www.samajalive.in
Tuesday, December 9, 2025
26.1 C
Bhubaneswar

୧୭ ବର୍ଷରେ ବି ଏଜିଙ୍କୁ ହିସାବ ମିଳୁନି

ଭୁବନେଶ୍ୱର: ରାଜ୍ୟରେ ସରକାରୀ କଳ କିପରି ଚଳଚଞ୍ଚଳ ଓ ଦକ୍ଷତାର ସହ କାର୍ଯ୍ୟ କରୁଛି ତା’ର ଏକ ଜ୍ବଳନ୍ତ ଉଦାହରଣ ମହାଲେଖାକାରଙ୍କ ପକ୍ଷରୁ ବିନିଯୋଗ ପ୍ରମାଣପତ୍ର(ୟୁସି) ନେଇ ସରକାରଙ୍କୁ ଦିଆଯାଇଥିବା ଏକ ବିପୁଳ ପରିମାଣ ଅର୍ଥର ତାଲିକାରୁ ସ୍ପଷ୍ଟ ହୋଇଛି। ବିଭିନ୍ନ ଯୋଜନା​‌ରେ କେନ୍ଦ୍ର ସରକାର ଗ୍ରାଣ୍ଡ ଇନ୍ ଏଡ(ଜିଆଇଏ)ବାବଦକୁ ଦେଉଥିବା ଅର୍ଥକୁ ବହୁ ବିଭାଗ ସଦୁପଯୋଗ କରୁନାହାନ୍ତି। ଫଳରେ ବିନିଯୋଗ ପ୍ରମାଣପତ୍ର ଠିକଣା ସମୟରେ ଏଜିଙ୍କୁ ମିଳିପାରୁ ନାହିଁ। କେତେକ ବିଭାଗ ‘କମ୍ପାନୀ କା ମାଲ୍ ଦରିଆ ମେ ଡାଲ୍’ ନ୍ୟାୟରେ ବିଭିନ୍ନ ବ୍ୟାଙ୍କରେ ପାର୍କିଂ କରି ତା’ର ପରୋକ୍ଷ ଫାଇଦା ଉଠାଉଥିବାବେଳେ ଆଉ କେତେକ ବିଭାଗ ଫଲ୍ସ ବିନିଯୋଗ ପ୍ରମାଣପତ୍ର(ୟୁସି) ଦେଇଛନ୍ତି। ତେଣୁ ହିସାବ ଦେଲା ବେଳକୁ ଜୁ ପାଉନି।
ଏହି ପରିପ୍ରେକ୍ଷୀରେ ଏଜିଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ୩୬ଟି ବିଭାଗରେ ବିଭିନ୍ନ ବର୍ଷରେ ବକେୟା ପଡିଥିବା ୪୩ହଜାର ୭୩କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଏକ ୟୁସି ତାଲିକା ମଗା ଯାଇଛି। ଏଥିରେ ପଞ୍ଚାୟତିରାଜ ବିଭାଗ ଓ ନଗର ଉନ୍ନୟନ ବିଭାଗର ସର୍ବାଧିକ ୟୁସି ବକେୟା ଥିବା ଜଣାଯାଇଛି। ୨୦୦୩ରୁ ୨୦୧୯-୨୦ ବର୍ଷ ଭିତରେ ଅର୍ଥ ଖର୍ଚ୍ଚ କରିଥିଲେ ବି ବିଭାଗ ୟୁସି ଦେଇ ପାରୁନାହିଁ। ତେଣୁ ତୁରନ୍ତ ବକେୟା ୟୁସି ଦେବାକୁ ଏଜିଙ୍କ ପକ୍ଷରୁ ସରକାରଙ୍କୁ ପତ୍ର ଲେଖାଯାଇଛି ବୋଲି ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି।
ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟର ବିଭିନ୍ନ ପ୍ରକାର ଭିତ୍ତିଭୂମି ସୁଦୃଢ଼ କରିବା ଲାଗି ୨୦୧୯-୨୦ ଆର୍ଥିକ ବର୍ଷ ସୁଦ୍ଧା ୪୩ହଜାର ୩୭୩କୋଟି ୯୫ ଲକ୍ଷ ୮୭ ହଜାର ୪୯ ଟଙ୍କା ପ୍ରଦାନ କରିଛନ୍ତି। ଇତିମଧ୍ୟରେ ଦୀର୍ଘବର୍ଷ ବିତି ଯାଇଥିଲେ ବି ଏହି ଅର୍ଥର ବିନିଯୋଗ ପ୍ରମାଣପତ୍ର ବିଭିନ୍ନ ବିଭାଗ ଦେଇନାହାନ୍ତି। ଯାହାକୁ ନେଇ ଏଜିଙ୍କ ପକ୍ଷରୁ ବାରମ୍ବାର ସରକାରଙ୍କୁ ପ୍ରଶ୍ନ କରାଯାଉଛି। ଏନେଇ ଅର୍ଥ ବିଭାଗ ପକ୍ଷରୁ ମଧ୍ୟ ସଂପୃକ୍ତ ବିଭାଗଗୁଡିକୁ ତାଗିଦା କରାଯାଉଛି। ହେଲେ ଯଥା ପୂର୍ବଂ ତଥା ପରଂ ନୀତିରେ ସରକାରୀ ଅଧିକାରୀମାନେ କାନ ଗଡାଇ ଚାଲିଛନ୍ତି। ରାଜ୍ୟ ସରକାର ପ୍ରଶାସନକୁ ଚଳଚଞ୍ଚଳ କରିବା ପାଇଁ ୫-ଟି ପଦ୍ଧତି ସହିତ ମୋ-ସରକାର ଭଳି ତରିକା ଆପଣାଇଛନ୍ତି।
ତୃଣମୂଳସ୍ତରରେ କାର୍ଯ୍ୟାନ୍ବୟନ ପାଇଁ ଜିଲାପାଳମାନେ ମଙ୍ଗ ଧରିଥିବାବେଳେ ରାଜ୍ୟସ୍ତରରେ ସଚିବ, ସ୍ବତନ୍ତ୍ର ସଚିବ, ଅତିରିକ୍ତ ସଚିବଙ୍କ ଭଳି ବହୁ ବରିଷ୍ଠ ଅଧିକାରୀ ଓ ଷ୍ଟାଫ ରହିଛନ୍ତି। ଏସବୁ ବାଦ୍ ବିଭାଗୀୟ ମନ୍ତ୍ରୀ ମଧ୍ୟ ଥରକୁ ଥର ସମୀକ୍ଷା ବୈଠକ କରୁଛନ୍ତି। ହେଲେ ଫଳ କିନ୍ତୁ ମିଳୁନି। ବାସ୍ତବିକ କାର୍ଯ୍ୟ ରୂପାୟନ ବେଳେ କେଉଁଠି ନା କେଉଁଠି ତ୍ରୁଟି ରହିଯାଉଥିବାରୁ ବିନିଯୋଗ ଅର୍ଥର ପ୍ରମାଣପତ୍ର ଦେବାରେ ବିଭାଗଗୁଡିକ ସକ୍ଷମ ହୋଇ ପାରୁନାହାନ୍ତି।
ଏଜିଙ୍କ ତଥ୍ୟ ଅନୁଯାୟୀ ସର୍ବାଧିକ ବକେୟା ୟୁସି ପଞ୍ଚାୟତିରାଜ ବିଭାଗ ମୁଣ୍ଡରେ ରହିଛି। ଏହି ବିଭାଗରେ ୨୦୦୩ ବର୍ଷରୁ ୧୯ହଜାର ୪୪୨କୋଟି ୬୬ଲକ୍ଷ ୩୩ହଜାର ୭୦୯ଟଙ୍କାର ୟୁସି ବକେୟା ରହିଛି। ସେହିପରି ନଗର ଉନ୍ନୟନ ବିଭାଗରେ ୬ହଜାର ୨୫୩କୋଟି ୩୦ଲକ୍ଷ ୩୯ହଜାର ୬୮୪ଟଙ୍କାର ବକେୟା ଥିବାବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଉପରେ ୩ହଜାର ୭୮୫କୋଟି ୭୭ଲକ୍ଷ ୯ହଜାର ୭୦୪ଟଙ୍କା, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଉପରେ ୧୨୮୨କୋଟି ୭୯ଲକ୍ଷ ୮ହଜାର ୩୩୯ଟଙ୍କାର ବକେୟା ରହିଛି।
ସେହିପରି ସଂସଦୀୟ ବ୍ୟାପାର ବିଭାଗ ଉପରେ ସର୍ବନିମ୍ନ ୬୭ଲକ୍ଷ ୭୦ହଜାର ୧୦୫ଟଙ୍କାର ୟୁସି ବାକି ପଡିଛି। ଏହିଭଳି ଭାବେ ୩୬ଟି ବିଭାଗ ଉପରେ ସମୁଦାୟ ୪୩ହଜାର ୩୭୩କୋଟି ୯୫ଲକ୍ଷ ୮୭ହଜାର ୪୯ଟଙ୍କାର ୟୁସି ବକେୟା ରହିଛି।

Hot this week

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

Related Articles

Popular Categories