ହେଲ୍‌ମେଟ ବି ଘରକୁ ଆଣିପାରେ କରୋନା

ସମାଜଲାଇଭ୍‌ ଡେସ୍କ: ଆପଣଙ୍କ ହେଲ୍‌ମେଟ ଘରକୁ କରୋନା ଭୂତାଣୁ ଆଣୁନାହିଁ ତ ? ଏହି ପ୍ରଶ୍ନ ଅନେକଙ୍କୁ ଅଡୁଆ ଲାଗୁଥାଇପାରେ, କିନ୍ତୁ ବର୍ତ୍ତମାନ ସମୟରେ ଏହା ଆପଣ ଏବଂ ଆପଣଙ୍କ ପରିବାରର ସୁରକ୍ଷା ପାଇଁ ବହୁତ ଜରୁରୀ। ଭାରତରେ କରୋନା ଭୂତାଣୁରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଦେଶରେ ଏବେସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୫୦ ହଜାର ନିକଟତର ହେଲାଣି। ଏଭଳି ସ୍ଥିତିରେ ଯେତେବେଳେ ଦେଶରେ ଲକ୍‌ଡାଉନକୁ ଅନ୍‌ଲକ୍‌ କରାଯାଉଛି ସେ ସମୟରେ ଆପଣଙ୍କ ଛୋଟିଆ ଅବହେଳା ବହୁତ ଭାରି ପଡ଼ିପାରେ। ଆମେ ଏଠାରେ ଆପଣମାନଙ୍କୁ ୪ଟି ସାବଧାନତା ବିଷୟରେ କହି ରଖୁଛୁ, ଯାହାର ଅବହେଳା କଲେ ଆପଣ ହେଲ୍‌ମେଟ ଜରିଆରେ ଘରକୁ କରୋନା ଭୂତାଣୁକୁ ଆଣିପାରନ୍ତି।

ଜଣେ ବ୍ୟକ୍ତି ଗୋଟିଏ ହେଲମେଟ୍‌ ବ୍ୟବହାର କରନ୍ତୁ

Image Courtesy: Woman riders now

ଯେପରି ଜଣେ ବ୍ୟକ୍ତିଙ୍କ ପାଇଁ ଗୋଟିଏ ମାସ୍କ ପିନ୍ଧିବା ଜରୁରୀ, ସେହିପରି ଗୋଟିଏ ହେଲ୍‌ମେଟକୁ ଜଣେ ବ୍ୟକ୍ତି ବ୍ୟବହାର କରିବା ଉଚିତ। ଏହାଦ୍ବାରା ଆପଣଙ୍କ ହେଲ୍‌ମେଟ କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବାରୁ ରକ୍ଷା ପାଇପାରିବ। ବାସ୍ତବ ଜୀବନରେ ଆବଶ୍ୟକସ୍ଥଳେ ଲୋକମାନେ ସାଙ୍ଗସାଥୀ, ସହକର୍ମୀ ଅଥବା ପରିବାରର ଅନ୍ୟ ସଦସ୍ୟଙ୍କ ବାଇକ୍‌ ଏବଂ ହେଲ୍‌ମେଟ୍‌ ବ୍ୟବହାର କରିଥାନ୍ତି। ଏହାର ଗୋଟିଏ ଛୋଟିଆ ଉଦାହରଣ ହେଉଛି ଯଦି ଅଫିସ ସମୟରେ ଆପଣଙ୍କର କେହି ଚିହ୍ନାଜଣା ସହକର୍ମୀଙ୍କର କିଛି କାମ ପଡ଼େ, ତେବେ ସେ ଅନ୍ୟ କାହାକୁ କାର୍‌ ଚାବି ମାଗିବା ବଦଳରେ ଆପଣଙ୍କୁ ବାଇକ୍‌ ମାଗିବାକୁ ପସନ୍ଦ କରିବେ। ସେହିପରି ସ୍କୁଲ ଏବଂ କଲେଜରେ ପଢୁଥିବା ପିଲାଙ୍କ ପାଇଁ ଏହା ସାଧାରଣ କଥା। କିନ୍ତୁ ବାଇକ୍‌ ବା ସ୍କୁଟି ସହିତ ଆପଣଙ୍କୁ ହେଲ୍‌ମେଟ ବି ଦେବାକୁ ପଡ଼ିଥାଏ। ଏପରି ସ୍ଥିତିରେ ଯେତେବେଳେ ଦେଶରେ କରୋନା ଭୂତାଣୁ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି, ସେତେବେଳେ ଅନ୍ୟ ଜଣଙ୍କୁ ନିଜର ହେଲମେଟ୍‌ ଦେବା ନିରାପଦ ନୁହେଁ। କାରଣ ଆପଣଙ୍କୁ ଜଣା ନ ଥାଏ ଯେ ସାମ୍ନାରେ ଥିବା ଲୋକଟି କରୋନା ସଂକ୍ରମିତ କି ନୁହେଁ। ଏହା ବ୍ୟତୀତ ଆପଣ ଏହା ବି ଜାଣି ନ ଥାନ୍ତି ଯେ ସେହି ବ୍ୟକ୍ତି ଆପଣଙ୍କ ହେଲମେଟ୍‌କୁ ଯେଉଁ ଯେଉଁ ସ୍ଥାନରେ ରଖିଥିବେ ତାହା ସୁରକ୍ଷିତ କି ନୁହେଁ। ଏଥିପାଇଁ କରୋନା ସମୟରେ ନିଜ ହେଲ୍‌ମେଟ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଦିଅନ୍ତୁ ନାହିଁ।

ହେଲ୍‌ମେଟକୁ ସାନିଟାଇଜ କରନ୍ତୁ

Image Courtesy: Ellaspede

ହେଲମେଟ୍‌କୁ ଯେତେବେଳେ ବି ପିନ୍ଧନ୍ତୁ, ଏହା ପୂର୍ବରୁ ତାକୁ ସାନିଟାଇଜ କରନ୍ତୁ। ସେହିପରି ଯେତେବେଳେ ହେଲମେଟ ମୁଣ୍ଡରୁ ବାହାର କରୁଛନ୍ତି, ସେତେବେଳେ ବି ତାହାକୁ ସାନିଟାଇଜ କରନ୍ତୁ। ଏହାକୁ ଏକ ନିୟମିତ ଅଭ୍ୟାସରେ ପରିଣତ କରନ୍ତୁ। ଫଳରେ ଆପଣଙ୍କ ହେଲ୍‌ମେଟ ଯଦି କୌଣସି ପ୍ରକାରେ ଭୂତାଣୁ ସମ୍ପର୍କରେ ଆସିଥିବ, ତେବେ ସାନିଟାଇଜ ଦ୍ବାରା ତାହା ନଷ୍ଟ ହୋଇଯିବ। ହେଲମେଟ୍‌ ଜରିଆରେ ଘରକୁ ଆଉ ଭୂତାଣୁ ପ୍ରବେଶ କରିପାରିବ ନାହିଁ। ବଜାରରେ ମିଳୁଥିବା ସାନିଟାଇଜର ସ୍ପ୍ରେ ଦ୍ବାରା ସହଜରେ ସାନିଟାଇଜ କରିପାରିବେ। ହେଲ୍‌ମେଟ ଭୂତାଣୁ ସଂସ୍ପର୍ଶରେ ଯେପରି ନ ଆସିବ ସେଥିଲାଗି ତାହାକୁ କୌଣସି ଜାଗାରେ ରଖିବା ପୂର୍ବରୁ ଉପଯୁକ୍ତ ସ୍ଥାନ ବାଛନ୍ତୁ। ଅନେକ ଲୋକ ନିଜ ହେଲମେଟକୁ ଗାଡ଼ିର ହ୍ୟାଣ୍ଡେଲ କିମ୍ବା ସିଟ୍‌ରେ ଲକ୍‌ କରିଦିଅନ୍ତି। କିନ୍ତୁ କରୋନା ସମୟରେ ଏହି ଅଭ୍ୟାସ ସବୁଠାରୁ ବଡ଼ ଭୁଲ ସାବ୍ୟସ୍ତ ହୋଇପାରେ। ଯଦି ଆପଣ ବି ଏପରି କରୁଥାନ୍ତି, ତେବେ ଏବେ ସେଥିରୁ ନିବୃତ୍ତ ରୁହନ୍ତୁ। ହେଲ୍‌ମେଟକୁ କୌଣସି ଥାକ କିମ୍ବା ଆଲମାରୀ ଉପରେ ବି ରଖନ୍ତୁ ନାହିଁ, ଯେଉଁଠି ଅନେକ ଲୋକ ନିଜର ସାମଗ୍ରୀ ରଖୁଥିବେ। ଯେଉଁ ସ୍ଥାନ ସହିତ ଲୋକଙ୍କ ସମ୍ପର୍କ କମ୍‌ ଥିବ, ସେହିଠାରେ ହେଲ୍‌ମେଟ୍‌ ରଖନ୍ତୁ। ଘରେ ପହଞ୍ଚିବା ପରେ ହେଲ୍‌ମେଟକୁ ସାନିଟାଇଜ କରିବା ପରେ ବି ତାହାକୁ ପିଲା କିମ୍ବା ବୟସ୍କଙ୍କଠାରୁ ଦୂରେଇ ରଖନ୍ତୁ।

ଏୟାର ଇନ୍‌ଲେଟ୍‌କୁ ସଫା ରଖନ୍ତୁ

ବର୍ତ୍ତମାନ ସମୟରେ ଅଧିକାଂଶ ହେଲମେଟରେ ଏୟାର ଇନ୍‌ଲେଟ୍‌ ରହୁଛି। ଲୋକମାନେ ହେଲ୍‌ମେଟ୍‌ ତ ସଫା କରୁଛନ୍ତି, କିନ୍ତୁ ଏୟାର ଇନ୍‌ଲେଟକୁ ସଫା କରିବାକୁ ଭୁଲି ଯାଆନ୍ତି। ତେଣୁ ଏହାକୁ ବି ନିୟମିତ ସଫା କରନ୍ତୁ।

ହେଲ୍‌ମେଟ ୱାଇଜର ବନ୍ଦ ରଖନ୍ତୁ ଓ ତମ୍ବାଖୁଠାରୁ ଦୁରେଇ ରୁହନ୍ତୁ

Image Courtesy: Pickmyhelmet

ବର୍ତ୍ତମାନ ସମୟରେ ଏହି ଦୁଇଟି କଥାକୁ ବି ଧ୍ୟାନରେ ରଖିବା ଉଚିତ। ପ୍ରଥମଟି ହେଲା ହେଲମେଟକୁ ଯେତେବେଳେ ପିନ୍ଧୁଛନ୍ତି ତାହାର ୱାଇଜର(କାଚ) ବନ୍ଦ କରିଦିଅନ୍ତୁ। ଅନ୍ୟଟି ହେଲା ତମ୍ବାଖୁ ଖାଇବାର ଅଭ୍ୟାସ ଥିଲେ ତାହାକୁ ଛାଡ଼ି ଦିଅନ୍ତୁ, ନଚେତ କମ୍‌ କରନ୍ତୁ। ଅଥବା ହେଲମେଟ୍‌ ପିନ୍ଧିଥିବା ସମୟରେ ତମ୍ବାଖୁ ଖାଆନ୍ତୁ ନାହିଁ। ଏହାଦ୍ବାରା ଆପଣଙ୍କ ହେଲ୍‌ମେଟ ଅପରିଚ୍ଛନତା ଏବଂ ସଂକ୍ରମଣଠାରୁ ଦୂରରେ ରହିବ।

Comments are closed.