କାନପୁର ଏନକାଉଣ୍ଟର ମାମଲାର ସୁପ୍ରିମକୋର୍ଟ ବିଚାରପତିଙ୍କ ଦ୍ୱାରା ତଦନ୍ତ ଦାବି କଲେ ପ୍ରିୟଙ୍କା ଗାନ୍ଧୀ

କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କାନପୁର ଏନକାଉଣ୍ଟର ମାମଲାରେ ସୁପ୍ରିମକୋର୍ଟର ଜଣେ ବିଚାରପତିଙ୍କ ଦ୍ୱାରା ତଦନ୍ତ ପାଇଁ ଦାବି କରିଛନ୍ତି। ସେ ଭାରତୀୟ ଜନତା ପାର୍ଟିକୁ ନିନ୍ଦା କରି କହିଛନ୍ତି ଯେ ଉତ୍ତରପ୍ରଦେଶକୁ ସରକାର ‘ଅପରାଧ ପ୍ରଦେଶ’ ରେ ପରିଣତ କରିଛନ୍ତି ଏବଂ ବିକାଶ ଦୁବେ ଭଳି ଅପରାଧୀମାନେ କ୍ଷମତାରେ ଥିବା ଲୋକମାନଙ୍କ ଠାରୁ ସୁରକ୍ଷା ପାଉଛନ୍ତି।

ଭଦ୍ରା ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ‘ବିଜେପି ସରକାର ଉତ୍ତରପ୍ରଦେଶକୁ ‘ଅପରାଧ ପ୍ରଦେଶ’ରେ ପରିଣତ କରିଛି। ବିକାଶ ଦୁବେଙ୍କ ପରି ଅପରାଧୀମାନେ ଉନ୍ନତି କରୁଛନ୍ତି ଏବଂ କ୍ଷମତାରେ ଥିବା ଲୋକମାନଙ୍କ ଦ୍ୱାରା ରକ୍ଷା ପାଇଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ ମୃତ ପୋଲିସ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ କିପରି ନ୍ୟାୟ ପ୍ରଦାନ କରାଯାଉଛି। ସେ ଟ୍ୱିଟରରେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଉତ୍ତରପ୍ରଦେଶର ଆଇନ ଶୃଙ୍ଖଳା ପରିସ୍ଥିତି ଆହୁରି ଖରାପ ହୋଇପଡିଛି ଏବଂ ‘ରାଜନେତା-ଅପରାଧି’ ମିଳିତ ମଞ୍ଚ ରାଜ୍ୟରେ ପ୍ରାଧାନ୍ୟ ବିସ୍ତାର କରୁଛି’।

ସେ କହିଛନ୍ତି, “କାନପୁର ମାମଲାରେ ଏହି ମିଳିତ ମଞ୍ଚର ମେଣ୍ଟ ପଦାକୁ ଆସିଥିଲା। ଏଭଳି ଅପରାଧୀଙ୍କୁ ବଂଚାଇବାରେ କିଏ ଜଡିତ ଅଛନ୍ତି ଏହା ପ୍ରକାଶ କରାଯିବା ଉଚିତ। ସୁପ୍ରିମକୋର୍ଟର ବର୍ତ୍ତମାନର ବିଚାରପତି ସମଗ୍ର ମାମଲାର ନ୍ୟାୟିକ ତଦନ୍ତ କରିବା ଉଚିତ।” ଶୁକ୍ରବାର ଦିନ ପୋଲିସ ସହ ହୋଇଥିବା ଏନକାଉଣ୍ଟରରେ କାନପୁର ଏନକାଉଣ୍ଟର ମାମଲାର ମୁଖ୍ୟ ଅଭିଯୁକ୍ତ ଅପରାଧୀ ବିକାଶ ଦୁବେଙ୍କ ମୃତ୍ୟୁ ଘଟିବ ପରେ ପ୍ରିୟଙ୍କା ଏହି ଦାବି କରିଛନ୍ତି।

Comments are closed.