ୧୧ଟା ସମୟରେ ଦୁଇଜଣ ଯୁବକ ଏକ ବୁଲେଟ୍ରେ ପଛରୁ ଆସି ତାଙ୍କୁ ଅଟକାଇବା ସହ ତାଙ୍କୁ ଆକ୍ରମଣ କରି ତାଙ୍କ ଠାରୁ ଏକ ସୁନାଚେନ୍ ଓ ୨୦ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। ଏସଂପର୍କରେ ଶ୍ରୀପରିଡା ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିବା ପରେ ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି, ଏସ୍ଆଇ ସନ୍ଦୀପ କୁମାର ଦାସ, ଏଏସ୍ଆଇ ରବିନ୍ଦ୍ର ନାୟକ, ଗଙ୍ଗାଧର ପ୍ରଧାନ ପ୍ରମୁଖ ବିଭିନ୍ନ ସ୍ଥାନରେ ଚଢାଉ କରି ରମେଶକୁ ଧରିବାରେ ସକ୍ଷମ ହୋଇଥିଲେ। ଲୁଟ୍ରେ ବ୍ୟବହୃତ ବାଇକ୍କୁ ଅଭିଯୁକ୍ତ ଠାରୁ ପୁଲିସ ଜବତ କରିଥିବା ବେଳେ ଅନ୍ୟ ଫେରାର ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ସଂପର୍କରେ ଆଇଆଇସି ସୂଚନା ଦେଇଛନ୍ତି।



