ଡାକ୍ତରଖାନାରେ ହଙ୍ଗାମା ; ଚିକିତ୍ସା ଅବହେଳାରୁ ରୋଗୀର ମୃତ୍ୟୁ ଅଭିଯୋଗ

ରାଉରକେଲା : ଚିକିତ୍ସା ଅବହେଳାରୁ ରୋଗୀର ମୃତ୍ୟୁ ଅଭିଯୋଗକୁ ନେଇ ସମ୍ପର୍କୀୟ ଓ ପଡ଼ୋଶୀ ରବିବାର ରାଉରକେଲା ସରକାରୀ ଡାକ୍ତରଖାନାରେ ହଙ୍ଗାମା ସୃଷ୍ଟି କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ପ୍ରାଥମିକ ସୂଚନା ଅନୁସାରେ ମାଲଗୋଦାମ ସନ୍ତୋଷୀ ମନ୍ଦିର ବସ୍ତିରେ ରହୁଥିବା ରାମେଶ୍ୱର ଛେରିଆଙ୍କ ପୁଅ ହରିଶ ଛେରିଆ କଂଠିଆ(୨୦)ଙ୍କର ଛାତିରେ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକ ଓ ସ୍ଥାନୀୟ ପଡ଼ୋଶୀଙ୍କ ସହାୟତା ଆଜି ଦିନ ୧ଟାବେଳେ ହରିଶଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତି କରାଯାଇଥିଲା।

ମୃତ ହରିଶଙ୍କ ଭଉଣୀ ନମିତାଙ୍କ ଅଭିଯୋଗ ଅନୁଯାୟୀ, ଆଜି ଦିନ ୧ଟା ବେଳେ ତାଙ୍କ ଭାଇ ହରିଶକୁ ଆଣି ଡାକ୍ତରଖାନାରେ ଭର୍ତି କରିଥିଲେ। ଡାକ୍ତରଙ୍କୁ ପଚାରିବାରୁ ତାଙ୍କ ଭାଇର ଗ୍ୟାସ ପାଇଁ ଏହି ଅବସ୍ଥା ହୋଇଛି ବୋଲି କହିଥିଲେ। ଏଥିପାଇଁ ଇଂଜେକ୍ସନ ଦେଇଥିଲେ। କିଛି ସମୟ ପରେ ହରିଶ ଯନ୍ତ୍ରଣାରେ ଛଟପଟ ହୋଇ ଚିତ୍କାର କରିବାକୁ ଲାଗିଲେ। ଡାକ୍ତର ନଥିଲେ କି ପାଖରେ ନର୍ସ ନଥିଲେ। ସେ ନର୍ସଙ୍କ ପାଖକୁ ଯାଇ ତାଙ୍କୁ ଯେତେ ଡାକିଲେବି ସେ ଆସିଲା ନାହିଁ। ନର୍ସ ଶୁଣିବା ସ୍ଥିତିରେ ନଥିଲା। ୩ଟା ବେଳକୁ ହରିଶ ବାନ୍ତି କରିବା ପାଇଁ ବାଥ୍‍ ରୁମକୁ ଗଲା। ସେଠାରୁ ଆସିବା ପରେ ଛାତିରେ ଜୋର ଯନ୍ତ୍ରଣା ହେଉଛି ବୋଲି କହି ନିଶ୍ୱାସ ନେଇ ପାରୁନଥିବା କହିଥିଲା। ଡାକ୍ତରକୁ ତୁରନ୍ତ ଡାକିବାକୁ ନମିତାକୁ କହିଥିଲା। ନମିତା ନର୍ସ ପାଖକୁ ଯାଇ ଇଂଜେକ୍ସନ ସରିସାଇଛି ତାକୁ ଦେବା ସହିତ ଡାକ୍ତରଙ୍କୁ ଡାକିବାକୁ କହିଥିଲା। କିନ୍ତୁ ନର୍ସ ରାଗିକି ସେ ଆସି ପାରିବ ନାହିଁ ତୁ ନିଜେ ସେହି କାମ କରି ପକା ବୋଲି ରାଗରେ ନମିତାକୁ କହିଥିବା ସେ ଅଭିଯୋଗ କରିଛି। ବରଂ ଯନ୍ତ୍ରଣା ଶେଷ ସ୍ତରରେ ପହଂଚିବାରୁ ନର୍ସ ଅକ୍ସିଜେନ ଲଗାଇଥିବା ନମିତା କହିଛି। ୧ଘଣ୍ଟା ଧରି ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଙ୍କୁ ଖୋଜା ପଡ଼ିଥିବା ସମୟରେ ଡାକ୍ତରଙ୍କ ଡାକ୍ତର ପହଞ୍ଚିଲେ ନାହିଁ। ଡାକ୍ତର ଠିକ ସମୟରେ ପହଂଚି ଆବଶ୍ୟକ ଚିକିତ୍ସା କରିଥିଲେ ତାଙ୍କ ଭାଇ ହରିଶ ବଂଚି ଯାଇଥାନ୍ତା ବୋଲି ନମିତା କହିଛି। ନମିତା ଆହୁରି ଅଭିଯୋଗ କରିଛନ୍ତିଯେ ଡାକ୍ତର ୪ଟା ପରେ ଆସିବେ ବୋଲି କହିଥିଲେ। ୪ଟା୩୦ ପରେ ଡାକ୍ତର ଆସି ହରିଶକୁ ଦେଖିବା ପରେ ତୁମ ଭାଇ ଆଉ ନାହାଁନ୍ତି ବୋଲି ନମିତାଙ୍କୁ କହିଥିଲେ । ଡିଉଟିରେ ଅବହେଳା କରିଥିବା ତଥା ତାର ଭାଇର ମୃତ୍ୟୁ ପାଇଁ ଦାୟୀ ଡାକ୍ତର ଓ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆରଜିଏଚ ନିର୍ଦ୍ଦେଶକଙ୍କ ନିକଟରେ ଦାବି କରିଛି । ପରିବାର ଲୋକଙ୍କୁ କ୍ଷତିପୂରଣ ପାଇଁ ଦାବି କରାଯାଇଛି। ପରିବାର ଲୋକ ଦୁଃଖରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ବେଳେ ସ୍ଥାନୀୟ ଅଂଚଳରେ ଏହି ଯୁବକଙ୍କ ଅକାଳ ବିୟୋଗରେ ଶୋକର ଛାୟା ଖେଳି ଯାଇଛି। ଏହି ଖବର ମିଳିବା ମାତ୍ରେ ହରିଶ ରହୁଥିବା ବସ୍ତି ଅଂଚଳର ଲୋକେ ଆରଜିଏଚରେ ପହଂଚିଥିଲେ। କାର୍ଯ୍ୟାନୁଷ୍ଠାନ ଦାବିରେ ରାତି ପର୍ଯ୍ୟନ୍ତ ହଙ୍ଗାମା କରିଥିଲେ। ଆରଜିଏଚରେ ତୀବ୍ର ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ ଘଟଣାସ୍ଥଳରେ ପହଂଚି ଏହାକୁ ନିୟନ୍ତ୍ରଣ କରିଥିଲା। ତେବେ ଏହି ଅଭିଯୋଗକୁ ଆରଜିଏଚ କର୍ତୃପକ୍ଷ ଖଣ୍ଡନ କରିଛନ୍ତି। ଆରଜିଏଚର ନିର୍ଦ୍ଦେଶକ ଡାକ୍ତର ଏସ.କେ. କବି ଶତପଥୀଙ୍କ କହିବା ଅନୁଯାୟୀ ମାଲଗୋଦାମରୁ ଆସିଥିବା ଏହି ରୋଗୀ ଛାତି ଯନ୍ତ୍ରଣା ପାଇଁ ମେଡିସିନ ୱାର୍ଡ଼ରେ ଭର୍ତି ହୋଇଥିଲା। ଗାଷ୍ଟ୍ରାଇଟ ପାଇଁ ରୋଗୀକୁ ଆବଶ୍ୟକ ଇଂଜେକ୍ସନ ଓ ଔଷଧ ଦିଆଯାଇ ଚିକିତ୍ସା କରାଯାଇଥିଲା । ଯନ୍ତ୍ରଣା ଅଧିକ ଥିବାରୁ ନିଦ ଇଂଜେକ୍ସନ ଦିଆଯାଇଥିଲା। ୧ଘଂଟା ସେ ଭଲଥିଲା। ୩ଟା୩୦ରେ ରୋଗୀ ଉଠି ବାଥ୍‍ ରୁମକୁ ଯାଇଥିଲା। ସେଠାରେ ବାନ୍ତି କରିବା ପରେ ପୁଣି ବେଡକୁ ଆସିଥିଲା। ଏହି ସମୟରେ ସେ ନର୍ସକୁ ଡାକ୍ତରଙ୍କୁ ଡାକିବାକୁ କହିଥିବା ପରିବାର ଲୋକେ କହୁଛନ୍ତି। କିନ୍ତୁ ନର୍ସ କହିବା କଥା ତାଙ୍କୁ କେହି କିଛି କହି ନାହାଁନ୍ତି। ବରଂ ବାନ୍ତି କରିବା ପରେ ଆବଶ୍ୟକତାକୁ ଦୃଷ୍ଟିରୁ ନର୍ସ ରୋଗୀକୁ ଅକ୍ସିଜେନ ଦେଇଥିଲେ ଓ ଡାକ୍ତରଙ୍କୁ କଲ କରିଥିଲେ। ତେବେ ଡାକ୍ତର ପହଞ୍ଚିବା ବେଳକୁ ରୋଗୀର ମୃତ୍ୟୁ ଘଟିଥିବାଶ୍ରୀ ଶତପଥୀ କହିଛନ୍ତି। ଆରମ୍ଭରୁ ସମସ୍ତ ଆବଶ୍ୟକ ଚିକିତ୍ସା କରାଯାଇଥିବା ସେ କହିଛନ୍ତି।

Comments are closed.