www.samajalive.in
Saturday, December 6, 2025
15.1 C
Bhubaneswar

ମଦ ନିଶା ନେଲା ବନ୍ଧୁ ଜୀବନ: ସାଙ୍ଗକୁ ପଥରରେ ଛେଚି ହତ୍ୟା, ୨ ଗିରଫ

ବଲାଙ୍ଗିର: ପିଲା ଦିନର ସାଙ୍ଗ। ଏକା ସଙ୍ଗେ ଗାଁ ଦାଣ୍ଡରେ ଖେଳୁଥିଲେ। ବଡ ହେଲା ପରେ ଏକାସଙ୍ଗେ ବସି ମଦର ଆସର ବି ଜମାଉଥିଲେ। କିନ୍ତୁ ଏକ ସାମାନ୍ୟ କଥାରୁ ବାହାରିଥିବା ଗଣ୍ଡଗୋଳ ନେଇଗଲା ସାଙ୍ଗର ମୁଣ୍ଡ। ସବୁ ସୁଖ ଦୁଃଖରେ ସାଥି ହୋଇଥିବା ସାଙ୍ଗ ଆଉ ଜଣକ ସହ ମିଶି ପଥରରେ ଛେଚି ମାରିଦେଲା ନିଜ ପିଲା ଦିନର ସାଙ୍ଗକୁ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ବାଦିମୁଣ୍ଡା ଗାଁରୁ।
ବାଦିମୁଣ୍ଡା ଗାଁର ସୁରେଶନ ନାଏକ ବର୍ଷେ ତଳେ ତାମିଲନାଡୁ କାମ କରିବାକୁ ଯାଇଥିଲେ। କରୋନା ସମୟରେ ସେ ଗାଁକୁ ଫେରିଥିବା ବେଳେ ଗତ କିଛି ଦିନ ତଳେ ତାଙ୍କ ସଙ୍ଗରୋଧ ଅବଧି ସାରିଥିଲେ। ବର୍ଷେ ହେଲା ସାଙ୍ଗ ସାଥୀ ସହ ଭେଟ ହୋଇନଥିବା ସୁରେଶନ ନିଜ ପିଲା ଦିନର ସାଙ୍ଗ ଶ୍ରବଣ ଦାସ ଓ ଗାଁର ଗୁଦାମ ଭୋଇଙ୍କ ସହ ମିଶି ମଙ୍ଗଳବାର ରାତିରେ ହରିଜନପଡା ବନ୍ଧ ଆଡିରେ ବସି ମଦର ଆସର ଜମାଇଥିଲେ। ମଙ୍ଗଳବାର ରାତିରେ ମଦ ପିଉଥିବା ଗୁଦାମ, ଶ୍ରବଣ ଓ ସୁରେଶନଙ୍କ ମଧ୍ୟରେ ସାମାନ୍ୟ ଏକ କଥାକୁ ନେଇ ଝଗଡା ହୋଇଥିଲା। ଝଗଡା ସମୟରେ ଉତ୍ତ୍ୟକ୍ତ ହୋଇ ଗୁଦାମ ଓ ଶ୍ରବଣ ମିଶି ସୁରେଶନଙ୍କୁ ମାଡ ମାରିଥିଲେ। ପରେ ଏକ ପଥରରେ ଛେଚି ସୁରେଶନଙ୍କୁ ହତ୍ୟା କରିଥିଲେ। ହରିଜନପଡାକୁ ଲାଗି ଏହି ହତ୍ୟା ଘଟଣା ହୋଇଥିବା ବେଳେ ମଦୁଆଙ୍କର ଏହା ନିୟମିତ କାରବାର ହୋଇଥିବାରୁ କେହି ଘଟଣାସ୍ଥଳକୁ ଯାଇ ନଥିଲେ। ପରେ ହତ୍ୟା ବିଷୟରେ ସଦର ପୁଲିସ ସୂଚନା ପାଇ ରାତିରେ ଘଟଣାସ୍ଥଳରେ ପହଞ୍ଚିଥିଲା। ଭୋରରୁ ଏହି ହତ୍ୟା ଘଟାଇଥିବା ଗୁଦାମକୁ ପୁଲିସ ଗାଁରୁ ଗିରଫ କରିଥିଲା। ସକାଳୁ ଫରେନସିକ ଟିମ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଶବକୁ ସଦର ପୁଲିସ ଜବତ କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ପଠାଇଥିଲା। ଏହି ଘଟଣାରେ ସଦର ପୁଲିସ କେସ ୨୧୫ ନମ୍ବର ମାମଲା ରୁଜୁ କରିଥିବା ବେଳେ ମାଗୁରବେଡା ଫାଣ୍ଡି ଅଧିକାରୀ ମଳୟ ପଣ୍ଡା ତଦନ୍ତ ଆରମ୍ଭ କରିଥିଲେ। ସକାଳୁ ଏହି ମାମଲାର ଅନ୍ୟ ଅଭିଯୁକ୍ତ ଶ୍ରବଣ ଦାସକୁ ପୁଲିସ ତାଙ୍କର ଜଣେ ସଂପର୍କୀୟଙ୍କ ଘରୁ ଗିରଫ କରିଥିଲା। ବିନା ଦୋଷରେ ତାଙ୍କ ପୁଅକୁ ହତ୍ୟା କରାଯାଇଥିବାରୁ ହତ୍ୟାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ଲୋକ ଦାବି କରିଥିଲେ। ଅନ୍ୟପକ୍ଷରେ ଘଟଣାର ଦୁଇ ଜଣ ଅଭିଯୁକ୍ତ ଗିରଫ ହୋଇସାରିଥିବା ବେଳେ ହତ୍ୟାର କୌଣସି ବଡ କାରଣ ନଥିବା କହିଛନ୍ତି ସଦର ଥାନା ଅଧିକାରୀ ତୋଫାନ ବାଗ। ସେହିପରି କୁଚିଆ ମଦ କାରବାର, ଜୁଆ କାରବାର ଏହି ଅଞ୍ଚଳରେ ବୃଦ୍ଧି ପାଇଥିବା ବେଳେ ଏହାକୁ ବନ୍ଦ କରିବା ପାଇଁ ଗାଁ ଲୋକେ ଦାବି କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories