ବଢ଼ୁଛି ଶ୍ରୀଜଗନ୍ନାଥଙ୍କ ଖଣି ଲୁଟ୍

0

ପୁରୀ : ନିଜ ସମ୍ପତ୍ତି ସୁରକ୍ଷା କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛି ଶ୍ରୀମନ୍ଦିର ପ୍ରଶାସନ । ଫଳରେ ଖୋଲା ଖୋଲି ଲୁଟ୍‍ ଚାଲିଛି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପଥର ଖଣି । ଯାହାଦ୍ବାରା ଶ୍ରୀମନ୍ଦିର ପ୍ରଶାସନ ବର୍ଷକୁ ପ୍ରାୟ ୧୦୦ କୋଟି ଟଙ୍କା ରାଜସ୍ୱ ହରାଉଛି। ବର୍ଷ ବର୍ଷ ଧରି ଏପରି ହରିଲୁଟ୍‍ ଚାଲିଥିଲେ ମଧ୍ୟ ନିରବ ହୋଇ ବସିଛନ୍ତି ରାଜ୍ୟ ସରକାର। ଗୋଟିଏ ପଟେ ମାଇନିଂ ପ୍ଲାନ୍‍ ଏବଂ ପରିବେଶ ଅନୁମତି ଆଣିବାରେ ଶ୍ରୀମନ୍ଦିର ପ୍ରଶାସନ ବିଫଳ ହୋଇଛି; ଅନ୍ୟପଟେ ଏହା ଖଣି ମାଫିଆଙ୍କ ଲାଗି ସୁଯୋଗ ସୃଷ୍ଟି କରିଛି। ସତେଯେମିତି ମାଫିଆଙ୍କ ସ୍ୱାର୍ଥ ପାଇଁ ଶ୍ରୀଜଗନ୍ନାଥଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦିଆଯାଇଛି।
ଖୋର୍ଦ୍ଧା ଜିଲାରେ ଶ୍ରୀମନ୍ଦିର ପ୍ରଶାସନର ୫୧ଟି ପଥର ଖଣି ରହିଛି। ସେଥିରୁ ୨ଟି ଖଣ୍ଡୋଲାଇଟ୍‍ ପଥର ଏବଂ ୪୯ଟି ହାର୍ଡ ମେଟାଲ (ଗୋଡି) ଖଣି ବୋଲି ଜଣାପଡିଛି। ଖଣି ନିଲାମରୁ ପ୍ରତିବର୍ଷ ୫କୋଟି ଟଙ୍କା ମିଳିଥାଏ। ୧୮ଟି ପଥର ଖଣି ନିଲାମ ପାଇଁ ଗତବର୍ଷ ଅଗଷ୍ଟରେ ନୋଟିସ୍‍ ଜାରି ହୋଇଥିଲା। ନିଲାମ ପ୍ରକ୍ରିୟା ଚୂଡାନ୍ତ ହେବା ପୂର୍ବରୁ ମନ୍ଦିର ପ୍ରଶାସନ ହଠାତ ତାହାକୁ ପ୍ରତ୍ୟାହାର କରିନେଇଥିଲା। ମାଇନିଂ ପ୍ଲାନ ଏବଂ ପରିବେଶ ଅନୁମତି ଆଣିବା ପରେ ଖଣି ନିଲାମ କରାଯିବାକୁ ମୁଖ୍ୟ ପ୍ରଶାସକ ଫାଇଲରେ ନିର୍ଦେଶ ଦେଇଥିଲେ। ୧୦ମାସ ବିତିଗଲା ପଛେ ମନ୍ଦିର ପ୍ରଶାସନ ସରକାରଙ୍କ ଠାରୁ ମାଇନିଂ ପ୍ଲାନ କିମ୍ବା
ପରିବେଶ ଅନୁମତି ଆଣିବାରେ ସକ୍ଷମ ହୋଇପାରି ନାହିଁ। ଏଥିଯୋଗୁଁ ଖଣି ନିଲାମ ଅଟକି ରହିଛି। ଏହାଛଡା ଆଉ ପ୍ରାୟ ୫୦୦୦ଏକର ମାଙ୍କଡାପଥର ଖଣି ଖୋର୍ଦ୍ଧା ଜିଲାରେ ରହିଛି।
ଖଣି ମାଫିଆମାନେ ଶ୍ରୀଜଗନ୍ନାଥଙ୍କ ଖଣିରୁ ଦିନରାତି ୨୪ଘଣ୍ଟା ପଥର ଚୋରିକରି ଚାଲିଛନ୍ତି। ଖଣିଚୋରି ରୋକିବାରେ ପ୍ରଶାସନ ପକ୍ଷରୁ ସାମାନ୍ୟତମ ଉଦ୍ୟମ କରାଯାଇ ନାହିଁ। ୫ଟି ଖଣିର ନିଲାମ ଉପରେ ହାଇକୋର୍ଟ ୨୦୧୫ଠାରୁ ରହିତାଦେଶ ଜାରି କରିଛନ୍ତି। ପୂର୍ବରୁ ନିଲାମଧାରୀମାନେ ନିଜସ୍ୱ ଖର୍ଚ୍ଚରେ ବିଭାଗୀୟ କର୍ତ୍ତୃପକ୍ଷଙ୍କଠାରୁ ମାଇନିଂ ପ୍ଲାନ ଏବଂ ପରିବେଶ ଅନୁମତି ଆଣୁଥିଲେ। ଏହି ଦାୟିତ୍ୱ ମନ୍ଦିର ପ୍ରଶାସନ ଗତବର୍ଷଠାରୁ ନିଜ ଉପରକୁ ନେଇଛି। ଜଣେ ଖଣି ପରାମର୍ଶଦାତାଙ୍କୁ ନିଯୁକ୍ତି ଦିଆଯିବା ସହ ଜିପିଏସ୍‍ ସର୍ଭେ କରାଯାଇଛି। ଅନ୍ୟ ୨୮ଟି ଖଣି ୫ବର୍ଷିଆ ନିଲାମ ଦିଆଯାଇଛି। ଖୋର୍ଦ୍ଧା ଜିଲାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ୨୯, ୭୫୨ଏକର ଭୂସମ୍ପତ୍ତି ରହିଛି। ସେଥିରୁ ଅଧିକାଂଶ ମାଙ୍କଡାପଥର ଖଣି। ୨୦୦୭ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ କେତେକ ମାଙ୍କଡାପଥର ଖଣି ନିଲାମ କରି ରାଜସ୍ୱ ପାଉଥିଲା। ପରିଚାଳନା କମିଟି ନିଷ୍ପତ୍ତି କ୍ରମେ ୧୧ବର୍ଷ ହେଲା ମାଙ୍କଡାପଥର ଖଣି ନିଲାମ ବନ୍ଦ କରିଦିଆଯାଇଛି।
କିନ୍ତୁ ସେସବୁ ଅଞ୍ଚଳରେ ଅନଧିକାର ଭାବେ କେତେକ ବ୍ୟକ୍ତି ପଥର କାଟି ବିକ୍ରିକରି ଚାଲିଛନ୍ତି। ନିରବଚ୍ଛିନ୍ନ ଖଣି ଲୁଟ୍‍ ଯୋଗୁଁ ଶ୍ରୀଜଗନ୍ନାଥ ମହାପ୍ରଭୁ ପ୍ରାୟ ୧୦୦କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି। ଏହି ରାକେଟର ଚେର ପୁରୀରୁ ଖୋର୍ଦ୍ଧା ଏବଂ ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ଲମ୍ବିଛି। ଶ୍ରୀଜୀଉଙ୍କ ପଥର ଖଣିର ସୁରକ୍ଷା ପାଇଁ ମନ୍ଦିର ପ୍ରଶାସନ କିମ୍ବା ଜିଲା ପ୍ରଶାସନ ପକ୍ଷରୁ କୌଣସି ଆନ୍ତରିକ ଉଦ୍ୟମ କରାଯାଇ ନାହିଁ। ସେହିପରି ଯାଜପୁର, ନୟାଗଡ ଏବଂ ଢେଙ୍କାନାଳ ଜିଲାରେ ଶହ ଶହ ଏକର ପଥର ଖଣି ଥିଲେ ମଧ୍ୟ ତାହାକୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ। ଶ୍ରୀଜଗନ୍ନାଥଙ୍କ ପଥର ଖଣିରେ କେତେକ ପ୍ରଭାବଶାଳୀ ବ୍ୟକ୍ତି କ୍ରସର ପ୍ରତିଷ୍ଠା କରିବା ସହ ବର୍ଷ ବର୍ଷ ଧରି ପଥର କାଟି ବିକ୍ରି କରୁଛନ୍ତି।
ଜଣେ ଅର୍ଥ ପରାମର୍ଶଦାତାଙ୍କ ଆକଳନ ଅନୁଯାୟୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମାଲିକାନାରେ ଖୋର୍ଦ୍ଧା, ଯାଜପୁର, ନୟାଗଡ ଏବଂ ଢେଙ୍କାନାଳ ଜିଲାରେ ଥିବା ପଥର ଖଣି ଗୁଡିକୁ ଚିହ୍ନଟ କରାଯାଇ ଯଦି ନିଲାମ କରାଯାଏ ତାହାହେଲେ ମନ୍ଦିର ପ୍ରଶାସନ ବର୍ଷକୁ ଅନ୍ୟୂନ ୨୦୦କୋଟି ଟଙ୍କା ରାଜସ୍ୱ ପାଇବ। କିନ୍ତୁ ଖଣି ରାଜସ୍ୱ ପ୍ରତି ପ୍ରଶାସନ କାହିଁକି ଅବହେଳା କରୁଛି ଏବଂ ପରିଚାଳନା କମିଟି ନିରବ ରହିବାର ରହସ୍ୟ କ’ଣ ସେ ସମ୍ପକର୍କରେ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସକ (ରାଜସ୍ୱ) ମଧୁସୂଦନ ଦାସଙ୍କୁ ପଚାରିବାରୁ ସେ କହିଲେ ନିଲାମ ହୋଇପାରି ନଥିବା ଖଣି ଗୁଡିକୁ ଖୁବ୍‍ଶୀଘ୍ର ନିଲାମ କରାଯିବ। ମାଙ୍କଡାପଥର ଖଣି ନିଲାମ ସମ୍ପର୍କରେ ଗତ ପରିଚାଳନା କମିଟି ବୈଠକରେ ଆଲୋଚନା କରାଯାଇଥିବା ସେ କହିଛନ୍ତି।

Leave A Reply